ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କଲା ଆଇଆଇଟି ମାଡ୍ରାସ

ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କଲା ଆଇଆଇଟି ମାଡ୍ରାସ

ଦେଶ -ବିଦେଶ ବଡ ଖବର

#ଇଞ୍ଜିନିୟରିଂ_କ୍ଷେତ୍ରରେ_ପ୍ରଥମ_ସ୍ଥାନ_ହାସଲ_କଲା_ଆଇଆଇଟି_ମାଡ୍ରାସ             ନୂଆଦିଲ୍ଲୀ   :  ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ଦେଶର ୧୦୦ଟି ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ୪ଟି ସଂସ୍ଥା ହେଲେ ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜୀ (ଏନଆଇଟି), ଶିକ୍ଷା ଓ ଅନୁସଂଧାନ ବିଶ୍ୱ ବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର ଓ କିଟ ବିଶ୍ୱ ବିଦ୍ୟାଳୟ ।ଏନଆଇଟି ରାଉରକେଲା ୩୨ତମ ସ୍ଥାନରେ, ଶିକ୍ଷା ଓ ଅନୁସଂଧାନ ବିଶ୍ୱବିଦ୍ୟାଳୟ ୩୮ ତମ ସ୍ଥାନରେ ରହିଛି । ସେହିପରି କିଟ ୪୪ତମ ସ୍ଥାନରେ ଓ ଆଇଆଇଟି ଭୁବନେଶ୍ୱର ୫୬ତମ ସ୍ଥାନରେ ରହିଛି । ତାଲିକାର ଅନ୍ୟ କେତେକ ବର୍ଗରେ ରାଜ୍ୟର ଆଉ କେତେକ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି ।
କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଗୁରବାର ଜାରି ହୋଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଙ୍ଗ ଫ୍ରେମଓ୍ଵାର୍କ (ଏନଆଇଆରଏଫ) ର‍୍ୟାଙ୍କିଙ୍ଗ ତାଲିକାରେ ଆଇଆଇଟି ମାଡ୍ରାସକୁ ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତା ମିଳିଛି । ୨ୟ ସ୍ଥାନରେ ରହିଛି ବାଙ୍ଗାଲୁରୁ ସ୍ଥିତ ଜାତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ) । ତାଲିକାର ୮ମ ସ୍ଥାନରେ ଜେଏନୟୁ ରହିଛି ।କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶାଙ୍କ’ ଆଜି “ଇଣ୍ଡିଆ  ର‍୍ୟାଙ୍କିଙ୍ଗ   ୨୦୨୦”କୁ ଭିଡିଓ କନଫରେନ୍ସ ଜରିଆରେ ଉନ୍ମୋଚନ କରିଛନ୍ତି । ଶିକ୍ଷାଦାନର ବିଭିନ୍ନ ବର୍ଗରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଦର୍ଶନକୁ ଆଧାର କରି ଏହି ର‍୍ୟାଙ୍କିଙ୍ଗପ୍ରସ୍ତୁତ କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ୧୦ଟି ବର୍ଗରେ ପ୍ରସ୍ତୁତ କରାଯାଇଥିବା ଏହି ର‍୍ୟାଙ୍କିଙ୍ଗକୁ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ, ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାକେଶ ରଞ୍ଜନ, ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂ, ଏଆଇସିଟିଇର ଅଧ୍ୟକ୍ଷ ଅନିଲ ସହସ୍ରବୁଦେ୍ଧ, ଏନବିଏ ଅଧ୍ୟକ୍ଷ ପ୍ରଫେସର କେ.କେ. ଅଗ୍ରୱାଲ, ଏନବିଏସ ସଦସ୍ୟ ସଚିବ ଡ. ଅନୀଲ କୁମାର ନାସା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଭିଡିଓ କନଫରେନ୍ସ ଜରିଆରେ ଏହି ଉନ୍ମୋଚନ ସମାରୋହରେ ସାମିଲ ହୋଇଥିଲେ । କ୍ରମାଗତ ପଂଚମ ଥର ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଏହି ର୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି । ପ୍ରଥମ ଥର ଲାଗି ୨୦୨୦ରେ ଦନ୍ତଚିକିତ୍ସା ବିଜ୍ଞାନ ଶିକ୍ଷାନୁଷ୍ଠାନକୁ ଏହି ଏହି ର‍୍ୟାଙ୍କିଙ୍ଗରେ ସାମିଲ କରାଯାଇଛି । ଫଳରେ ମୋଟ ୧୦ଟି ବର୍ଗରେ ଏହି ର‍୍ୟାଙ୍କିଙ୍ଗ ପ୍ରକାଶ ପାଇଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୋଖରିୟାଲ କହିଥିଲେ ଯେ ଏଭଳି ର‍୍ୟାଙ୍କିଙ୍ଗ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଚୟନ କରିବା କ୍ଷେତ୍ରରେ ମାର୍ଗଦର୍ଶନ କରିବ । ଏହା ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ବର୍ଗରେ ନିଜ ପ୍ରଦର୍ଶନରେ ସୁଧାର ଏବଂ ଗବେଷଣା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦୂର କରିବାରେ ସହାୟକ ହେବ । ସେ ଆହୁରି କହିଥିଲେ ଯେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଜାତୀୟ ସ୍ତରରେ ର୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯିବା ଦ୍ୱାରା ସେମାନଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ଭାବନା ଜାଗ୍ରତ ହେବ । ଫଳରେ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ର୍ୟାଙ୍କ ପାଇବା ନିମନ୍ତେ ଉତମ ପ୍ରଦର୍ଶନ କରିପାରିବେ ।

