କୋଭିଡ଼-୧୯ ମାର୍ଗଦର୍ଶିକାକୁ ଅଣଦେଖା

କୋଭିଡ଼-୧୯ ମାର୍ଗଦର୍ଶିକାକୁ ଅଣଦେଖା

ଓଡିଶା ଜିଲ୍ଲା ମୟୂରଭଞ୍ଜ

#କୋଭିଡ଼-୧୯_ମାର୍ଗଦର୍ଶିକାକୁ_ଅଣଦେଖା        ବାରିପଦା    :  ଅନେକ ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ(ବ୍ଲଡ଼ ଟ୍ରାନ୍ସଫ୍ୟୁଜନ କାଉନସିଲ) ପକ୍ଷରୁ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜକୁ ଆସି ପଡ଼ି ରହିଥିବା ସ୍ୱତନ୍ତ୍ର ଭ୍ରାମ୍ୟମାଣ ଯାନ ଆଜି କାମରେ ଆସିଛି । କୋଭିଡ଼-୧୯ର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଘୋଷଣା ହେବା ଫଳରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ବନ୍ଦ ରହିଛି । ଏହା ଦ୍ୱାରା ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ ରୋଗୀମାନଙ୍କ ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି । ଉକ୍ତ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ରେଡ଼କ୍ରସ ସଂସ୍ଥା ଓ ବାରିପଦା ପିଆରଏମ୍ ସିଏଚ୍ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଲୋକାର୍ପିତ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୨୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ  ଉଦଘାଟନ କରିଥିଲେ । ଉକ୍ତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଓ ବିବେକାନନ୍ଦ ସାହୁ, ଆଇଏଏସ୍ ପ୍ରବେଶନର ଭୁବନେଶ ଦେବୀ ଦାସ ପାଟିଲ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଡ଼େପୁଟୀ କଲେକ୍ଟର ସୁମନ୍ତ କର ପ୍ରମୁଖଙ୍କ ସମେତ ଅନ୍ୟ ପଦାଧିକାରୀ , କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀ ସ୍ୱେଚ୍ଛାଜୃତ ଭାବେ ରକ୍ତ ଦାନ କରିଥିବା ବେଳେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ପ୍ରଥମେ ରକ୍ତଦାନ କରିଥିଲେ ।

ଏହି ସ୍ୱତନ୍ତ୍ର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଲୋକାର୍ପଣ ସମାରୋହରେ ମୟୂରଭଞ୍ଜରେ କରୋନା ଭୂତାଣୁ କୋଭିଡ଼-୧୯ ମୁକାବିଲା ନିମନ୍ତେ ଜାରି କରାଯାଇଥିବା ମାର୍ଗଦର୍ଶୀକାର ପରସ୍ପର ମଧ୍ୟରେ ସାମାଜିକ ଦୂରତା ୨ ମିଟର ବ୍ୟବଧାନକୁ ପାଳନ କରାଯାଇନଥିବାର ପରିଲକ୍ଷିତ ହୋଇଥିଲା । ମନ୍ତ୍ରୀ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀ ଅଧିକାରୀ ଏବଂ ଅନ୍ୟାନ୍ୟ ସରକାରୀ ପଦାଧିକାରୀ, କର୍ମଚାରୀ, ଜନସାଧାରଣ ଭିଡ଼ାଭିଡ଼ି ଅବସ୍ଥାରେ ରହିଥିବାର ଦେଖିବାକୁ ମିଳିଥିଲା । ଖୋଦ ମାର୍ଗଦର୍ଶୀକା ଜାରି କରିଥିବା ପ୍ରଶାସନିକ ଅଧିକାରୀ ଯଦି ଏହାକୁ ଭଙ୍ଗ କରନ୍ତି ତେବେ ସାଧାରଣ ଜନତାଙ୍କ ନାମରେ ମାମଲା ରୁଜୁ କରାଯିବା ଉପରକୁ ସାଧାରଣ ଜନତା ଅଙ୍ଗୁଳି ଉଠାଇଛନ୍ତି ।