#ଆଜିଠାରୁ_ଦେଶବ୍ୟାପୀ_ଘରୋଇ_ବିମାନ_ସେବା ନୂଆଦିଲ୍ଲୀ : ସୋମବାର ଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ । ଏଥିଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗତ ୨୦ ତାରିଖରେ କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଚାଲିଥିବା ଲକଡାଉନ୍ ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି ।
ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଛନ୍ତି ବିମାନ ଚଳାଚଳ ପାଇଁ ଦେଶବ୍ୟାପି ବିମାନ ବନ୍ଦରଗୁଡ଼ିକ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ୱ ବଜାୟ ରଖି ସୁରୁଖୁରୁରେ ବିମାନ ଯାତ୍ରା କରିପାରିବେ, ସେଥିଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିଭଳି ଦେଶର ସବୁଠାରୁ ବ୍ୟସ୍ତବହୁଳ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର କେବଳ ଟର୍ମିନାଲ୍-୩ରୁ ବର୍ତ୍ତମାନ ବିମାନ ଚଳାଚଳ ଆରମ୍ଭ ହେବ । ଲକଡାଉନ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶବ୍ୟାପୀ ବିମାନ ଚଳାଚଳ ବାତିଲ କରାଯାଇଥିଲା ।
ଆସନ୍ତାକାଲିଠାରୁ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାବେଳେ ଜୁନ୍ ମଧ୍ୟଭାଗ କିମ୍ବା ଜୁଲାଇ ସୁଦ୍ଧା ଭାରତରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆରମ୍ଭ ହେବା ସମ୍ଭାବନା ରହିଛି ।
ଘରୋଇ ବିମାନରେ ଯାତ୍ରା ପୂର୍ବରୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ । ଏହି ଆପ୍ ରେ ଯାତ୍ରୀ ଯଦି “ସବୁଜ’ ସଂକେତ ପାଇଥିବେ; ତେବେ ତାଙ୍କୁ ପହଂଚିବା ପରେ କ୍ୱାରେଂଟାଇନରେ ରହିବାକୁ ପଡ଼ିବ ନାହିଁ ।