କରୋନାରେ ନାଲକୋ ଡ଼ିଜିଏମ୍ ମୃତ୍ୟୁ

କରୋନାରେ ନାଲକୋ ଡ଼ିଜିଏମଙ୍କ ମୃତ୍ୟୁ

ଓଡିଶା ଅନୁଗୁଳ ଜିଲ୍ଲା ବଡ ଖବର

#କରୋନାରେ_ନାଲକୋ_ଡ଼ିଜିଏମଙ୍କ_ମୃତ୍ୟୁ                 ଅନୁଗୋଳ : ( ମୁସାରଫ ଅହେମ୍ମଦ ) ଅନୁଗୋଳ ଜିଲ୍ଲାରେ କରୋନା ନେଇଛି ପ୍ରଥମ ମୁଣ୍ଡ । ନାଲକୋର ଜଣେ ଡ଼ିଜିଏମ୍ (୫୭ ବର୍ଷ) କରୋନାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କର ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲାପାଳ ମନୋଜ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ସେ ବୁର୍ଲାସ୍ଥିତ ଭିମସାରରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିଲା । ତାହା ପଜିଟିଭ୍ ଥିବା ଜଣା ପଡ଼ିଥିଲା । ତାଙ୍କୁ ଆଜି ବୁର୍ଲା ମେଡ଼ିକାଲ କଲେଜରୁ ତାଳଚେର କୋବିଦ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ମଙ୍ଗଳବାର ଅପରାହ୍ନରେ ତାଙ୍କର ମରଶରୀର ଭୁବନେଶ୍ବର ସତ୍ୟନଗର ଶ୍ମଶାନକୁ ଦାହ ନିମନ୍ତେ ପଠାଯାଇଛି । ତାଙ୍କର ପତ୍ନୀ (୫୨ ବର୍ଷ) ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ତାଙ୍କୁ କଟକସ୍ଥିତ ଏକ କୋବିଦ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଯାଇଛି ।ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ୧୫ ଜଣଙ୍କୁ ସଙ୍ଗରୋଧରେ ରହିବାକୁ ପଠାଯାଇଛି । ନାଲକୋ ଡ଼ାକ୍ତରଖାନାର ଆଉଟଡ଼ୋରକୁ ଗୋଟିଏ ଦିନ ବନ୍ଦ କରାଯାଇ ବିଶୋଧନ କରାଯାଇଛି । ସେହିପରି ସେ ବସୁଥିବା ନାଲକୋର ବୈଷୟିକ କାର୍ଯ୍ୟାଳୟକୁ ଦୁଇଦିନ ବନ୍ଦ ରଖାଯାଇ ବିଶୋଧନ କରାଯାଇଛି । ସେ ରହୁଥିବା କ୍ବାଟର ସିଲ କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳ ବିଶୋଧନ କରାଯାଉଛି ବୋଲି ଜିଲାପାଳ କହିଛନ୍ତି ।

ଏହାବ୍ୟତୀତ ସଙ୍ଗରୋଧରେ ଥିବା ୪ ଜଣ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି । ଦିଲ୍ଲୀ ଫେରନ୍ତା ଦୁଇ ଜଣ ପିଲା (ଜଣେ ୧୯ ବର୍ଷ ଓ ଜଣେ ୧୧ ବର୍ଷ) କରୋନା ସଂକ୍ରମିତ ହୋଇଥିବାବେଳେ କଣିହାଁରେ ଏକ ଘରୋଇ ଶିଳ୍ପ ସଂସ୍ଥାର ଜଣେ ବ୍ୟକ୍ତି ସଂକ୍ରମିତ ଥିବା ଜଣାପଡ଼ିଛି । ସେ ତେଲଙ୍ଗାନାରୁ ଫେରିଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ତାଳଚେର କୋବିଦ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।