ଶ୍ରୀ ପୋଖରିୟାଲ କହିଥିଲେ ଯେ ଜାତୀୟ ସଂସ୍ଥାଗତ ର‍୍ୟାଙ୍କିଙ୍ଗ ବ୍ୟବସ୍ଥା (ଏନଆଇଆରଏଫ) ପ୍ରତିଷ୍ଠା କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଥିଲା । ବିଗତ ୫ ବର୍ଷ ହେବ ଏହି ବ୍ୟବସ୍ଥା ଜାରି ରହିଛି । ଏହି ପ୍ରୟାସ ଫଳରେ ବିଭିନ୍ନ ସଂସ୍ଥାନଗୁଡ଼ିକ ଦ୍ୱାରା ତଥ୍ୟଗୁଡ଼ିକୁ ସମ୍ବଳିତ କରିବାରେ ଅଭ୍ୟାସକୁ ବଢ଼ାଇବ ଏବଂ ଏହା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ ହେବା ନିମନ୍ତେ ପ୍ରୋତ୍ସାହିତ କରିବ । ଏହି ର୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯିବା ସମୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନ, ଅଧ୍ୟୟନ ଏବଂ ସମ୍ବଳ, ଗବେଷଣା ଓ ପେସାଦାର ଅଭ୍ୟାସ, ସ୍ନାତକ ଫଳାଫଳ ଆଦି ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବାରୁ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

ସାମଗ୍ରିକ ର‍୍ୟାଙ୍କିଙ୍ଗ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଅଲଗା ର‍୍ୟାଙ୍କିଙ୍ଗ ବ୍ୟତୀତ ଇଞ୍ଜିନିୟରିଂ, ମ୍ୟାନେଜମେଂଟ, ଫାର୍ମାସୀ, ଆର୍କିଟେକଚର, ଆଇନ ଓ ଡାକ୍ତରୀ ଶିକ୍ଷା ଆଦି ବିଷୟ ଆଧାରିତ ର‍୍ୟାଙ୍କିଙ୍ଗପ୍ରସ୍ତୁତ କରାଯାଉଛି । ୨୦୨୦ରେ ଦନ୍ତଚିକିତ୍ସା ବିଜ୍ଞାନ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି । ଶ୍ରୀ ନିଶଙ୍କ କହିଥିଲେ ଯେ କୋଭିଡ-୧୯ର ସଙ୍କଟପୂର୍ଣ୍ଣ ସମୟରେ ଏନଟିଏ ପକ୍ଷରୁ ନିକଟରେ ନ୍ୟାସନାଲ ଟେଷ୍ଟ ଅଭ୍ୟାସ ଆପ ଆରମ୍ଭ କରାଯାଇଛି । ଏହାଦ୍ୱାରା ଜେଇଇ ଓ ନିଟ ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି କରିପାରିବେ । ବର୍ତମାନସୁଦ୍ଧା ପାଖାପାଖି ୬୫ ଳକ୍ଷ ଛାତ୍ରଛାତ୍ରୀ ଏହି ଆପକୁ ଡାଉନଲୋଡ କରିସାରିଛନ୍ତି ।

ଏନଆଇଆରଏଫ ର‍୍ୟାଙ୍କିଙ୍ଗ ଗତ ୫ ବର୍ଷ ଧରି ଲଗାତାର ପ୍ରସ୍ତୁତ କରିଆସୁଥିବାରୁ ଶ୍ରୀ ପୋଖରିୟାଲ ମନ୍ତ୍ରଣାଳୟର ଅଧିକାରୀ, ଜାତୀୟ ମାନ୍ୟତା ବୋର୍ଡର ସଦସ୍ୟ ସଚିବ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଭିନ୍ନ ବର୍ଗରେ ଲଗାତାର ଶୀର୍ଷ ସ୍ଥାନ ହାସଲ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ସେ ଅଭିନନ୍ଦନ ଜଣାଇଥିଲେ ।

ମୋଟ ୩୭୭୧ଟି ଅଭିନବ ଶିକ୍ଷାନୁଷ୍ଠାନ ନିଜକୁ ସାମଗ୍ରିକ ର‍୍ୟାଙ୍କିଙ୍ଗ, ବର୍ଗ ଆଧାରିତ ଓ ବିଷୟବସ୍ତୁ ଆଧାରିତ ର‍୍ୟାଙ୍କିଙ୍ଗରେ ସାମିଲ କରିଥିଲେ । ସର୍ବମୋଟ ୫୮୦୫ଟି ଆବେଦନ ହସ୍ତଗତ ହୋଇଥିଲା । ଏଥିରେ ୨୯୪ଟି ବିଶ୍ୱବିଦ୍ୟାଳୟ, ୧୦୭୧ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ, ୬୩୦ ମ୍ୟାନେଜମେଂଟ ସଂସ୍ଥାନ, ୩୩୪ ଫାର୍ମାସୀ, ୯୭ଟି ଆଇନ, ୧୧୮ଟି ଡାକ୍ତରୀ ଶିକ୍ଷାନୁଷ୍ଠାନ, ୪୮ଟି ଆର୍କିଟେକଚର ସଂସ୍ଥାନ ଏବଂ ୧୬୫୯ଟି ସାଧାରଣ ଡିଗ୍ରୀ କଲେଜ ସାମିଲ ଅଛନ୍ତି । ଚଳିତ ଥର ଅଂଶଗ୍ରହଣକାରୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।