ବହୁଚର୍ଚ୍ଚିତ ମମତା ହତ୍ୟାକାଣ୍ଡ : ଦୁଇମାସ ପୂର୍ବରୁ ହତ୍ୟା ପାଇଁ ଯୋଜନା , ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ

ଅପରାଧ ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

ପିପିଲି ( ବିଜୟ କୁମାର ମହାପାତ୍ର ):ବହୁଚର୍ଚ୍ଚିତ ମମତା ଭୋଇ(୨୯) ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ମମତାଙ୍କ ପ୍ରେମିକ  ଲକ୍ଷ୍ମଣ ମଲ୍ଲିକ ଓରଫ ସିଲୁ ଓରଫ ଜିଲୁ ଓରଫ ଦିପୁ ଓରଫ ଦିପକ (୩୦) ସମେତ ତାର ସହଯୋଗୀ ପ୍ରଭାକର ବେହେରା ଓରଫ ବାଞ୍ଛା (୨୦)କୁ ପିପିଲି ପୁଲିସ  ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଉଭୟ ଅଭିଯୁକ୍ତଙ୍କ ଘର ପିପିଲି ଥାନା କମାକନ୍ତିଆ ନିକଟବର୍ତ୍ତି କୁସିଦା ଗ୍ରାମରେ ହୋଇଥିବା ବେଳେ ଅଭିଯୁକ୍ତ ଲକ୍ଷ୍ମଣ ବିବାହିତ ଓ ସେ ମମତାଙ୍କ ପ୍ରେମିକ ବୋଲି ପୁଲିସ କହିଛି ।

ଭୁବନେଶ୍ୱରରେ କାମ କରିବା ସମୟରେ ସେ ମମତାଙ୍କୁ ନିଜର ଭୁଲ ନାମ ଓ ଠିକଣା ଦେଇ ପ୍ରେମ ଜାଲରେ ଫସାଇବା ପରେ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଦୈହିକ ସଂପର୍କ ସ୍ଥାପନ କରିଥିଲା । ତେବେ ବିବାହ କରିବାକୁ ମମତା ଜିଦ୍ ଧରିବାରୁ ଓ ଲକ୍ଷ୍ମଣଙ୍କ ଘରକୁ ଏକାଧିକ ଥର ଆସିବାରୁ ଲକ୍ଷ୍ମଣ ତାଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଗତ ୨୨ ତାରିଖରେ ମମତାଙ୍କୁ ମଙ୍ଗଳପୁରକୁ ଡାକି ସେଠାରୁ ସାଇକେଲ୍‌ରେ ନେଇ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ସଫେଇନାଳର ଦଳଭର୍ତ୍ତି ପାଣି ମଧ୍ୟରେ ଫୋପାଡି ଦେଇଥିବା ସଂପର୍କରେ ପୁଲିସ ଆଗରେ ସେ ସ୍ୱୀକାର କରିଥିବା ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି । ପୁଲିସ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ସାଇକେଲ ଓ ଗ୍ଲୋବ୍‌ସକୁ ଜବତ କରିଛି ।

ପିପିଲି ଥାନା ଅନ୍ତର୍ଗତ ଠଣଠଣା ଓ ସୋଲଣା ଗ୍ରାମ ମଧ୍ୟବର୍ତ୍ତି ଅଞ୍ଚଳରେ ଥିବା ତେଇସିପୁର-ନଡାଖଣ୍ଡ ସଫେଇନାଳରୁ ଗତ ମାସ ୩୦ ତାରିଖରେ ପୁଲିସ ମମତାଙ୍କ ଗଳିତ ମୃତଦେହକୁ ଜବତ କରିଥିଲା । ମୃତଦେହ ନିକଟରେ ପଡିଥିବା ଯୁବତୀଙ୍କ ଏକ ବ୍ୟାଗ୍‌ରୁ ମିଳିଥିବା ମମତାଙ୍କ ଆଧାର କାର୍ଡରୁ ତାଙ୍କ ଘର ଭୁବନେଶ୍ୱର ବରଗଡ ବ୍ରିଟ୍ କଲୋନୀ ଅଞ୍ଚଳରେ ହୋଇଥିବା ଜାଣିବା ପରେ ପୁଲିସ ମମତାଙ୍କ ଘରକୁ ଖବର ଦେଇଥିଲା । ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିବା ପରେ ତାଙ୍କ ଭାଇ ଚନ୍ଦନ ଭୋଇ ଏନେଇ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ଜାନୁଆରୀ ୨୨ ତାରିଖ ଠାରୁ ମମତା ନିଜ ଘରୁ ନିଖୋଜ ଥିବା ଓ ତାକୁ ଜନୈକ ଯୁବକ ସିଲୁ ମଲ୍ଲିକ ଅନ୍ୟ କେତେକଙ୍କ ସହ ମିଶି ହତ୍ୟା କରିଥିବା ସଂପର୍କରେ ଅଭିଯୋଗରେ ଉଲ୍ଲେଖ ଥିବା ବେଳେ ପୁଲିସ ସେହିଦିନ ଏକ ହତ୍ୟା ମାମଲା ରୁଜୁ କରିଥିବା ବେଳେ ଆଇଆଇସି ଶରତ କୁମାର ସାହୁ ନିଜେ ଘଟଣାର ତଦନ୍ତଭାର ନେଇଥିଲେ ।