ଆଜିଠୁ ବସଚାଲିବା ସମ୍ଭବ ନୁହେଁ - ଘରୋଇ ବସ ମାଲିକ ସଂଘ

ଆଜିଠୁ ବସଚାଲିବା ସମ୍ଭବ ନୁହେଁ – ଘରୋଇ ବସ ମାଲିକ ସଂଘ

ଓଡିଶା ବଡ ଖବର

#ଆଜିଠୁ_ବସଚାଲିବା_ସମ୍ଭବ_ନୁହେଁ         ଭୁବନେଶ୍ୱର  : ଟିକସ ଛାଡ଼ କରିବା ପାଇଁ ବସ୍ ମାଲିକ ସଂଘ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହା ଉପରେ ସରକାରଙ୍କ ପକ୍ଷରୁ ବିଚାର କରାଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସୋମବାର ଠାରୁ ଘରୋଇ ବସ୍ ଚଳାଚଳ କରିବ ବୋଲି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ହେଲେ ଏହା ସମ୍ଭବ ନୁହେଁ ବୋଲି ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ପ୍ରକାଶ କରିଛନ୍ତି । ସରକାରଙ୍କର ନିଷ୍ପତି ସ୍ୱାଗତଯୋଗ୍ୟ ହେଲେ ହେଁ ବସର ଡ୍ରାଇଭର ଓ ହେଲପରଙ୍କର ଉପସ୍ଥିତ ନାହିଁ । ସେମାନଙ୍କୁ ଆସିବା ପାଇଁ ସମୟ ଲାଗିବ । ତେବେ ଏ ସମ୍ପର୍କରେ ଆଂଚଳିକ ସଂଘ ମାନଙ୍କ ସହିତ ଆଲୋଚନା କରିବା ପରେ ନିଷ୍ପତି ନିଆଯିବ । ବସ୍ ଚଳାଚଳ ନେଇ ସରକାରଙ୍କ ସହିତ ସଂଘର ଆଲୋଚନା ହୋଇନାହିଁ କି ସରକାର ଏ ପର୍ଯ୍ୟନ୍ତ ଡାକି ନାହାଁନ୍ତି ବୋଲି ମୁଖପାତ୍ର ଶ୍ରୀ ନାୟକ ସ୍ପଷ୍ଟ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଅଟୋଚାଳକ ସଂଘ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ, ଡ୍ରାଇଭର ସମେତ ଅନ୍ୟ ଦୁଇଜଣ ଯାତ୍ରୀ ଯାଇପାରିବେ ବୋଲି ଯାହା କୁହାଯାଇଛି ତାହା ଦ୍ୱାରା ସେମାନେ ଉପକୃତ ହେବେ ନାହିଁ । ତିନି ଜଣ ଯାତ୍ରୀ ନେଲେ ସେମାନେ ଲାଭ ଦାୟକ ହେବେ । ଏହା ବ୍ୟତୀତ ସରକାର ରେଟ୍ ମଧ୍ୟ ଧାର୍ଯ୍ୟ କରନ୍ତୁ । ପ୍ରିପେଡ଼ର ବ୍ୟବସ୍ଥା ଲାଗୁ କରନ୍ତୁ । ଏହା ନ ହେଲେ ଅଟୋ ଚଳାଇବା ସମ୍ଭବ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।