କୋଭିଡ଼ ପାଇଁ ୟୁଜି, ପିଜିର ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ

କୋଭିଡ଼ ପାଇଁ ୟୁଜି, ପିଜିର ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ

ଓଡିଶା ବଡ ଖବର

#କୋଭିଡ଼_ପାଇଁ_ୟୁଜି,_ପିଜିର_ଥିଓରୀ_ଓ_ପ୍ରାକ୍ଟିକାଲ_ପରୀକ୍ଷା_ବାତିଲ                 ଭୁବନେଶ୍ୱର    :  ଓଡ଼ିଶାର କୋଭିଡ଼-୧୯କୁ ଦୃଷ୍ଟିରେ ରଖି ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାର ଓ ଫାଇନାଲ ଇୟାରର ବାକିଥିବା ଥିଓରି ଓ ପ୍ରାକ୍ଟିକାଲର ସମସ୍ତ ପରୀକ୍ଷା ବାତିଲ କରାଯିବ ।
ରାଜ୍ୟ ସରକାରଙ୍କର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚଶିକ୍ଷା ସମ୍ବନ୍ଧୀୟ ଭିଡ଼ିଓ କନଫରେନସ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଉକ୍ତ ବୈଠକରେ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱ ବିଦ୍ୟାଳୟ ମାନଙ୍କର କୂଳପତି ଏବଂ ରାଜ୍ୟ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଅଟୋନୋମାସ କଲେଜର ପ୍ରିନ୍ସପାଲମାନେ ଯୋଗ ଦେଇଥିଲେ । ସମ୍ପୃକ୍ତ କୂଳପତି ଓ ପ୍ରିନ୍ସପାଲମାନେ ବର୍ତମାନ ସମୟରେ ପରୀକ୍ଷା କରାଇଲେ ଯେଉଁ ସମସ୍ୟା ଉପୁଜିବ ତାହା ବିଭାଗକୁ ଅବଗତ କରାଇଥିଲେ । କୋଭିଡ଼-୧୯ର ମାର୍ଗଦର୍ଶିକାକୁ କୌଣସି ପରିସ୍ଥିତିରେ ପରିବର୍ତନ କରାଯାଇପାରିବ ନାହିଁ । ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ ପାଳନ କରାଯିବାର ଆବଶ୍ୟକତା ରହିଛି । ମୂଲ୍ୟାୟନର ବିକଳ୍ପ ବ୍ୟବସ୍ଥା ଅନୁସରଣ କରିବା ଅଧିକ ବ୍ୟବହାରିକ ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ରାଜ୍ୟର ବିଶ୍ୱ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ସଂସ୍ଥାଗୁଡ଼ିକ କିପରି କୋଭିଡ଼-୧୯ ପରିସ୍ଥିତି ଯୋଗୁଁ ସମସ୍ତ ପରୀକ୍ଷା ବାତିଲ କରି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରିଛନ୍ତି ସେ ନେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଓ କିଛି କୂଳପତିମାନେ ଅନୁରୂପ ଭାବେ ବିଭାଗକୁ ଜଣାଇଥିଲେ । ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଜୁନ୍ ଓ ଅଗଷ୍ଟ ମାସ ମଧ୍ୟରେ ଧାର୍ଯ୍ୟ କରାଯାଇଥିବା ୟୁଜି ଓ ପିଜି ପାଠ୍ୟକ୍ରମର ଫାଇନାଲ ଇୟାର ଓ ଫାଇନାଲ ସେମିଷ୍ଟାର ପରୀକ୍ଷା ବର୍ତ୍ତମାନ ପରିସ୍ଥିତିରେ ସମ୍ଭାବନା କମ୍ ଦେଖାଯାଉଛି ବୋଲି ସେମାନେ କହିଥିଲେ ।
