ଯାଜପୁରର ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଯାଜପୁରର ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ଯାଜପୁରର_ଆଉ_ଜଣେ_କରୋନା_ପଜିଟିଭ୍_ଚିହ୍ନଟ          ଯାଜପୁର  : ( ବିଶ୍ବଜିତ ରଣା )      ଯାଜପୁରରେ ପୁନର୍ବାର ଏକ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି । ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ରଞ୍ଜନ କୁମାର ଦାସ ମଙ୍ଗଳବାର ପୂର୍ବାହ୍ନରେ ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ପଜିଟିଭ ବ୍ୟକ୍ତି ଜଣକ ଯାଜପୁର ବ୍ଲକ ଯାଫରପୁର ପଞ୍ଚାୟତର ସାନ ତ୍ରିଲୋଚନପୁର ଗ୍ରାମର ବାସିନ୍ଦା କୋଲକତାରୁ ମାର୍ଚ୍ଚ ୨୮ ରାତି ଓ ୨୯ ତାରିଖ ଭୋରରୁ ପାଣିକୋଇଲିରେ ଏକ ଟାଟା ମ୍ୟାଜିକ ଗାଡ଼ିରେ ପହଞ୍ଚିଥିଲେ ବୋଲି ଜଣାଯାଇଛି । ସେଠାରୁ ଏକ ମାଛ ବୋଝେଇ ଗାଡି଼ରେ ଟାଉନକୁ ଆସି ଚିକିତ୍ସା ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ମୁଖ୍ୟଚିକିତ୍ସାଳୟରେ ସେ ମାର୍ଚ୍ଚ ୨୯ ତାରିଖ ସକାଳ ୭.୩୦ ମି. ସମୟରେ ଧାଡି଼ରେ ରହି ନାମ ପଞ୍ଜିକୃତ କରାଇଥିଲେ ।

ପରେ ନିଜ ଗ୍ରାମକୁ ଯାଇ ସେବେଠାରୁ ହୋମ କ୍ୱାରେନଟାଇନରେ ରହିଥିଲେ । ଥଣ୍ଡାକାଶ ଇତ୍ୟାଦି କାରଣରୁ ତାଙ୍କର ଅପ୍ରେଲ ୧୦ ତାରିଖରେ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ଯାହା ୧୩ ତାରିଖ ରାତିରେ ପଜିଟିଭ ଆସିଥିଲା । ପଜିଟିଭ ଆସିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହୋମକ୍ୱାରେନଟାଇନରେ ରଖାଯାଇ ଥିବାବେଳେ ପଜିଟିଭ ବ୍ୟକ୍ତିଙ୍କୁ କଟକସ୍ଥିତ ଅଶ୍ୱିନୀ ହସପିଟାଲକୁ ପ୍ରେରଣ କରାଯାଇଛି ।

କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଗ୍ରାମ ସାନ ତ୍ରିଲୋଚନପୁର ସହ ସଇପୁର-୩ କୁ ୧୪ ତାରିଖ ଦିବା ୧୨ଟା ରୁ ଚଳିତମାସ ୨୧ତାରିଖ ଦିବା ୧୨ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା ଓ ସଂପୃକ୍ତ ରୋଗୀକୁ ଅଶ୍ୱିନୀ ହସପିଟାଲ ପଠାଯିବା ପରେ ସଂପୃକ୍ତ ଗୃହ ଓ ଅଞ୍ଚଳକୁ ବିଶୋଧିତ କରାଯାଇଛି । ସେହି ଅଞ୍ଚଳକୁ ଏହି ସମୟ ମଧ୍ୟରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ପାଇଁ ବିଡି଼ଓ, ଯାଜପୁର, ସ୍ୱାସ୍ଥ୍ୟସେବା ପାଇଁ ମାର୍କଣ୍ଡପୁର ସ୍ୱାସ୍ଥ୍ୟଧିକାରୀ ଡା. ଆଲୋକନାଥ ସାମଲକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯାଜପୁର ତହସିଲଦାର ସଂପୃକ୍ତ ଅଂଚଳକୁ ବିଶୋଧନ କରାଇବା ଓ ପୋଲିସ ସହ ମିଶି ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିର୍ଦ୍ଧେଶ ଦିଆଯାଇଛି ।

ଯେହେତୁ ସଂପୃକ୍ତ ବ୍ୟକ୍ତି ମାର୍ଚ୍ଚ ୨୯ ତାରିଖ ସକାଳ ୭.୩୦ମି. ଘଟିକାରେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣାଯାଇଛି ତେଣୁ ଏହି ସମୟ ମଧ୍ୟରେ ତ ଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ସହ ନିଜକୁ ନିଜେ କ୍ୱାରେନଟାଇନରେ ରଖିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ ସାମାଜିକ ଦ୍ୱରତ୍ୱକୁ ବଜାୟ ରଖିବା ଓ ନିଜ ଘରେ ରହି ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।