୧.୫୦ଲକ୍ଷ କୋଟିର ଚିଠା ବଜେଟକୁ ଅନୁମୋଦନ

ଓଡିଶା ବଡ ଖବର

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି। ବଜେଟରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ହ୍ରାସ ଓ ଧିମା ରାଜସ୍ୱ ସଂଗ୍ରହର ଛାପ ଅନୁଭୂତ ହେବା ସହ ବଜେଟର କଳେବର ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ମାତ୍ର ୮% ବୃଦ୍ଧି ପାଇଥିବା ଜଣାପଡ଼ିଛି। ବଜେଟରେ ବିଶେଷକରି ପୁରୁଣା ସ୍କିମ୍ ପାଇଁ ଅର୍ଥ ବ୍ୟୟବରାଦ ଓ ଭିତ୍ତିଭୂମି କ୍ଷେତ୍ର ନିମନ୍ତେ ପାଣ୍ଠି ଆବଣ୍ଟନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ଚଳିତ ବଜେଟରେ ଆଖିଦୃଶିଆ ସର୍ବାଧିକ ବ୍ୟୟବରାଦ ‘ବିଜୁ ପକ୍କାଘର’ ଯୋଜନା ପାଇଁ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଚିଠା ବଜେଟର ଆକାର ଦେଢ଼ ଲକ୍ଷ କୋଟି ଟଙ୍କାକୁ ଛୁଇଁଥିବାବେଳେ ଏଥିରେ ପ୍ରଶାସନିକ ବ୍ୟୟବାବଦରେ ୬୫ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟବାବଦରେ ୭୪ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବାବଦରେ ୩୨୦୦କୋଟି ଟଙ୍କା ଓ ପଞ୍ଚମ ଅର୍ଥ କମିଶନ ସୁପାରିଶ ବାବଦ ୭,୮୦୦ କୋଟି ଟଙ୍କା ବନ୍ଦୋବସ୍ତ ହୋଇଛି।

ଫେବୃୟାରୀ ୧୮ତାରିଖରେ ବିଧାନସଭାରେ ଏହି ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପିତ କରିବେ। ତେବେ ଆସନ୍ତା ରାଜ୍ୟ ବଜେଟରେ କୌଣସି ନୂଆ ଯୋଜନା ପରିବର୍ତ୍ତେ ପୁରୁଣା ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ଓ ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଉପରେ ସରକାର ଫୋକସ ଦେବେ ବୋଲି ଜଣାପଡ଼ିଛି।

ଏପରିକି ପୁରୀ ଶ୍ରୀମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ପ୍ରାୟ ୩୨୦୯କୋଟି ଟଙ୍କା ସମେତ କୋଣାର୍କ, ଏକାମ୍ର କ୍ଷେତ୍ର, ତାରାତାରିଣୀ, ସମଲେଶ୍ୱରୀ ଓ ଅନ୍ୟ କେତେକ ପ୍ରସିଦ୍ଧ ମନ୍ଦିର ସମେତ କଟକରେ ଦ୍ୱିତୀୟ ଟାଉନସିପ୍ ନିର୍ମାଣ ଭଳି ପ୍ରକଳ୍ପ ନିମନ୍ତେ ବଜେଟରେ ଅର୍ଥ ବ୍ୟୟବରାଦ ହେବ ବୋଲି ସୂଚନା ମିଳିଛି। ତା’ଛଡ଼ା ଗ୍ରାମାଞ୍ଚଳ ଗୃହନିର୍ମାଣ କ୍ଷେତ୍ର, ମହାନଦୀ, ସୁବର୍ଣ୍ଣରେଖା, ବୈତରଣୀ ନଦୀ ପଠାରେ ବଡ଼ ବଡ଼ ଡ୍ୟାମ୍ ପ୍ରକଳ୍ପ ନିର୍ମାଣ କରାଯାଇ ନଦୀ ଜଳକୁ ସଂରକ୍ଷିତ କରି ରଖି ଖରାଦିନେ ଉପଯୋଗ କରାଯିବା, ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ର ଆଦି ଦିଗରେ ରାଜ୍ୟ ସରକାର ଅଧିକ ଫୋକସ କରିବା ସହ ସେ ନେଇ ବଜେଟରେ ଆବଶ୍ୟକ ବ୍ୟୟବରାଦ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ୧.୩୯ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏହା ୨୦୧୮-୧୯ ତୁଳନାରେ ୧୫. ୭ ପ୍ରତିଶତ ଅଧିକ ଥିଲା। ତେବେ ଆଗାମୀ ବଜେଟରେ ରାଜ୍ୟ  କର୍ମଚାରୀମାନଙ୍କର ସପ୍ତମ ବେତନ କମିଶନ ବକେୟା ବାବାଦ(୬୦ ପ୍ରତିଶତ) ଦେବା ନେଇ କୌଣସି ବ୍ୟବସ୍ଥା ହୋଇ ନଥିବା ଜଣାପଡ଼ିଛି।