ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୟରେ ୨ଘଣ୍ଟା ବୃଦ୍ଧି : ଜିଲ୍ଲାପାଳ

ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୟରେ ୨ଘଣ୍ଟା ବୃଦ୍ଧି : ଜିଲ୍ଲାପାଳ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ଅତ୍ୟାବଶ୍ୟକୀୟ_ସାମଗ୍ରୀ_ବିକ୍ରୟରେ_୨_ଘଣ୍ଟା_ବୃଦ୍ଧି     ଯାଜପୁର  :   ( ବିଶ୍ବଜିତ ରଣା )  କରୋନା ଭୟାବହତା ପାଇଁ ସାମାଜିକ ଦୂରତା ସୃଷ୍ଟି ଉଦେଶ୍ୟରେ ସମଗ୍ର ଦେଶରେ ଲକଡାଉନ ବ୍ୟବସ୍ଥା ଜାରି କରାଯାଇଛି । ଏହି ଦୃଷ୍ଟିରୁ ଯାଜପୁର ଜିଲ୍ଲାରେ ଏହି ଲକ ଡାଉନକୁ କଡ଼ାକଡ଼ି ଭାବେପାଳନ କରିବାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି । ଲୋକମାନଙ୍କ ସୁବିଧା ପାଇଁ ଓ ସାମାଜିକ ଦୂରତାକୁ ଅଧିକ କଡ଼ାକଡ଼ିି ପାଳନ ପାଇଁ ବୁଧବାର ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ବିକ୍ରୟ ପାଇଁ ସକାଳ ୭ଘଟିକାରୁ ୯ଘଟିକା ଓ ଅପରାହ୍ନ ୩ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଲୋକମାନଙ୍କ ଅନୁରୋଧକୁ ବିଚାରକୁ ନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସକାଳର ଏହି ସମୟ ସୀମାକୁ ଗୁରୁବାର ଠାରୁ ସକାଳ ୭ ଘଟିକାରୁ ୧୧ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସକାଳ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଅତ୍ୟାବଶକୀୟ ସାମଗ୍ରୀ ଗୁଡି଼କର ହୋଲସେଲର ଗୋଦାମ, ପଶୁପକ୍ଷୀ ଖାଦ୍ୟ ଦୋକାନ, ଚାଷ ଉପଯୋଗୀ ସାର, ପିଡିଆ ଓ କୀଟନାଶକ ଦୋକାନ ଗୁଡି଼କ ଖୋଲା ରହିବ ବୋଲି ଜିଲ୍ଲାପାଳ ଘୋଷଣା ଦେଇଛନ୍ତି । ଅପରପକ୍ଷରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାର ନହୁଏ ଓ ଅଧିକ ଦାମରେ ସାମଗ୍ରୀ ବିକ୍ରୟ ନହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ଯୋଗାଣ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଦୋକାନୀମାନେ ପ୍ରତି ପରିବାରର ଜଣେ ଗ୍ରାହକ ପିଛା ସର୍ବାଧିକ ୨କି.ଗ୍ରା, ଆଳୁ ଓ ଏକ କି.ଗ୍ରା. ପିଆଜ ବିକ୍ରୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହାକୁ କେତେକ ଉଲ୍ଲଂଘନ କରୁଥିବାର ଗଣମାଧ୍ୟମରେ ଦେଖାଯିବା ପରେ ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି ଯେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ବିକ୍ରି ବା କ୍ରୟ ଦଣ୍ଡନୀୟ ବା ଅପରାଧ ଭାବେ ବିବେଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନରେ ନିୟୋଜିତ ଗାଡ଼ି ଗୁଡି଼କର ଡ୍ରାଇଭର ହେଲପରଙ୍କ ଖାଦ୍ୟ ପାଇଁ ଜାତୀୟ ରାଜପଥର ୧୦କି.ମି. ରୁ ୧୫କି.ମି. ଦୂରତା ମଧ୍ୟରେ ଗୋଟିଏ ଗୋଟିଏ ଢାବା ଖୋଲିବାକୁ ଦିଆଯିବ ଓ କେବଳ ପରିବହନ କର୍ମଚାରୀ ଏଥିରେ ଖାଇପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।