ବିଜେଡି ବିଧାୟକ ଦଳ ବୈଠକ: ଓବିସି ଗଣନା ପାଇଁ ଗୃହରେ ଆସିବ ପ୍ରସ୍ତାବ

ଓଡିଶା ବଡ ଖବର

ଭୁବନେଶ୍ୱର :  ବିଧାନସଭାର ବଜେଟ ଅଧିବେଶନ ପାଇଁ ଶାସକ ବିଜେଡି ଆଜି ନିଜର ରଣନୀତି ଚୂଡ଼ାନ୍ତ କରିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ରାଜ୍ୟରେ ଓବିସି ଗଣନା ପାଇଁ ବିଧାନସଭାରେ ଶାସକ ଦଳ ପକ୍ଷରୁ ଏକ ବିଧିବଦ୍ଧ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି। ଏହାସହିତ ପୁଣିଥରେ କେନ୍ଦ୍ରୀୟ ଅବହେଳାକୁ ମଧ୍ୟ ଶାସକ ବିଜେଡି ଗୃହରେ ପ୍ରସଙ୍ଗ କରିବ ବୋଲି ସଙ୍କେତ ଦେଇଛି। କେନ୍ଦ୍ର ସରକାର କ୍ଲିନ୍ ଏନର୍ଜି ସେସ୍ ବାବଦରେ ବର୍ଷକୁ ପ୍ରାୟ ୬୦ହଜାର କୋଟି ଟଙ୍କା ପାଉଥିଲେ ମଧ୍ୟ ଓଡ଼ିଶାକୁ ସେଥିରୁ କିଛି ମିଳୁନଥିବା ଓ କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ମଧ୍ୟ ବିଜେଡି ଗୃହରେ ଉଠାଇବ।

ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାୟକମାନଙ୍କୁ ରାଜ୍ୟରେ ସାମଗ୍ରିକ ବିକାଶ ପାଇଁ ଓବିସି ଗଣନା ଜରୁରୀ ଥିବା ଓ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିବା କଥା ଉଠାଇଥିଲେ। ସେହିପରି ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ରାଜ୍ୟ ସରକାରଙ୍କ ଦ୍ୱାରା ସଂଖ୍ୟାଲଘୁ ଧର୍ମାନୁଷ୍ଠାନକୁ ୧୬କୋଟି ଟଙ୍କାର ପ୍ୟାକେଜ୍ , ବରିଷ୍ଠ ବିଧାୟକ ପ୍ରଦୀପ ମହାରଥୀ ବିଜୁ ପକ୍କାଘର ବଣ୍ଟନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଗୃହରେ ଚଳିତଥର କେତେକ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏପର୍ଯ୍ୟନ୍ତ କେଉଁ ବିଲ୍ ଆସିବ ନେଇ କୌଣସି ଚୂଡ଼ାନ୍ତ ହୋଇନି। ବିରୋଧୀ ଦଳ ଗୃହରେ ଯେଉଁସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହିଁବ ସରକାର ସେସବୁ ପାଇଁ ପ୍ରସ୍ତୁତ ଅଛନ୍ତି।
ସୂଚନାଯୋଗ୍ୟ, ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ ଓ ୧୮ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।