ଚାକିରି କରିଦେବା ନା ରେ ଲକ୍ଷାଧିକ ଟଙ୍କା ଠକେଇ, ମାଷ୍ଟର ମାଇଣ୍ଡ ସମେତ ଦୁଇ ଠକ ଗିରଫ

ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ

ବ୍ରହ୍ମପୁର, ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସରକାରୀ ଓ ବେସକାରୀ ସଂସ୍ଥାରେ ଚାକିରି କରେଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିକଟା ଗାଁର ରବିନ୍ଦ୍ର କୁମାର ବେହେରା ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମାଗୁରପଡ଼ା ଗାଁର ଅରୁଣ କୁମାର ବେହେରା । ଏମାନଙ୍କଠାରୁ ବ୍ୟାଙ୍କ ଏକାଉଣ୍ଟ ଖାତା, ଏଟିଏମ କାର୍ଡ, ଫେକ୍ ପରିଚୟ ପତ୍ର, ମୋବାଇଲ ଫୋନ ଜବତ କରିଛି ପୋଲିସ । ଗତ ମାସ ୩୦ ତାରିଖରେ ବ୍ରହ୍ମପୁର ଗୋଇଲୁଣ୍ଡି ଅଞ୍ଚଳର ଦୁଇ ଜଣ ଯୁବକ ଠକେଇର ଶିକାର ହୋଇଥିବା ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ଏହାର ତଦନ୍ତ କରିବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ।ଗଞ୍ଜାମ ଜିଲ୍ଲା ସମେତ ଅନୁଗୁଳ, ପୁରୀ, ତାଲଚେର, ଯାଜପୁର ଜିଲ୍ଲାରେ ଏମାନେ ବେକାର ଯୁବକ ଓ ଯୁବତୀଙ୍କୁ ନିଜ ଜାଲରେ ଫସାଇ ଚାକିରୀ କରାଇଦା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି । ପ୍ରାଥମିକ ତଦନ୍ତ ବେଳେ ଗଞ୍ଜାମ ଜିଲ୍ଲାର ୯ଜଣ ଯୁବକ ଯୁବତୀ ଏମାନଙ୍କ ଶିକର ହୋଇଥିବା ଜଣାପଡିଥିବା ବେଳେ ବିଭିନ୍ନ ସ୍ଥାନର ଅନେକ ଯୁବକ ଯୁବତୀଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଅଧିକା ଠକି ନେଇଥିବା ଜଣାପଡିଛି । ଏହି ଠକ ମାନେ ଜୁନିଅର କିରାଣୀ ଓ ରିଜଓନାଲ ଇଣ୍ଟିଷ୍ଟୁଟ୍ ଅଫ୍ ଏଜୁକେସନ, ଭୁବନେଶ୍ୱରଠାରେ ଶିକ୍ଷକ ଚାକିରି କରେଇଦେବା ନାଁରେ ଠକେଇ କରିଥିବା ଜଣାପଡିଛି ।ଏପରିକି କିଛି ଯୁବକ ଯୁବତୀଙ୍କୁ ଏମାନେ କିଛି ମାସ ମାସିକ ଦରମା ପ୍ରଦାନ କରି ଅନ୍ୟ ମାନଙ୍କ ଆସ୍ଥା ହୋଇ ଠକେଇ କରିଛନ୍ତି । ଏହା ସହ ଗିରଫ ହୋଇଥିବା ଦୁଇ ଠକ ଅନଲାଇନରେ ବ୍ୟାଙ୍କ ନେଣ ଦେଣ କରିଥିବା ବେଳେ ଆରଟିଜିଏସ ଓ ଏନଇଏଫଟି ଦ୍ୱାରା ଠକେଇ କରିଛନ୍ତି । ଆଜି ଉଭୟ ଠକଙ୍କ ପୋଲିସ କୋର୍ଟ ଚାଲଣ କରିଥିବା ବେଳେ ଏହି ଗ୍ୟାଙ୍ଗର ଚେର କେଉଁ ଆଡ଼େ ଲମ୍ୱିଛି ଓ ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରିବା ସହ ଉଭୟଙ୍କୁ ରିମାଣ୍ଡରେ ଆଣି ଖୋଡତାଡ କରିବ ପୋଲିସ । ଆଜି ଏନେଇ ବ୍ରହ୍ମପୁର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଥିବା ବେଳେ ଟାଉନ ଏସଡିପିଓ ବିଷ୍ଣୁ ପତି ଓ ବୈଦ୍ୟନାଥପୁର ଥାନା ଅଧିକାରୀ ଶାରଦାପ୍ରସନ୍ନ ଦାଶ ଉପସ୍ଥିତ ଥିଲେ ।