ଖାଉଟିଙ୍କୁ କନ୍ଦାଉଥିଲା, ଏବେ ସରକାରଙ୍କୁ କନ୍ଦାଉଛି

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ :   ପିଆଜକୁ ନେଇ ଗତ କିଛିଦିନ ହେଲା ସମଗ୍ରଦେଶରେ ସଂକଟ ଜନକ ପରିସ୍ଥିତି ସୃଷଟି ହୋଇଥିଲା।ଖାଉଟିଙ୍କୁ କନ୍ଦାଉଥିଲା ପିଆଜ। ସମସ୍ୟା ହୃଦୟଙ୍ଗମ କରି ଭାରତ ସରକାର ବିଦେଶ ବଜାରରୁ ପିଆଜ ଆମଦାନୀ ଲାଗି ବାଧ୍ୟ ହୋଇଥିଲେ। ହେଲେ ଏହି ବିଦେଶୀ ପିଆଜ ଲାଗି ଏବେ କେନ୍ଦ୍ରସରକାରଙ୍କ ଆଖିରୁ ପାଣି ଝରିଲାଣି। ଆମଦାନୀ ପିଆଜ କିଣିବା ଲାଗି ରାଜ୍ୟମାନେ ଆଗ୍ରହୀ ହେଉନାହାନ୍ତି। ଏଣୁ ଟନ୍‌ଟନ୍‌ ପିଆଜ ଏବେ କ’ଣ ହେବ ସେ ନେଇ ଭାରତ ସରକାର ମୁଣ୍ଡରେ ହାତଦେଇ ବସିଛନ୍ତି।

Image result for onion crying"

ଗୁରୁତର ସଂକଟର ସମାଧାନ ଲାଗି କେନ୍ଦ୍ର ସରକାର ବିଦେଶରୁ ୪୯ ହଜାର ୫୦୦ ଟନ ପିଆଜ ଅର୍ଡର ଦେଇଥିଲେ। ଏଥିରୁ ଡିସେମ୍ବର ଶେଷ ସପ୍ତାହରେ ପ୍ରଥମ କିସ୍ତିରେ ୭୯୦ ଟନ ପିଆଜ ପହଞ୍ଚିଥିଲା। ଏହା ପରେ ପର୍ଯ୍ୟାୟକ୍ରମେ ପିଆଜ ପହଞ୍ଚିବାରେ ଲାଗିଥିବା ବେଳେ ସେଗୁଡିକୁ କେହି କିଣୁ ନାହାନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଅନୁସାରେ ଭାରତ ସରକାର ପ୍ରତି କ୍ୱିଣ୍ଟଲ ୨୨ଶହ ଟଙ୍କାରେ ପିଆଜ ଦେଉଛନ୍ତି। ଏହା ଛଡା ପରିବହନ ଖର୍ଚ୍ଚ ବି କେନ୍ଦ୍ର ସରକାର ବହନ କରିବାକୁ ରାଜି ଅଛନ୍ତି । ହେଲେ ରାଜ୍ୟ ସରକାରମାନେ ଏଥିପ୍ରତି ଆଗ୍ରହୀ ହେଉ ନଥିବାରୁ ଏବେ ପିଆଜକୁ ନେଇ ସରକାର କଣ କରିବେ ଚିନ୍ତାରେ ପଡିଯାଇଛନ୍ତି।

ଇତିମଧ୍ୟରେ ୧୮ ହଜାର ୫୦୦ ଟନ ପିଆଜ ଆସି ସାରିଲାଣି। ଯାହା ତାହା କରି ୧୬ ହଜାର ୫୦୦ ଟନ ପିଆଜ ଦେଇ ଦିଆଯାଇଥିବା ବେଳେ ୨ ହଜାର ଟନ ପିଆଜ ଏବେବି ଗଦା ହୋଇ ରହିଛି। କେନ୍ଦ୍ର ସରକାର ଉପୁଜିଥିବା ସଂକଟରେ ନୋ ପ୍ରଫିଟ ନୋ ଲସ୍ ନୀତି ଅବଲମ୍ବନ କରିଥିଲେ। ଏଣୁ ସରକାର ପିଆଜ ଆବଶ୍ୟକ କରୁଥିବା ରାଜ୍ୟମାନଙ୍କୁ ନିଜ ପରିବହନ ଖର୍ଚ୍ଚରେ ପିଆଜ ପହଞ୍ଚାଇ ଦେଉଛନ୍ତି। ଏଥିରେ କେବଳ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା , କେରଳ ଓ ପଶ୍ଚିମବଙ୍ଗ ପିଆଜ କିଣିଛନ୍ତି। ଅନ୍ୟ ରାଜ୍ୟମାନେ ପିଆଜ ଅମଳ ଆରମ୍ଭ ହେବାରୁ ସେମାନଙ୍କ ଚାହିଦା ପ୍ରତ୍ୟାହାର କରିଛନ୍ତି।

ଦେଶରେ ପିଆଜର ଆବଶ୍ୟକତା ଓ କଳାବଜାରୀ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ୪୫ ହଜାର ଟନ୍ ପିଆଜ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି। ତେବେ ପିଆଜର ବଫର ଷ୍ଟକ୍ ଲାଗି ଏବେ ସରକାର ଚିନ୍ତା କରୁଥିବା ଜଣାପଡିଛି।