ଆଜି ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଞ୍ଜୁ ପଣ୍ଡା

ଓଡିଶା କଟକ ଜିଲ୍ଲା ବଡ ଖବର ରାଜ୍ୟ

କଟକ:  ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି  ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଆଜି ଦାୟିତ୍ୱ ଗ୍ରହଣ କରିବେ।  ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ଯୋଗୁ  ଜଷ୍ଟିସ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି।

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ  ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି  ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି। ସେ ଆଜି ଠାରୁ ଦାୟିତ୍ୱ ଗ୍ରହଣ କରିବେ। ସେ ଏବେ ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଅଟନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ଦ୍ୱିତୀୟ ମହିଳା ବିଚାରପତି ଭାବେ କୁମାରୀ ଜଷ୍ଟିସ ପଣ୍ଡା ୨୦୦୭ ମାର୍ଚ୍ଚ ୧୭ତାରିଖରେ ନିଯୁକ୍ତି ପାଇଥିଲେ। ସେ ତାଙ୍କ ପିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘବର୍ଷ ଧରି ଓକିଲାତି କରିବା ପରେ ତାଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ସେ ୧୯୮୫ ମସିହାରେ ଓଡ଼ିଶା ବାର କାଉନସିଲର ସଦସ୍ୟତା ଗ୍ରହଣ କରିଥିଲେ। କୁମାରୀ ଜଷ୍ଟିସ ପଣ୍ଡା ୧୯୫୯ ଜୁଲାଇ ମାସରେ ପାରଳାଖେମୁଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ।

ଜଷ୍ଟିସ ଝାଭେରୀ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ  ୧୭ମାସ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଛନ୍ତି।
ଜଷ୍ଟିସ ଝାଭେରୀ ୨୦୦୪ ମାର୍ଚ୍ଚ ୭ ତାରିଖରେ ଗୁଜୁରାଟ ହାଇକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୦୫ ଜୁନ ୨୨ ତାରିଖରେ ସେଠାରେ ସ୍ଥାୟୀ ବିଚାରାପତିଭାବେ ନିଯୁକ୍ତି ପାଇଥିଲେ। ପରେ ୨୦୧୬ ଅଗଷ୍ଟ ୨୪ ତାରିଖରେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଦକ୍ଷତାର ସହ କାର୍ଯ୍ୟକରି ସେ ୨୦୧୮ ଅଗଷ୍ଟ ୧୨ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ।