ଚୀନକୁ ଭାରତର ସମାଲୋଚନା

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ :  ଜାତିସଂଘ ପରି ଏକ ଅନ୍ତର୍ଜାତୀୟ ମଞ୍ଚରେ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ଭାରତ ଚୀନକୁ ସମାଲୋଚନା କରିଛି ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ନିରାପତ୍ତା ପରିଷଦର ଅଧିକାଂଶ ସଦସ୍ୟ ସହମତ ଯେ କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ । ଏହାକ କଥାବାର୍ତ୍ତାମାଧ୍ୟମରେ ସମାଧାନ ହେବା ଆବଶ୍ୟକ । ଏହା ସତ୍ତ୍ୱେ ଚୀନ ସହାୟତାରେ ପାକିସ୍ତାନ ବାରମ୍ବାର ଜାତିସଂଘରେ ଏହି ପ୍ରସଙ୍ଗ ଉଠାଉଛି । କିନ୍ତୁ ସେମାନେ ସବୁବେଳେ ବିଫଳ ହେଉଛନ୍ତି । ଏଥିରୁ ଚୀନ ଶିକ୍ଷାଲାଭ କରିବା ଆବଶ୍ୟକ ଓ ଭବିଷ୍ୟତରେ ଏପରି ଭୁଲ ନ କରିବା ଆବଶ୍ୟକ । ଚୀନର ଆଭିମୁଖ୍ୟରେ ଅନ୍ତର୍ଜାତୀୟ ସମୁଦାୟର ସହମତି ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏକ ଆଫ୍ରିକୀୟ ଦେଶ ପ୍ରସଙ୍ଗରେ ବୁଧବାରଦିନ ଜାତିସଂଘରେ ଏକ ଗୋପନ ଆଲୋଚନା ହୋଇଥିଲା । ଏହି ବୈଠକରେ ନିରାପତ୍ତା ପରିଷଦର ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଓ ଅନ୍ୟ ୧୦ ଟି ଅସ୍ଥାୟୀ ସଦସ୍ୟ ଯୋଗ ଦେଇଥିଲେ । କିନ୍ତୁ ଏହି ବୈଠକର ସୁଯୋଗ ନେଇ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚୀନ ନୋଟିସ ଦେଇଥିଲା । କିନ୍ତୁ କେବଳ ଚୀନକୁ ଛାଡ଼ି ଅନ୍ୟ ସବୁ ସଦସ୍ୟ ରାଷ୍ଟ୍ର ଏହାକୁ ବିରୋଧ କରିବା ପରେ ପ୍ରସ୍ତାବଟି କାଟ ଖାଇଯାଇଥିଲା । ଡିସେମ୍ବରରେ ମଧ୍ୟ ଚୀନ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଫ୍ରାନ୍ସ, ଆମେରିକା, ଋଷିଆ ଓ ବ୍ରିଟେନର ବିରୋଧ ଯୋଗୁଁ ତାହା ବିଫଳ ହୋଇଥିଲା ।