ରଜ ପାଇଁ ଡ୍ରେସ କିଣିବା ଅବସରରେ ଘରକୁ କରୋନା ଆଣନ୍ତୁ ନାହିଁ

ରଜ ପାଇଁ ଡ୍ରେସ କିଣିବା ଅବସରରେ ଘରକୁ କରୋନା ଆଣନ୍ତୁ ନାହିଁ

ଓଡିଶା ବଡ ଖବର

#ରଜ_ପାଇଁ_ଡ୍ରେସ_କିଣିବା_ଅବସରରେ_ଘରକୁ_କରୋନା_ଆଣନ୍ତୁ_ନାହିଁ                ଭୁବନେଶ୍ୱର:  କରୋନା ବା କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ବ୍ୟାପକ କରିବା କ୍ଷେତ୍ରରେ ସବୁଠାରୁ ବିପଦଜନକ ହେଉଛି ଭିଡ଼ ବା ଜନ ବହୁଳତା। ବିଶ୍ୱ ଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ଉପଲବ୍ଧ ଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ହିଁ ଏହି ସତ୍ୟ ସାମନାକୁ ଆସିଛି ବୋଲି କହିଛନ୍ତି ରାଜ୍ୟ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଗୁରୁବାର ଅପରାହ୍ଣରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ ଦୁଇ ଦିନ ପରେ ‘ରଜ’। ଏଥି ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ କରୋନା ଭାଇରସର ପ୍ରଭାବ ରଜ ଉପରେ ପଡ଼ିଛି। ରଜ  ଯଦିଓ ଏକ କୃଷିଭିତ୍ତିକ ପର୍ବ, ଏହି ପର୍ବରେ ଲୋକେ ନୂଆ ପୋଷାକ ପତ୍ର କିଣାକିଣି କରିଥାନ୍ତି। ଫଳରେ ଲୁଗା ଦୋକାନରେ ଭିଡ ଜମେ । ଆଉ ଭିଡ ହେଉଛି କରୋନା ସଂକ୍ରମଣ ବ୍ୟାପିବା ଲାଗି ଅନୁକୂଳ ବାତାବରଣ ।  କିଣାକିଣି କରୁକରୁ କରୋନା ବି  ଘରକୁ ଚାଲିଆସିବା ଆଶଙ୍କା ରହିଛି।  ଏହାକୁ ଦୃଷ୍ଟିରେ ରଖି  ରାଜ୍ୟ ସରକାରଙ୍କ କୋଭିଡ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ରଜ କିଣା-ବିକା ନେଇ ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ବାଗ୍‌ଚୀ କହିଛନ୍ତି, ରଜ ବଜାରରେ ଦୋକାନୀ ଭାଇମାନଙ୍କର ବଡ଼ ଦାୟିତ୍ୱ ରହିବ। ସେମାନେ ନିଜେ ମାସ୍କ ପିନ୍ଧିବେ। ମାସ୍କ ଓହ୍ଲାଇ କଥାବାର୍ତ୍ତା କରିବେ ନାହିଁ। ବିନା ମାସ୍କରେ ଗ୍ରାହକଙ୍କୁ ଭିତରକୁ ଆଣିବେ ନାହିଁ। ଗ୍ରାହକଙ୍କର ହାତ ସାନିଟାଇଜ କରିବେ। ନଗଦ କାରବାର ନକରି ଡିଜିଟାଲ ପେମେଣ୍ଟ ପେମେଣ୍ଟର ବ୍ୟବସ୍ଥା କରିବେ। ସେହିପରି ନିଜେ ଗ୍ଲୋଭସ ପିନ୍ଧିବେ।

ସେହିପରି ଗ୍ରାହକମାନଙ୍କୁ ମଧ୍ୟ ସତର୍କତା ଅବଳମ୍ବନ କରିବାର ଅଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି। ବଜାରକୁ ପରିବାରର ଅନେକ ସଦସ୍ୟ ନ ଯାଇ ଯଥାସମ୍ଭବ ଜଣେ ମାତ୍ର ସଦସ୍ୟ ମାଧ୍ୟମରେ ସାମଗ୍ରୀ କ୍ରୟ କରନ୍ତୁ। ଗହଳିଥିବା ଦୋକାନ ବା ବଜାରଠାରୁ ଦୂରରେ ରୁହନ୍ତୁ। ଦୋକାନ ବାହାରେ ଏବଂ ଭିତରେ ଛଅ ଫୁଟ ଦୂରରେ ରୁହନ୍ତୁ। ମାସ୍କ ପିନ୍ଧି କଥାବାର୍ତ୍ତା କରନ୍ତୁ। ଜିନିଷ ଘାଣ୍ଟିବେ ନାହିଁ। ଗହଳିରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଯଥା ସମ୍ଭବ ଫାଙ୍କା ସମୟରେ ସାମଗ୍ରୀ କିଣିବା ପାଇଁ ଯୋଜନା କରନ୍ତୁ। ଘରକୁ ଆଣି କିଣା ଜିନିଷକୁ ବାହାରେ କିଛି ଘଣ୍ଟା ରଖନ୍ତୁ। ରଜ ଉପଲକ୍ଷେ ଆସନ୍ତାକାଲି ସରକାର ଲକଡାଉନ ସମୟ କୋହଳ କରି ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିପାରିବ ବୋଲି ଘୋଷଣା କରିଛନ୍ତି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଦୋକାନରେ ଭିଡ କରିବା ନାହିଁ।

ପ୍ରଥମେ ଜିନିଷକୁ କିଛି ଘଣ୍ଟା ବାହାରେ ରଖନ୍ତୁ। ପରେ ଘରକୁ ଆଣନ୍ତୁ ବୋଲି କୋଭିଡ ମୁଖ୍ୟ ମୁଖପାତ୍ର କହିଛନ୍ତି। ଆଜି ସରକାର ବିଶେଷ ଘୋଷଣା କରିଛନ୍ତି। ଆସନ୍ତାକାଲି ରାତି ୧୦ଟା ଯାଏଁ ଖୋଲିବ। ଏହାର ଅସଲ ଉଦ୍ଦେଶ୍ୟ ଦୋକାନରେ ଭିଡ କରିବେ ନାହିଁ। ପୌର କର୍ତ୍ତୃପକ୍ଷ ଓ ପୁଲିସକୁ କୁହାଯାଇଛି, ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁଲିସ ଦିନତମାମ ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ ଉପରେ ନଜର ରଖିବେ।

ବାଗ୍‌ଚୀ କହିଛନ୍ତି, ଘରେ ରହି ଏଥର ରଜ ପର୍ବ ପାଳନ କରନ୍ତୁ। ରଜ ମାନେ ତାସ ଖେଳିବା ଓ ପାନ ଖାଇବା ନୁହେଁ । ଗାଁ ଦାଣ୍ଡରେ ପାନ ଚୋବାଇ ତାସ ଖେଳିବା ନାହିଁ। ସାଙ୍ଗସାଥୀ ମେଳରେ ବୁଲିବା ନାହିଁ। ରଜ ଦୋଳିକରେ ସାମାଜିକ ଦୂରତା ରଖିବା। ଅନ୍ୟ ଲୋକର ଦୋଳିକୁ ବ୍ୟବହାର କଲେ କରୋନାକୁ ଆଣିବା। ରଜ ପର୍ବର ବୃହତ୍ତ ଉଦ୍ଦେଶ୍ୟ ରହିଛି ସଂଯମ, ସାବଧାନତା ଓ ସଚେତନାର ସହିତ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।