ଖବରକାଗଜ ବିତରଣ ହେଲା ଅତ୍ୟାବଶ୍ୟକ ସେବା

ଖବରକାଗଜ ବିତରଣ ହେଲା ଅତ୍ୟାବଶ୍ୟକ ସେବା

ଓଡିଶା ବଡ ଖବର

#ଖବରକାଗଜ_ବିତରଣ_ହେଲା_ଅତ୍ୟାବଶ୍ୟକ_ସେବା     ଭୁବନେଶ୍ୱର   : ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ସରକାର ଆଜି ସମ୍ବାଦପତ୍ର ବିତରଣକୁ ଅତ୍ୟାବଶ୍ୟକ ସେବା ବର୍ଗରେ ଅନ୍ତର୍ଭୁକ୍ତ କରିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ସମ୍ବାଦପତ୍ର ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବାରେ ସାମିଲ କରାଯାଇ ନ୍ୟୁଜ୍ ପ୍ରିଣ୍ଟଓ ଖବରକାଗଜ ଇତ୍ୟାଦିର ପରିବହନ ପାଇଁ ବ୍ୟବହୃତ ଯାନଗୁଡ଼ିକୁ କଟକଣାମୁକ୍ତ କରାଯାଇଛି। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିକ୍ରୟ କେନ୍ଦ୍ର ଖୋଲା ରହିବ ଓ ଖବରକାଗଜ ବିତରଣ କରୁଥିବା ହକରମାନେ ଭୋର୍ ୪ଟାରୁ ୭ଟା ପର୍ଯ୍ୟନ୍ତ ଯାତାୟତ କରିପାରିବେ। ମାତ୍ର ଏ ବାବଦରେ ହାତଧୂଆଁ ଓ ସାମାଜିକ ଦୂରତ୍ୱ ପରି ନିୟମ ଅନୁସରଣ କରିବାକୁ ହେବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି।

Image result for odia news paper

ସେହିପରି ପ୍ରାଣୀସମ୍ପଦ ସମ୍ପର୍କିତ କାର୍ଯ୍ୟାବଳୀକୁ ଅତ୍ୟାବଶ୍ୟକୀୟ ସେବାରେ ସାମିଲ କରାଯାଇଛି। କ୍ଷୀର, ମାଂସ, ଅଣ୍ଡା, ମାଛ, ଗୋଖାଦ୍ୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗାଡ଼ି ନିମନ୍ତେ ଅନୁମତିପତ୍ର ପ୍ରଦାନ ନିମନ୍ତେ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଓ ସହରାଞ୍ଚଳ ପୌର ସଂସ୍ଥା ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି। ପନିପରିବା ଓ ଅନ୍ୟାନ୍ୟ ତେଜରାତି ସାମଗ୍ରୀ ପରିବହନ କରୁଥିବା ଟ୍ରଲି, ଟ୍ରକ ଓ ଅନ୍ୟାନ୍ୟ ଗାଡ଼ିକୁ ମଧ୍ୟ ପରିବହନ ପାଇଁ ଅନୁମତି ମିଳିବ।

ଲକଡାଉନ୍ ଅବଧିରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟ ରାସ୍ତାରେ ସମସ୍ତ ମାଲବାହୀ ଗାଡ଼ିଗୁଡ଼ିକର ଅବାଧ ଚଳପ୍ରଚଳ ପାଇଁ ରାଜ୍ୟ ପୁଲିସ୍ ତରଫରୁ ଏକ ହେଲପ୍ ଲାଇନ ନମ୍ବର ‘୦୬୭୪-୨୬୨୦୨୦୦’ ଟେଲିଫୋନ୍ ନମ୍ବରରେ ଆରମ୍ଭ କରାଯାଇଛି । ଏହା ପ୍ରତ୍ୟେକ ଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଗାଡ଼ି ଚାଳକ କିମ୍ବା ମାଲ ପରିବହନ ସଂସ୍ଥାର ପରିଚାଳକମାନେ ଏହି ହେଲପ ଲାଇନର ସାହାଯ୍ୟ ଓ ପରାମର୍ଶ ନେଇପାରିବେ ବୋଲି ଶ୍ରୀ ବାଗଚୀ କହିଛନ୍ତି।