କରୋନା ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

କରୋନା ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#କରୋନା_ପାଇଁ_୧.୭୦_ଲକ୍ଷ_କୋଟିର_ରିଲିଫ_ପ୍ୟାକେଜ     ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ  ନିର୍ମଳା ସୀତାରମଣ ଗୁରୁବାର କରୋନା ଭୂତାଣୁ ବିରୋଧୀ ଲଢେଇରେ ଗରିବଙ୍କ ସହାୟତା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସୀତାରମଣ କହିଥିଲେ ଯେ, ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ନିକଟରେ ଖାଦ୍ୟ ଓ ଅର୍ଥ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରାଯାଇଛି । ଏହାଦ୍ୱାରା ଏହି ଜଟିଳ ପରିସ୍ଥିତିରେ ସେମାନେ ଜରୁରୀ ସାମଗ୍ରୀ କିଣିବା ଏବଂ ସେମାନଙ୍କ ଆବଶ୍ୟକତା ମେଣ୍ଟାଇବାରେ ସକ୍ଷମ ହୋଇପାରିବେ ।
ଏହି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ  ଅନୁରାଗ ଠାକୁର ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତି, ଅର୍ଥ ସେବା ବିଭାଗ ସଚିବ ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଯୋଜନାରେ କୋଭିଡ-୧୯ ଲଢେଇରେ ସାମିଲ ହୋଇଥିବା ସରକାରୀ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ଯୋଜନା । ସଫେଇ କର୍ମଚାରୀ, ୱାର୍ଡ ବୟ, ନର୍ସ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଟେକ୍ନିସିଆନ, ଡାକ୍ତର ଓ ବିଶେଷଜ୍ଞଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସ୍ୱତନ୍ତ୍ର ବୀମା ଯୋଜନାରେ ସାମିଲ କରାଯିବ । କୋଭିଡ-୧୯ ରୋଗୀଙ୍କୁ ଚିକିତ୍ସା କରୁଥିବା ଯେକୌଣସି ସ୍ୱାସ୍ଥ୍ୟ ପେଶାଦାରଙ୍କ ସହିତ କୌଣସି ଅଘଟଣ ଘଟିଲେ ଏହି ବୀମା ଯୋଜନା ଅନ୍ତର୍ଗତ ୫୦ ଲକ୍ଷ ଟଙ୍କାର ଅର୍ଥରାଶି କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ । ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଏବଂ ଡାକ୍ତରଖାନା ସମେତ ରାଜ୍ୟଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯିବ । ମହାମାରୀ ବିରୋଧରେ ଲଢେଇ କରୁଥିବା ୨୨ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଏହି ବୀମା ଯୋଜନା ଅଧୀନରେ ସାମିଲ ହେବେ ।

ବନ୍ଦ ପାଳନ ଯୋଗୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଦେଶର କେହି ଜଣେ ହେଲେ, ବିଶେଷ କରି କୌଣସି ଗରିବ ପରିବାର ଯେପରି ଖାଦ୍ୟାନ୍ନ ଅଭାବ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଭାରତ ସରକାର ଦୃଷ୍ଟି ଦେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ  ଯୋଜନାରେ ଭାରତର ଜନସଂଖ୍ୟାର ପାଖାପାଖି ଦୁଇ ତୃତୀୟାଂଶ ଅର୍ଥାତ ୮୦ କୋଟି ଲୋକଙ୍କୁ ସାମିଲ କରାଯିବ ।ପ୍ରତ୍ୟେକଙ୍କୁ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ସେମାନଙ୍କ କୋଟାଠାରୁ ଦୁଇଗୁଣା ଅଧିକ ଖାଦ୍ୟଶସ୍ୟ ମିଳିବ ।ଆସନ୍ତା ତିନି ମାସ ପାଇଁ ପରିବାର ପିଛା ୧କିଗ୍ରା ଲେଖାଏଁ ଡାଲି ଯୋଗାଇ ଦିଆଯିବ । ଭାରତ ସରକାର ସମ୍ପୂର୍ଣ୍ଣ ମାଗଣାରେ ଏହି ଡାଲି ଯୋଗାଇ ଦେବେ ।

ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଅନ୍ତର୍ଗତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ କିସ୍ତି ସ୍ୱରୂପ ୨ହଜାର ଟଙ୍କା ଏପ୍ରିଲ ୨୦୨୦ରେ ଅଗ୍ରୀମ ଆକାରରେ ଚାଷୀମାନଙ୍କୁ ଯୋଗାଇ ଦିଆଯିବ ।ଏହାଦ୍ୱାରା ୮.୭ କୋଟି କୃଷକ ଲାଭବାନ ହେବେ ।
ଆସନ୍ତା ତିନି ମାସ ପର୍ଯ୍ୟନ୍ତ ୨୦.୪୦ କୋଟି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆକାଉଟଧାରୀ ମହିଳାମାନଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୮ କୋଟି ଗରିବ ପରିବାରକୁ ମାଗଣାରେ ଗ୍ୟାସ ସିଲିଣ୍ଡର ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।
ସଂଗଠିତ କ୍ଷେତ୍ରର କମ ପାରିଶ୍ରମିକ ପାଉଥିବା କର୍ମଜୀବୀଙ୍କୁ ସହାୟତା ସ୍ବରୁପ୧୦୦ ଜଣଙ୍କ ଠାରୁ କମ କର୍ମଚାରୀ ଥିବା ବ୍ୟବସାୟୀକ ସଂସ୍ଥାରେ ୧୫ହଜାର ଟଙ୍କାରୁ କମ ଦରମା ପାଉଥିବା କର୍ମଚାରୀମାନେ ସେମାନଙ୍କ ଚାକିରି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି ।ଏହି ଯୋଜନା ଅନ୍ତର୍ଗତ, ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଭାରତ ସରକାର ସେମାନଙ୍କ ମାସିକ ଦରମାର ୨୪ ପ୍ରତିଶତ ସେମାନଙ୍କ ପିଏଫ ଆକାଉଣ୍ଟରେ ଜମା କରିବାକୁ ପ୍ରସ୍ତାବ ରଖିଛନ୍ତି ।ଏହାଦ୍ୱାରା ସେମାନଙ୍କ ଚାକିରି ସୁରକ୍ଷିତ ରହିବ ।

କୋଭିଡ-୧୯ କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ଫଳରେ ୩ କୋଟି ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗ ଜନ ପ୍ରଭାବିତ ହେବାର ଆଶଙ୍କା ରହିଛି ।ଏହି କଷ୍ଟକର ସମୟରେ ସରକାର ଆସନ୍ତା ୩ ମାସ ପର୍ଯ୍ୟନ୍ତ ସେମାନଙ୍କୁ ୧ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବେ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅର୍ନ୍ତଗତ ମନରେଗା ଯୋଜନା ଅଧୀନରେ ଦୈନିକ ମଜୁରୀ ୧ ଏପ୍ରିଲ, ୨୦୨୦ ପରଠାରୁ ୨୦ ଟଙ୍କା ବୃଦ୍ଧି କରି ଦିଆଯାଇଛି । ମନରେଗା ଯୋଜନା ଅଧୀନରେ ମଜୁରୀ ବୃଦ୍ଧି ଫଳରେ ଜଣେ ଶ୍ରମିକ ବାର୍ଷିକ ଅତିରିକ୍ତ ୨ ହଜାର ଟଙ୍କାର ଲାଭ ପାଇବେ ।ଏହାଦ୍ୱାରା ୧୩.୬୨ କୋଟି ପରିବାର ଉପକୃତ ହେବେ ।

୬୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଜରିଆରେ ସଂଗଠିତ ହୋଇଥିବା ମହିଳାଙ୍କ ଦ୍ୱାରା ୬.୮୫ କୋଟି ପରିବାର ଉପକୃତ ହୋଇଥାନ୍ତି ।ଏମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ପ୍ରଦାନ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଦିଆଯାଇଛି ।
କର୍ମ·ରୀ ଭବିଷ୍ୟନିଧି ପାଣ୍ଠି ନିୟମରେ ସଂଶୋଧନ ଅଣାଯାଇ ଏଥିରେ ମହାମାରୀକୁ ଏକ କାରଣ ଭାବେ ସାମିଲ କରାଯିବ । ଯାହାଫଳରେ କର୍ମଚାରୀଙ୍କୁ ସେମାନଙ୍କ ଆକାଉଣ୍ଟ ଜରିଆରେ ୭୫ ପ୍ରତିଶତ ଅଣଫେରସ୍ତଯୋଗ୍ୟ ଅଗ୍ରୀମ କିମ୍ବା ତିନି ମାସର ପାରିଶ୍ରମିକ, ଯାହା କମ ହୋଇଥିବ, ଯୋଗାଇ ଦିଆଯିବ ।ଏହି ସୁବିଧା ଦ୍ୱାରା ଇପିଏଫରେ ପଞ୍ଜିକୃତ ହୋଇଥିବା ୪ କୋଟି କର୍ମ·ରୀଙ୍କ ପରିବାର ଉପକୃତ ହୋଇପାରିବେ ।

କେନ୍ଦ୍ର ସରକାର ଆଇନ ଅଧୀନରେ କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି  ଏହି ପାଣ୍ଠିରେ ପାଖାପାଖି ୩.୫ କୋଟି ପଞ୍ଜିକୃତ ଶ୍ରମିକ ରହିଛନ୍ତି । ଆର୍ଥିକ ସଂକଟ ସମୟରେ ଏସବୁ ଶ୍ରମିକଙ୍କୁ ସହାୟତା ଲାଗି ଏହି ପାଣ୍ଠିର ଉପଯୋଗ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ ।
କୋଭିଡ-୧୯ ସଂକ୍ରମଣ ପ୍ରତିରୋଧ ଏବଂ ନିରାକରଣ ଏବଂ ଏହି ମହାମାରୀ ଦ୍ୱାରା ପୀଡ଼ିତ ରୋଗୀଙ୍କ ଚିକିତ୍ସା ଲାଗି ଡାକ୍ତରଖାନା ସୁବିଧା, ସ୍ୱାସ୍ଥ୍ୟ ପରୀକ୍ଷା ତଥା ଅନ୍ୟାନ୍ୟ ଆବଶ୍ୟକତା ପୂରଣ ଲାଗି ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ ।