ଜଣଙ୍କ ମୃତ୍ୟୁ ପରେ ଜୀବନ ପାଇବେ ୨ ଜଣ ରୋଗୀ,ପୁଣି ଜଣେ ବ୍ରେନ୍‌ ଡେଡ୍‌ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବା ପାଇଁ ଉଦ୍ୟମ

ଜଣଙ୍କ ମୃତ୍ୟୁ ପରେ ଜୀବନ ପାଇବେ ୨ ଜଣ ରୋଗୀ,ପୁଣି ଜଣେ ବ୍ରେନ୍‌ ଡେଡ୍‌ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବା ପାଇଁ ଉଦ୍ୟମ

ଓଡିଶା ବଡ ଖବର ବିଶେଷ ମହାନଗର

#ଜଣଙ୍କ_ମୃତ୍ୟୁ_ପରେ_ଜୀବନ_ପାଇବେ_୨_ଜଣ_ରୋଗୀ  ଭୁବନେଶ୍ୱର:  ରାଜ୍ୟର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ମୃତ (ବ୍ରେନ୍‌ ଡେଡ୍‌) ଜଣେ ରୋଗୀଙ୍କ ଶରୀରରରୁ କିଡନି ବାହାର କରାଯିବା ପ୍ରକ୍ରିୟା ଚାଲିଛି। ସଂପୃକ୍ତ ମୃତ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ୨ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ ବୋଲି ଜଣିବାକୁ ମିଳିଛି।

ସୂଚନା ଅନୁସାରେ ସୁଚିତ୍ରା ଦାସ ନାମରେ ଜଣେ ରୋଗୀଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁଚିତ୍ରାଙ୍କୁ ହସ୍ପିଟାଲର ୫ମ ମହଲାସ୍ଥିତ ୫୫୦ ନମ୍ବର ଶଯ୍ୟାରେ ଚିକିତ୍ସା କାରାଯାଉଥିଲା। କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ସୁଚିତ୍ରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ତାଙ୍କର ଅଙ୍ଗଗୁଡ଼ିକ ଦାନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ପରିବାର ଲୋକେ ଅଙ୍ଗଦାନ ଲାଗି ସ୍ୱୀକୃତି ଦେବା ପରେ କିଡନି ସମସ୍ୟା ଜନିତ ରୋଗରେ ଏବେ ଜୀବନ ସହିତ ସଂଘର୍ଷ କରୁଥିବା ଅନ୍ୟ ଦୁଇ ଜଣ ରୋଗୀଙ୍କ ଶରୀରରେ ଏହାକୁ ପ୍ରତିରୋପଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ପରିବାର ଲୋକ ରାଜି ହେବା ପରେ ଆଜି ସନ୍ଧ୍ୟାରେ ସୁଚିତ୍ରାଙ୍କ ଶରୀରରରୁ କିଡନି ବାହାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକ୍ରିୟା ଶେଷ ହେବା ପରେ ଗୋଟିଏ କିଡନି ଆମ୍ରି ହସ୍ପିଟାଲ ଯିବ ଓ ସେଠାରେ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ। ସେହିଭଳି ଦ୍ୱିତୀୟ କିଡ଼ନିଟି ଆପୋଲୋ ହସ୍ପିଟାଲରେ  ଚିକିତ୍ସିତ ଥିବା ଅନ୍ୟ ଜଣେ  ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନିକଟରେ କଟକ ବଡ ଡାକ୍ତରଖାନାରେ ଏକ ବିଶେଷଜ୍ଞ ଟିମ୍‌   ଅନ୍ୟ ଜଣେ ବ୍ରେନ୍‌ ଡେଡ୍‌ ରୋଗୀଙ୍କ ଶରୀରରୁ କିଡ଼ିନି ବାହାର କରି ତାକୁ ଅନ୍ୟ ରୋଗୀଙ୍କ ଶରୀରରେ ସଫଳତାର ସହିତ ପ୍ରତିରୋପଣ କରିଥିଲେ। ଏଥିଲାଗି କଟକ ବଡ ଡାକ୍ତରଖାନାକୁ ଚାରିଆଡେ ପ୍ରଶଂସା କରାଯାଇଥିଲା। ୟୁରୋଲୋଜି ବିଭାଗର ଓଟି-ବିରେ ଅସ୍ତ୍ରୋପଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ଅଢେଇ ଘଣ୍ଟାର ପ୍ରକ୍ରିୟାରେ ରୋଗୀ ଦେହରେ ସଫଳତାର ସହିତ କିଡନି ପ୍ରତିରୋପଣ କରାଯାଇଥିଲା। ଭୁବନେଶ୍ୱରେରେ ଜଣେ ମୃତ (ବ୍ରେନ୍‌ ଡେଡ୍‌) ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡନିକୁ ବାହାର କରାଯାଇ ସୁରକ୍ଷିତ ଭାବେ ମଧ୍ୟରାତ୍ରରେ କଟକ ବଡ ଡାକ୍ତରଖାନାକୁ ଅଣାଯାଇ ଫିରୋଜ ସାହୁ(୩୧)ଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କା ଗତ ମାସ ୨୭ ତାରିଖରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରିୟଙ୍କା ବ୍ରେନ ଡେଡ୍‌ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଡାକ୍ତର। ପରିବାର ଲୋକ ସଂପୃକ୍ତା ଯୁବତୀଙ୍କ ଅଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।