ମତାମତକୁ ବିଚାରକୁ ନେଇ ରଜ୍ୟ ସରକାର ୟୁଜି ଓ ପିିଜି ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାର ଓ ଫାଇନାଲ ଇୟାରର ବାକିଥିବା ଥିଓରି ଓ ପ୍ରାକ୍ଟିକାଲର ସବୁ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଛି । ବିଶ୍ୱବିଦ୍ୟାଳୟ, ଅଟୋନମସ୍ କଲେଜମାନେ ୟୁଜିସିର ସୁପାରିଶ ଅନୁଯାୟୀ ବିକଳ୍ପ ମୂଲ୍ୟାୟନ ଜରିଆରେ ଫାଇନାଲ ଇୟର, ଫାଇନାଲ ସେମିଷ୍ଟାର ଗୁଡ଼ିକର ମୂଲ୍ୟାୟନ କରି ଅଗଷ୍ଟ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ସ୍ଥିର କରାଯାଇଛି । ବିକଳ୍ପ ମୂଲ୍ୟାୟନ ଜରିଆରେ ଫାଇନାଲ ଇୟର ଓ ଫାଇନାଲ ସେମିଷ୍ଟାରର ପ୍ରତ୍ୟେକ ବିଷୟ ପାଇଁ ମୂଲ୍ୟାୟନ କରି ମାର୍କ ଦିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ଭାବିବେ ଯେ, ସେମାନେ ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ପାଇଥିବା ମାର୍କ ଠାରୁ ଅଧିକ ମାର୍କ ପାଇବା ପାଇଁ ହକ୍ଦାର ସେମାନଙ୍କ ପାଇଁ ବିଶ୍ୱ ବିଦ୍ୟାଳୟ ଅଟୋନୋମାସ କଲେଜ ମାନେ ଆସନ୍ତା ନଭେମ୍ବର ମାସରେ ସାଧାରଣ ରୀତିରେ ପରୀକ୍ଷା କରିବେ ଏବଂ ଡିସେମ୍ବରରେ ସେମାନଙ୍କର ରେଜଲ୍ଟ ପ୍ରକାଶ କରିବା ପାଇଁ ନିଷ୍ପତି ହୋଇଛି । ଯେଉଁ ସବୁ ବିଶ୍ୱ ବିଦ୍ୟାଳୟ ଓ ଅଟୋନୋମାସ କଲେଜ ଗୁଡ଼ିକ ୟୁଜି ଓ ପିଜିର ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ହୋଇସାରିଛି ସେହି ପରୀକ୍ଷା ପାଇଁ ଉପରୋକ୍ତ ନିଷ୍ପତ୍ତି ଲାଗୁ ହେବ ନାହିଁ । ସେହି ସବୁ ପରୀକ୍ଷା ସାଧାରଣ ପ୍ରଣାଳୀରେ ମୂଲ୍ୟାୟନ ହେବ । ଯେଉଁ ଛାତ୍ର ଛାତ୍ରୀ ମାନଙ୍କର ଗୋଟିଏ କିମ୍ବା ଦୁଇଟି ବ୍ୟାକ୍ ପେପର ଥିବ ତାଙ୍କ ପାଇଁ ସେହି ବ୍ୟାକ୍ ପେପର ପରୀକ୍ଷା ବାତିଲ କରାଯିବ । ଅନ୍ୟ କୌଣସି ପଦ୍ଧତି ଜରିଆରେ ବ୍ୟାକ୍ ପେପରର ମୂଲ୍ୟାୟନ କରାଯିବ । ଯେଉଁ ଛାତ୍ର ଛାତ୍ରୀ ମାନଙ୍କର ଦୁଇରୁ ଅଧିକ ବ୍ୟାକ ପେପର ଥିବା ସେମାନେ ସବୁ ବ୍ୟାକ୍ ପେପର ପାଇଁ ସାଧାରଣ ରୀତିରେ ପରୀକ୍ଷା ଦେବେ । ଯାହାର କାର୍ଯ୍ୟସୂଚୀ ସମ୍ପୃକ୍ତ ବିଶ୍ୱ ବିଦ୍ୟାଳୟ ଓ ଅଟୋନୋମାସ କଲେଜମାନେ କୋଭିଡ଼-୧୯ ସ୍ଥିତିକୁ ଦେଖି ଧାର୍ଯ୍ୟ କରିବେ ।
ମେଡ଼ିକାଲ ପାଠ୍ୟକ୍ରମ ବ୍ୟତୀତ ବିଶ୍ୱ ବିଦ୍ୟାଳୟ ଅଟୋନମସ କଲେଜ ମାନଙ୍କର ବାକି ସମସ୍ତ ପାଠ୍ୟକ୍ରମ ପାଇଁ ଏହି ନିଷ୍ପତ୍ତି ଲାଗୁ ହେବ । ମେଡିକାଲ ପାଠ୍ୟକ୍ରମର ସମସ୍ତ ପରୀକ୍ଷା ଧାର୍ଯ୍ୟ ତାରିଖରେ ଯଥାରୀତି ସମ୍ପାଦିତ ହେବ ।