ଉଠିଲା ୧୪୪- ବନ୍ଦ ହେଲା ହୋଟେଲ୍, ବସରେ ଅଧା ଯାତ୍ରୀକୁ ଅନୁମତି, ବାଇକରେ ବସିବେ କେବଳ ଚାଳକ

ଉଠିଲା ୧୪୪- ବନ୍ଦ ହେଲା ହୋଟେଲ୍, ବସରେ ଅଧା ଯାତ୍ରୀକୁ ଅନୁମତି, ବାଇକରେ ବସିବେ କେବଳ ଚାଳକ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର

#ଉଠିଲା_୧୪୪_ବନ୍ଦ_ହେଲା_ହୋଟେଲ୍_ବସରେ_ଅଧା_ଯାତ୍ରୀକୁ_ଅନୁମତି     ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ୧୪୪ ଧାରାକୁ ଉଠାଇ ନିଆଯାଇଛି ।  ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ  ବିଜୟ ଅମୃତ କୁଲାଙ୍ଗେ । ହେଲେ ବର୍ତ୍ତମାନର ପରିିସ୍ଥିତିକୁ ଅନୁଧ୍ୟାନ କରି ହୋଟେଲ୍, ରେଷ୍ଟୁରାଣ୍ଟ, ବାର୍ ଓ ଲଜ୍ କୁ ବନ୍ଦ କରିଦିଆଯାଇଛି । ଏହି ସ୍ଥାନ ମାନଙ୍କରେ କରୋନା ବ୍ୟାପିବାର ଅଧିକାଂଶ ସମ୍ଭବ୍ୟତା ରହିଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟ ପକ୍ଷରେ ବସରେ ଉଦ୍ଦିଷ୍ଟ ସିଟ୍ ମଧ୍ୟରୁ କେବଳ ୫୦ ପ୍ରତିଶତ ସିଟ୍ ରେ ଯାତ୍ରୀ ଉଠାଇବାକୁ ଗାଡ଼ି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଟୋ ରିକ୍ସାରେ କେବଳ ୨ଜଣ ଯାତ୍ରୀ ବସିପାରିବେ ତାହା ମଧ୍ୟ ନିର୍ଦ୍ଦିଷ୍ଟ ବ୍ୟବଧାନ ମଧ୍ୟରେ ।

ସେହିପରି ବାଇକ୍ ରେ କେବଳ ଜଣେ ଅର୍ଥାତ୍ ବାଇକ୍ ଚାଳକ ହିଁ ଗାଡ଼ି ଚଳାଇ ପାରିବ । ତାହା ଛଡ଼ା ଅନ୍ୟ କୌଣସି ବ୍ୟକ୍ତି ପଛରେ ବସିପାରିବେ ନାହିଁ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ  ଦିଆଯାଇଛି । ଯଦିଓ ୧୪୪ ଧାରା ଗଂଜାମରୁ ଉଠି ଯାଇଛି ତେବେ, ଗୋଟିଏ ସ୍ଥାନରେ ୭ଜଣ ରୁ ଅଧିକ ସମ୍ମିଳିତ ହୋଇପାରିବେ ନାହିଁ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବାକୁ ହେଲେ ଅତି ଦରକାର ନପଡ଼ିଲେ ଘର ବାହାରକୁ ନ ବାହାରିବାକୁ ଓ ବାରମ୍ବାର ସାବୁନରେ ନିଜର ହାତକୁ ଧୋଇବାକୁ ପୁଣି ଥରେ ଜିଲ୍ଲାପାଳ ଏହି ଅବସରରେ ନିବେଦନ କରିଛନ୍ତି ।

ବିଏମସି ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଏସପି ପିନାକୀ ମିଶ୍ର, ଗଂଜାମ ଏସପି ବ୍ରିଜେସ୍ ରାୟ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଉପସ୍ଥିତ ଥିଲେ । ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ସ୍ୱାଭାବିକ ଅବସ୍ଥା ଫେରିବା ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁଳ୍କ, ପାଣି ଶୁଳ୍କ ପ୍ରଭୃତି ଆଦାୟକୁ ବନ୍ଦ କରନ୍ତୁ ବୋଲି ଗଂଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା କହିଛନ୍ତି । ଅନ୍ୟ ପକ୍ଷରେ ଗଂଜାମରେ କରୋନା ଭୟ ରହିଛି ସତ ତେବେ ହୋଟେଲ୍ ଶିଳ୍ପ ବହୁ କ୍ଷତି ସହୁଛି ତେଣୁ ପ୍ରଶାସନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ହୋଟେଲ୍ ଶିଳ୍ପ ଚଳାଇବା ବ୍ୟବସ୍ଥା କଲେ ଭଲ ହେବ ବୋଲି ଗଂଜାମ ଜିଲ୍ଲା ହୋଟେଲ୍ ଆସୋଏସିନ୍ ସଭାପତି ଉମାଶଙ୍କର ପାଣିଗ୍ରାହୀ କହିଛନ୍ତି ।