କୋଭିଡ଼ ଗାଇଡ଼ଲାଇନ ମାନି ରଥଯାତ୍ରା ପାଳନ କରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

କୋଭିଡ଼ ଗାଇଡ଼ଲାଇନ ମାନି ରଥଯାତ୍ରା ପାଳନ କରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ବଡ ଖବର

#ନିବେଦନ_କଲେ _ମୁଖ୍ୟମନ୍ତ୍ରୀ           ଭୁବନେଶ୍ୱର   : ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ କରିବା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।
ସେ କହିଛନ୍ତି ଯେ, ରଥଯାତ୍ରା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପୁରା ପ୍ରସ୍ତୁତି କରିଛନ୍ତି । ଠିକ୍ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି । ଠାକୁରଙ୍କର ସବୁ ରୀତିନୀତି ଠିକ୍ ଭାବରେ ଚାଲିଛି । ସେଥିପାଇଁ ସେବାୟତ ବନ୍ଧୁ ମାନଙ୍କୁ ଅନୁରୂପ ଭାବେ ଧନ୍ୟବାଦ ଜଣାଇଛନ୍ତି । ପ୍ରଶାସନ ମଧ୍ୟ ସବୁ ପ୍ରସ୍ତୁତି କରିସାରିଛି । ଚିଫ୍ ସେକ୍ରେଟାରୀ ଓ ଡିଜିଙ୍କୁ ସେ ପୁରୀ ପଠାଇଛନ୍ତି ।
ବର୍ତମାନ କୋଭିଡ଼-୧୯ ଯୋଗୁ ସାରା ବିଶ୍ୱ ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ଏହି ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବରେ ଏକ ଚ୍ୟାଲେଞ୍ଜ । କୋଭିଡ଼ ପରିସ୍ଥିତିରେ ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ ଏହା କରିବାକୁ ହେବ ।
ରଥଯାତ୍ରା ପରିଚାଳନାରେ ଭାଗ ନେଇଥିବା ସମସ୍ତେ କୋଭିଡ଼ ଗାଇଡ଼ଲାଇନସକୁ ନିଷ୍ଠାର ସହ ପାଳନ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ବୋଲି ସେ କହିଛନ୍ତି ।
ପରମ୍ପରା ସହିତ ଜନସ୍ୱାସ୍ଥ୍ୟ ପ୍ରତି ଉଚିତ ଧ୍ୟାନ ଦେଇ ଆମକୁ ରଥଯାତ୍ରା ପାଳନ କରିବାକୁ ହେବ । ସାରା ବିଶ୍ୱର ନଜର ଏବେ ଆମ ଉପରେ ରହିବ ବୋଲି ସେ କହିଛନ୍ତି । ଶୃଙ୍ଖଳା ସହିତ ସାମାଜିକ ଦୂରତା ଓ ଗାଇଡ଼ଲାଇନସକୁ ପାଳନ କରି କେମିତି ଠାକୁରଙ୍କ ନୀତିକାନ୍ତି କରାଯାଏ, ତାର ନିଦର୍ଶନ ଆମକୁ, ସାରା ବିଶ୍ୱକୁ ଦେଖାଇବାକୁ ହେବ ।
ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତମ ପରିଚାଳନା ପାଇଁ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଂଜୟ ଦାଶବର୍ମାଙ୍କୁ ପୁରୀରେ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେମାନେ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ ।
ଅନ୍ୟପକ୍ଷରେ ପୁରୀର ଜନସାଧାରଣଙ୍କୁ କୋଭିଡ଼ ଗାଇଡ଼ଲାଇନ୍ସ ପାଳନ କରିବା ସହ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।
ସବୁରି ଉପରେ ହିଁ ମହାପ୍ରଭୁଙ୍କ ଇଚ୍ଛା । ତାଙ୍କର ଇଚ୍ଛା ପାଳନ କରିବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ।
ରଥଯାତ୍ରା ପାଇଁ ରାଜ୍ୟବାସୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।