ତାଳଚେର : ( ମୁଶାରଫ ଅହେମଦ ) ଶେଷରେ ତାଳଚେର ମେଡିକାଲ କଲେଜର ପରିଚାଳନାଭାର ନେବ ତୃତୀୟ ପକ୍ଷ । ପରିଚାଳନାଭାର ତୃତୀୟ ପକ୍ଷକୁ ଦେବା ପାଇଁ ଏମସିଏଲ୍ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ଟେଣ୍ଡର ପରେ ତାଳଚେର ମେଡିକାଲ କଲେଜର ପରିଚାଳନାଭାର କୌଣସି ଘରୋଇ ସଂସ୍ଥା ହାତକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ତାଳଚେର ମେଡିକାଲ କଲେଜର ପରିଚାଳନାଭାର ଏମ୍ସିଏଲ୍ ବା ରାଜ୍ୟ ସରକାର କିଏ ନେବେ, ସେ ନେଇ କିଛିମାସ ହେଲା ଦ୍ୱନ୍ଦ୍ବ ଲାଗି ରହିଥିଲା। ଉଭୟପକ୍ଷ ନିଜ ଜିଦ୍ରେ ଅଟଳ ରହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଏମ୍ସିଏଲ୍ ସହଯୋଗରେ ତାଳଚେରରେ ନିର୍ମାଣ ହେଉଛି ମେଡିକାଲ କଲେଜ ଓ ଡାକ୍ତରଖାନା। ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ଏହି ଅନୁଷ୍ଠାନର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାର ପରିଚଳନା ନେଇ ପୂର୍ବରୁ ଏମ୍ସିଏଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ପୂର୍ବରୁ ଏମସିଏଲ୍ ସିଏମଡିଙ୍କ ଅଧ୍ୟକ୍ଷତାରେ ମହାନଦୀ ଏଜୁକେସନାଲ ଟ୍ରଷ୍ଟ ଗଠନ କରାଯାଇ ମେଡିକାଲ କଲେଜର ପରିଚାଳନା କରାଯିବାକୁ ସ୍ଥିର ହୋଇଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୭ ଜୁନ୍ ୨୮ ତାରିଖରେ ନେହରୁ ଶତାବ୍ଦୀ ମେଡିକାଲ ପରିସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ଉପସ୍ଥିତ ଏମ୍ସିଏଲ ବରିଷ୍ଠ ଅଧିକାରୀ ପରିଚାଳନାଗତ ଦାୟିତ୍ୱ ଏମ୍ସିଏଲ ନେଇପାରିବ ନାହିଁ ବୋଲି ସ୍ପଷ୍ଟ ପ୍ରକାଶ କରିଥିଲେ। ସେବେଠାରୁ ମେଡିକାଲ କଲେଜର ପରିଚାଳନାକୁ ନେଇ ଦ୍ୱନ୍ଦ୍ବ ଉପୁଜିଥିଲା।
ଗତ ୧ ତାରିଖରେ ଏମ୍ସିଏଲ ପକ୍ଷରୁ କୌଣସି ଏକ ତୃତୀୟ ସଂସ୍ଥାକୁ ଏହାର ପରିଚାଳନା ଭାର ଦେବାକୁ ଟେଣ୍ଡର ଆହ୍ୱାନ କରାଯାଇଛି। ଟେଣ୍ଡର ମୁତାବକ ଇଚ୍ଛୁକ ସଂସ୍ଥା ଜାନୁଆରୀ ୨ ତାରିଖରୁ ୧୪ ତାରିଖ ମଧ୍ୟରେ ସେମାନଙ୍କର ଟେଣ୍ଡର ନେଟ୍ ମାଧ୍ୟମରେ ଭରିବା ପରେ ଏମସିଏଲ ପୋର୍ଟାଲରେ ଅପଲୋଡ୍ କରିବେ। ଆସନ୍ତା ୧୯ ତାରିଖରେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଆଗ୍ରହୀ ସଂସ୍ଥାର ପ୍ରତିନିଧିମାନଙ୍କର ଏକ ବୈଠକ ଏମ୍ସିଏଲ୍ର ଭୁବନେଶ୍ୱର କାର୍ଯ୍ୟାଳୟରେ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ।