ଚିକେନ୍ କାଉଣ୍ଟରରୁ ମଦ ଜବତ, ଷ୍ଟୁଡିଓ ମାଲିକ ଓ ଜଳଖିଆ ଦୋକାନୀ ଗିରଫ

ଚିକେନ୍ କାଉଣ୍ଟରରୁ ମଦ ଜବତ, ଷ୍ଟୁଡିଓ ମାଲିକ ଓ ଜଳଖିଆ ଦୋକାନୀ ଗିରଫ

ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

#ଚିକେନ୍_କାଉଣ୍ଟରରୁ_ମଦ_ଜବତ     ପିପିଲି : (ବିଜୟ କୁମାର ମହାପାତ୍ର) ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା (କୋଭିଡ୍‌-୧୯) ସଂକ୍ରମଣକୁ ରୋକିବା ଲାଗି ସରକାର ସମଗ୍ର ଦେଶକୁ  ଲକ୍‌ଡାଉନ ଘୋଷଣା କରିଥିବା ବେଳେ ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିବା ଅଭିଯୋଗରେ ପିପିଲି ପୁଲିସ ଜଣେ ଜଳଖିଆ ଦୋକାନୀ ଓ ଅନ୍ୟଜଣେ ଫଟୋ ଷ୍ଟୁଡିଓ ମାଲିକଙ୍କୁ ବୁଧବାର ଗିରଫ କରିଛି । ଗିରଫ ଦ୍ୱୟ ହେଲେ କଣ୍ଟି ବଜାରରେ ଫଟୋ ଷ୍ଟୁଡିଓ କରିଥିବା ସୁଶାନ୍ତ ପ୍ରଧାନ ଓ ସେହି ବଜାରରେ ଜଳଖିଆ ଦୋକାନ କରିଥିବା କମଳେଶ ବଳିଆରସିଂ ।

ତହସିଲଦାରଙ୍କ ରିପୋର୍ଟ ଉପରେ ଉଭୟଙ୍କ ବିରୋଧରେ ଆଇପିସିର ଧାରା ୨୬୯, ୨୭୦ ଓ ୧୮୮ ଧାରାରେ ପୁଲିସରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି । କଣ୍ଟି ବଜାରରେ ଲକ୍‌ଡାଉନକୁ ଅମାନ୍ୟ କରାଯାଉଥିବା ଅଭିଯୋଗ ପାଇ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ ଓ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ପ୍ରମୁଖ ସେଠାରେ ଚଢାଉ କରି ଉଭୟଙ୍କୁ ଗିରଫ କରିବା ସହ ଖୋଲାଥିବା ଷ୍ଟୁଡିଓ ଓ ଜଳଖିଆ ଦୋକାନକୁ ସିଲ୍ କରି ଦେଇଥିଲେ । ସେହିପରି ଗୁଡିଆପୋଖରୀ ବଜାରରେ ଥିବା ରବି ଚିକେନ କାଉଣ୍ଟର ଉପରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍‌ଆଇ ସଂଘମିତ୍ରା ଚାନ୍ଦ ପ୍ରମୁଖ ଅଚାନକ ଚଢାଉ କରି ସେଠାରୁ ୯୭ଟି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲ ଜବତ କରିଥିଲେ । ଚଢାଉ ସମୟରେ ଦୋକାନର ମାଲିକ ଫେରାର୍ ହୋଇଯାଇଥିବା ବେଳେ ତାକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।