ଆସନ୍ତା ୪ରୁ ୬ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଆସନ୍ତା ୪ରୁ ୬ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଓଡିଶା ବଡ ଖବର

#ଆସନ୍ତା_୪ରୁ_୬_ସପ୍ତାହ_ଅତ୍ୟନ୍ତ_ଗୁରୁତ୍ୱପୂର୍ଣ୍ଣ        ଭୁବନେଶ୍ୱର     :    ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ ମହାମାରୀ ବିରୋଧରେ ରାଜ୍ୟରେ ଚାଲିଥିବା ଲଢ଼େଇରେ ଆଗାମୀ ୪ରୁ ୬ ସପ୍ତାହ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ରାଜ୍ୟବାସୀ ଯଦି ସତର୍କ ଓ ସଚେତନ ରହିବା ସହ ସଂଯମତା ବଜାୟ ରଖିବେ ତେବେ ନିଶ୍ଚିତ ରୂପେ ଜିତିବ ଓଡ଼ିଶା ଓ କରୋନା ହାରିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ।

ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଜୀବନ ସହ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସରକାର ଲକ୍ଡାଉନ୍ ନିୟମକୁ କୋହଳ କରିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ତେବେ, ରାଜ୍ୟବାସୀ ଏହାକୁ ନେଇ ଭୟଭୀତ କିମ୍ବା ଆତଙ୍କିତ ହେବାର କୌଣସି କାରଣ ନାହିଁ । କାରଣ, ରାଜ୍ୟ ସରକାର ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ଦେଶର ସର୍ବମାନ୍ୟ ସଂସ୍ଥା ଆଇସିଏମ୍ଆର ର ମାର୍ଗଦର୍ଶନ ଅନୁଯାୟୀ ହିଁ ରାଜ୍ୟରେ କରୋନାର ପରୀକ୍ଷଣ ଚାଲିଛି । ପରୀକ୍ଷଣର ଆବଶ୍ୟକତା ରଖୁଥିବା ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କର ସରକାର କରୋନା ନମୁନାର ପରୀକ୍ଷା କରୁଛନ୍ତି । ତେଣୁ, ପରୀକ୍ଷଣ ପାଇଁ କେହି ବ୍ୟସ୍ତ, ବିବ୍ରତ ଓ ଉଦ୍ବିଗ୍ନ ହେବାର କୌଣସି କାରଣ ନାହିଁ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ଶ୍ରୀମତୀ ପଣ୍ଡିତ ।