ଇଂଜିନିୟରଙ୍କ ମହାନତା : ୪୦ଲକ୍ଷ ଟଙ୍କାର ଜମି କିଣିଲେ , ୨୩ଜଣ ଭୂମିହୀନ ଗରିବ ଆଦିବାସୀଙ୍କ ପାଇଁଙ୍କୁ ବାଣ୍ଟିଦେଲେ

ଓଡିଶା ଜଗତସିହଂପୁର ଜିଲ୍ଲା ବଡ ଖବର ବିଶେଷ ରାଜ୍ୟ

ଜଗତସିଂହପୁର : ( ମହେଶ୍ବର ତ୍ରିପାଠୀ ) ପେଶାରେ ଇଞ୍ଜିନିୟର ହେଲେ ନିଶା ସମାଜର ଗରିବ ଗୁରୁବାଙ୍କ ସେବା । ଏଭଳି ମହାନତା ପାଇଁ ଏବେ ଜଗତସିଂହପୁର ବ୍ଲକ ଖେରାସ ଅ‌ଞ୍ଚଳର ଇଞ୍ଜିନିୟର ପ୍ରୀତିରଞ୍ଜନ ମହାରଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଜମି ପାଇଁ ବାପ–ପୁଅ ଓ ଭାଇ ଭାଇ ମଧ୍ୟରେ ଲଢେ଼ଇ ହେଉଛି। ରକ୍ତାକ୍ତ ସଂଘର୍ଷ ଘଟୁଛି। ମାମଲା କୋର୍ଟ କଚେରିରେ ଗଡୁଛି। କିନ୍ତୁ ପ୍ରୀତିରଞ୍ଜନ ଜମି କିଣି ଗରିବ ଆଦିବାସୀ ଭୂମିହୀନଙ୍କୁ ବାଣ୍ଟି ନିଜର ମହାନତା ଦେଖାଇବା ସହ ସମାଜ ପାଇଁ ଦିଗଦର୍ଶକ ପାଲଟିଛନ୍ତି। ୨୫ ଆଦିବାସୀ ପରିବାରଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସେ ନିଜ ପକେଟରୁ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଖର୍ଚ୍ଚ କରି ୨୭ ଡିସିମିଲ ଜମି କିଣି ୨୩ଜଣ ଭୂମିହୀନ ଗରିବ ଆଦିବାସୀଙ୍କୁ ବାଣ୍ଟି ଦେଇଛନ୍ତି।

୫୫ବର୍ଷୀୟ ପ୍ରୀତିରଞ୍ଜନ କଟକରେ ରହୁଥିବା ବେଳେ ନିଜ ବୃତ୍ତିରେ ବ୍ୟସ୍ତ ରହି ଗାଁକୁ ଆସି ପାରୁ ନଥିଲେ। ବାପା ଭୋଳାନାଥ ମହାରଣା ଜଣେ ଲୋକପ୍ରିୟ ଶିକ୍ଷକ ଥିଲେ। ତାଙ୍କର ପରଲୋକ ପରେ ଗାଁରେ ରହୁଥିବା ମା’ଙ୍କୁ ଦେଖାକରିବା ପାଇଁ ପ୍ରୀତିରଞ୍ଜନ ବେଳେ ବେଳେ ଗାଁକୁ ଆସନ୍ତି। ଚାରିପାଞ୍ଚ‌ ବର୍ଷ ତଳେ ଏମିତି ଗାଁକୁ ବୁଲିବାକୁ ଆସି କିଛି ଦିନ ସେ ଘରେ ରହିଥିଲେ। ସକାଳେ ଗାଁରେ ବୁଲିବା ସମୟରେ ଭୂମିହୀନ ଆଦିବାସୀ ପରିବାରର ଜଣେ ଯୁବକ ତାଙ୍କର ଦେଖା ହୋଇଥିଲେ। ଯୁବକ ଜଣକ ଭୂମିହୀନ ଏବଂ ଘର କରିବା ପାଇଁ ସରକାର ଖଣ୍ତିଏ ଜାଗା ଦେଉ ନଥିବା ସେ ଜାଣିବାକୁ ପାଇଥିଲେ। ପ୍ରୀତିରଞ୍ଜନ ତାଙ୍କୁ ଜାଗା କିଣି ଦେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ଜମି ଖୋଜିବା ପାଇଁ ଏହି ଆଦିବାସୀ ପରିବାରକୁ ବର୍ଷେରୁ ଅଧିକ ସମୟ ଲାଗି ଯାଇଥିଲା। ପରେ ପାଟେଣି ଗାଁ ତ୍ରିନାଥ ମନ୍ଦିର ନିକଟରେ  ୨୭ ଡିସିମିଲ ଜାଗା କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଜମି କିଣିବା ପାଇଁ ପ୍ରୀତିରଞ୍ଜନ ରାଜି ହୋଇଯିବା ପରେ ଜଣେ ଯୁବକଙ୍କୁ କବଲା ପତ୍ର ତିଆରି କରିବା ଦାୟିତ୍ବ ଦେଇଥିଲେ। ମାତ୍ର ଯୁବକ ଜଣକ ମଧ୍ୟ ତାଙ୍କୁ ଠକିବାରୁ ଜମି ଏହି ଆଦିବାସୀଙ୍କ ପରିବାରକୁ ଆସିବାରେ ବିଳିମ୍ବ ହେଲା।

ପରେ ନିଜେ ପ୍ରୀତିରଞ୍ଜନ ଜଗତସିଂହପୁରରେ ରହ‌ି ଏ ସମସ୍ତ କାର୍ଯ୍ୟ ଶେଷ କରିଥିଲେ। ଜମି କିଣିବା ପରେ ଆଦିବାସୀ ପରିବାରଙ୍କ ନାଁରେ କବଲା କରିଥିଲେ। ଭୂମିହୀନ ରେବତୀ ଦେଇ, ବାଲମା ମୁଣ୍ତା, ଶୁକରାମ ସିଂ, ମଧୁ ନାୟକ, ଲେମ୍ବ ହେମ୍ବ୍ରମ, ଲୁସା ଟୁଡୁ, ଜଗନ୍ନାଥ ଦାସ, ଲୁଡୁ ସିରିକା, ମକରା ସିରିକା, ରୀତା ପୂର୍ତ୍ତି, ଗୋବିନ୍ଦ ଚନ୍ଦ୍ର ଚାମ୍ପିଆ, ଅର୍ଜୁନ ଚାମ୍ପିଆ, ବାପିନା ଚାମ୍ପିଆ, ରାମ ସିଂ ମୁଣ୍ତା, ବଚନ ନାୟକ, କୃଷ୍ଣ ନାୟକ, ଲେମ୍ବ ହେମ୍ବ୍ରମ, ଗୋଲାପ ସିଂ, ପପ ମୁଣ୍ତା, ସାବିତ୍ରୀ ମୁଣ୍ତା, ପଦ୍ମିନୀ ନାୟକ ଓ ସାଗର ଚାମ୍ପିଆ ପ୍ରମୁଖ ୨୩ଜଣଙ୍କ ନାମରେ ପ୍ରୀତିରଞ୍ଜନ ଜମି ଲେଖି ଦେଇଛନ୍ତି। ପ୍ରୀତିରଞ୍ଜନ କୁହନ୍ତି ଯେ, ଭଗବାନଙ୍କ କୃପାରୁ ତାଙ୍କ ପରିବାର ଭଲରେ ଅଛି। ଘର ନିକଟରେ ରହୁଥିବା ଅନ୍ୟମାନଙ୍କ ମୁହଁରେ ଟିକିଏ ହସ ଦେବା ପାଇଁ ଏମିତି କାର୍ଯ୍ୟ କରିଛି। ସମସ୍ତଙ୍କ ନାଁରେ କବଲା କରିସାରିଛି। ଏମିତିକି ଯେହେତୁ ସେମାନେ ଆଦିବାସୀ ଓ ଅଧିକାଂଶ ନିରକ୍ଷର ସେଥିପାଇଁ ଜମିରେ କାହାର କେଉଁ ଜାଗା ତାକୁ ଭଲ ଭାବେ ଚିହ୍ନଟ କରାଇ ଦେଇଛି। ସେହି ଜାଗା ଉପରେ କେମିତି ଏହି ଆଦିବାସୀ ପରିବାର ଘର ଖଣ୍ତିଏ କରିବାକୁ ସକ୍ଷମ ହେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ବୋଲି ସେ ନିବେଦନ କରିଛନ୍ତି।