ବରିଷ୍ଠ ଶ୍ରମିକ ନେତା ଡଃ ସୌରୀବଂଧୁ କରଙ୍କ ବିୟୋଗ

ବରିଷ୍ଠ ଶ୍ରମିକ ନେତା ଡଃ ସୌରୀବଂଧୁ କରଙ୍କ ବିୟୋଗ

ଓଡିଶା ବଡ ଖବର ମହାନଗର

#ବରିଷ୍ଠ_ଶ୍ରମିକ_ନେତା_ଡଃ_ସୌରୀବଂଧୁ_କରଙ୍କ_ବିୟୋଗ         ଭୁବନେଶ୍ୱର  :  ଓଡ଼ିଶାର ବରିଷ୍ଠ ଶ୍ରମିକ ନେତା, ଆଗଧାଡିର ଜଣେ ସାହିତ୍ୟିକ ଏବଂ କମ୍ୟୁନିଷ୍ଟ ନେତା ଡଃ ସୌରୀବଂଧୁକରଙ୍କର ଗତକାଲି ରାତି ୧୦ଟା ବେଳେ ଭୁବନେଶ୍ୱରସ୍ଥିତ କିମ୍ସ ହସପିଟାଲରେ ବିୟୋଗ ଘଟିଛି । ଗତ ପିଛିଦିନ ଧରି ସେ ଉଦର ରୋଗରେ ପୀଡ଼ିତ ଥିଲେ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୯ ତାରିଖ ଦିନ ହସ୍ପିଟାଲରେ ଭର୍ତିିର୍ ହୋଇ ଡାକ୍ଟର ସୁଦ୍ରତ ଆଚାର୍ଯ୍ୟଙ୍କ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ତାଙ୍କର ତିନିପୁଅ ମଧ୍ୟରୁ ବଡ଼ପୁଅ ସୌଭାଗ୍ୟ ଦିଲ୍ଲୀଠାରେ ଭାରତୀୟ ସୂଚନା ସେବା ଅଧିକାରୀ ଭାବରେ କାର୍ଯ୍ୟରତ, ଦ୍ୱିତୀୟ ପୁଅ ସିଦ୍ଧାର୍ଥ ଭୁବନେଶ୍ୱର ବାରରେ ଜଣେ ଓକିଲ ଭାବରେ ଏବଂ ଝିଅ ସୁପ୍ରିୟା ଜଣେ ଅନୁବାଦିକା ଭାବରେ କର୍ମରତ ଅଛନ୍ତି ।
ଡଃ କର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଖଣ୍ଡିତର ଗ୍ରାମରେ ୧୯୪୮ ଅପ୍ରେଲ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତର ଶିକ୍ଷାଲାଭ କରି କାନାରା ବ୍ୟାଙ୍କରେ ଯୋଗଦେଇଥିଲେ । ସେ କାନାରା ବ୍ୟାଙ୍କ କର୍ମଚାରୀ ସଂଘର ରାଜ୍ୟ ସଭାପତି ଏବଂ ଏହାର ସର୍ବଭାରତୀୟ ଉପସଭାପତି ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ । ଶ୍ରମିକ-କର୍ମଚାରୀ ସ୍ୱାର୍ଥ ପାଇଁ ସଂଗ୍ରାମ ପଥରେ ସେ ଅଖିଳ ଭାରତ ବ୍ୟାଙ୍କ କର୍ମଚାରୀ ସଂଘର ଓଡିଶାର ରାଜ୍ୟ ସଭାପତି ଏବଂ ଏଆଇଟିୟୁସିର ଜାତୀୟ ଉପସଭାପତି ଭାବରେ ନେତୃତ୍ୱକାରୀ ଭୂମିକାକୁ ଉନ୍ନୀତ ହୋଇଥିଲେ । ଦୀର୍ଘ ଦୁଇ ଦଶନ୍ଧିଧରି ସେ ବିଭିନ୍ନ ଶ୍ରମିକ-କର୍ମଚାରୀ ଆନ୍ଦୋଳନର ନେତୃତ୍ୱ ନେଇ ଏଆଇଟିୟୁସିର ରାଜ୍ୟ ସାଧାରଣ ସଂପାଦକ ଭାବରେ ନିର୍ବାଚିତ ହୋଇ ସାରା ରାଜ୍ୟରେ ଏହାର ସଂଗଠନ ଗଢ଼ିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେ ସଂଗଠିତ ଶ୍ରମିକ ଏବଂ ଅସଂଗଠିତ ଶ୍ରମିକ କର୍ମଚାରୀମାନଙ୍କର ସ୍ୱାର୍ଥରକ୍ଷା ନିମନ୍ତେ ଉତ୍ସର୍ଗୀକୃତଭାବରେ କାର୍ଯ୍ୟକରିବା ହେତୁ ରାଜ୍ୟ ସରକାର ତାଙ୍କୁ ଶ୍ରମ କର୍ମଣ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଛନ୍ତି । ଶ୍ରମିକ, ବ୍ୟାଙ୍କ କର୍ମଚାରୀଠାରୁ ଆରମ୍ଭକରି ଶିଶୁ ଶ୍ରମିକଙ୍କୁ ଶୋଷଣମୁକ୍ତ କରିବା ପାଇଁ ଲଢ଼େଇ ଏବଂ ସାଲିସବିହୀନ ସଂଗ୍ରାମରେ ବିଶ୍ୱାସକରି ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଓଡ଼ିଶାରେ ଏହାର ଜଣେ ଆଗଧାଡିର ନେତାଭାବରେ ପରିଚିତ ହୋଇଥିଲେ । ସିପିଆଇର ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ଏବଂ ଜାତୀୟ ପରିଷଦର ସଭ୍ୟ ଭାବରେ ନିର୍ବାଚିତ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲେ । ତାଙ୍କର ବିୟୋଗରେ ସିପିଆଇ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଭଗବତୀ ଭବନ ଉପରେ ଲାଲ ପତାକାକୁ ଅର୍ଦ୍ଧ ନମୀତ କରାଯାଇ ୩ଦିନ ଧରି ଶୋକପାଳନ କରାଯାଉଛି ।

ଡଃ କର ଓଡ଼ିଶାର ଜଣେ ଜଣାଶୁଣା ଲେଖକ, ସାହିତ୍ୟିକ ଏବଂ ସ୍ତମ୍ବକାର ଭାବରେ ପରିଚିତ ଥିଲେ । ସେ ଅନେକ ପୁସ୍ତକ ମଧ୍ୟ ରଚନା କରି ସମ୍ମାନୀତ ହୋଇଛନ୍ତି । ତନ୍ମଧ୍ୟରେ ମାନବତାର ମହାନ ତୀର୍ଥ, ପରମହଂସ ରାମକୃଷ୍ଣ, ରାଷ୍ଟ୍ରନିର୍ମାତା ନେହରୁ ପ୍ରଭୃତି ପୁସ୍ତକ ସାଙ୍ଗକୁ ନିଷ୍ପ୍ରଭ ଏକଲବ୍ୟ, ନରୋତମ ଷଡ଼ଙ୍ଗୀର ଡାଏରୀ ପ୍ରମୁଖ କଥାସଂଗ୍ରହ ଏବଂ ଶିଶୁ ସାହିତ୍ୟ ମ୍ମରେ ଦେଶପ୍ରେମୀ ବିବେକାନନ୍ଦ ଓ ବାବାସାହେବ ଆମ୍ବେଦକର ବେଶ ଆଦର ଲାଭ କରିଛି । ତାଙ୍କର ଉପନ୍ୟାସ ‘ପ୍ରତିଧ୍ୱନୀ’ ଏବଂ ‘ଇଛମାର ପୁତ୍ର’ ପ୍ରଭୃତି ସାହିତ୍ୟ ରଚନା କରି ସେ ସାହିତ୍ୟାନୁରାଗୀ ମାନଙ୍କ ମଧ୍ୟରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ । ନୂତନ ଲେଖକମାନଙ୍କ ପୁସ୍ତକ ପ୍ରକାଶନକୁ ପ୍ରୋତ୍ସାହନ ଦେବା ପାଇଁ ତାଙ୍କର ସହଯୋଗରେ ଭୁବନେଶ୍ୱରରେ ଗଢ଼ିଉଠିଥିଲା ଲେଖକ ସମବାୟ ପ୍ରକାଶନୀ ସଂଘ । ତାଙ୍କର “ମାନବତାର ମହାନ ତୀର୍ଥ” ଭ୍ରମଣକାହାଣୀ ସମ୍ମିଳିତ ସାହିତ୍ୟକୃତି ପାଇଁ ୨୦୧୨ରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା । ସେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା କରି ପିଏଚଡ଼ି ଲାଭକରିଥିଲେ । ବିଭିନ୍ନ ସମ୍ବାଦପତ୍ରରେ ସାମାଜିକ-ଆର୍ଥିକ ସମସ୍ୟା ଉପରେ ତାଙ୍କର ନିୟମିତ ଲେଖା ପ୍ରକାଶ ପାଉଥିଲା ।
ଡଃ ସୌରୀବଂଧୁ କରଙ୍କ ବଡ଼ପୁଅ ସୌଭାଗ୍ୟ ଦିଲ୍ଲୀରୁ ବାହାରି ୧୫ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ପହଞ୍ôଚବେ । ୧୫ ତାରିଖଦିନ ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନ ଏବଂ ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ଶେଷ ଦର୍ଶନ ପାଇଁ ତାଙ୍କର ପାର୍ଥୀବ ଶରୀରକୁ ଅଣାଯିବା ପରେ ତାଙ୍କର ଶେଷକୃତ୍ୟ ସମାପନ ହେବ ବୋଲି ଜଣାଯାଇଛି ।
ମୃତ୍ୟୁ ସଂବାଦ ପାଇ ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ଏବଂ ଏଆଇଟିୟୁସି ସାଧାରଣ ସମ୍ପାଦିକା ଅମରଜୀତ୍ କାଉର ଗଭୀର ଶୋକ ପ୍ରକାଶ ପୂର୍ବକ ତାଙ୍କର ବିୟୋଗ ଶ୍ରମିକ ଶ୍ରେଣୀ ଆନ୍ଦୋଳନ ପାଇଁ ଏକ ବଡ଼ଧରଣର କ୍ଷତି ବୋଲି କହିଛନ୍ତି । ସେହିପରି ସିପିଆଇ ର ପୂର୍ବତନ ସାଧାରଣ ସମ୍ପାଦକ ଏସ୍ ସୁଧାକର ରେଡ୍ଡୀ, ଜାତୀୟ ସମ୍ପାଦକ ଭାଲଚନ୍ଦ୍ର କାଙ୍ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ, ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସଭାପତି ଅଶୋକ ଦାଶ, ଉପସଭାପତି ପ୍ରଶାନ୍ତ ପାଟ୍ଟଯୋଷୀ ଏବଂ ରାଜ୍ୟ ସହକାରୀ ସାଧାରଣ ସମ୍ପାଦକ ବିଜୟ ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗ ଏବଂ ପାର୍ଟି ତଥା ଏଆଇଟିୟୁସି ସଭ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି