ଦ୍ୱିତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୪୩ ଜଣ ଚିହ୍ନଟ

ସୁସ୍ଥ ହେଉଛନ୍ତି ପ୍ରଥମ କରୋନା ରୋଗୀ , ୪୭ ନମୂନାରୁ ୪୬ ନେଗେଟିଭ୍

ଓଡିଶା ବଡ ଖବର ରାଜ୍ୟ

#ସୁସ୍ଥ_ହେଉଛନ୍ତି_ପ୍ରଥମ_କରୋନା_ରୋଗୀ   ଭୁବନେଶ୍ୱର :  କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଇଟାଲୀ ଫେରନ୍ତା ରାଜ୍ୟର ଏକମାତ୍ର କରୋନା ଆକ୍ରାନ୍ତ ଯୁବକ ସୁସ୍ଥ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ହୋଇଛି। ଗୀତଗୋବିନ୍ଦ ସଦନରେ ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି।

ଶ୍ରୀ ବାଗ୍‌ଚୀ କହିଛନ୍ତି, କରୋନା ଆକ୍ରାନ୍ତ ଥିବା ଯୁବକ ଅନ୍ୟ ସାଧାରଣ ଲୋକଙ୍କ ଭଳି ଖାଦ୍ୟ ଗ୍ରହଣ କରୁଛନ୍ତି। ଆଜି ସକାଳୁ ସେ  ଉପମା, ବିସ୍କୁଟ ଓ ଆଳୁ ମଟର ତରକାରୀ ଖାଇଥିଲେ। ଠିକ ସେହିଭଳି ମଧ୍ୟାହ୍ନରେ ଭାତ, ଡାଲି, ରୁଟି ଓ ମିଶାମିଶି ତରକାରୀ ଖାଇଥିଲେ। ତାଙ୍କୁ ଆହୁରି କିଛି ଦିନ ଯାଏଁ ଅବଜରଭେସନରେ ରଖାଯିବ। ନମୂନା ପରୀକ୍ଷାରେ ଦୁଇ ଥର ନେଗେଟିଭ୍‌ ରିପୋର୍ଟ ଆସିବା ଯାଏଁ ସେ ହସ୍‌ପିଟାଲରେ ଚିକିତ୍ସାଧୀନ ରହିବେ। ଏହା ପରେ ତାଙ୍କୁ ଘରକୁ ଯିବାକୁ ଦିଆଯିବ।

ଅଦ୍ୟାବଧି ଓଡ଼ିଶାରେ ୪୭ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୪୬ଟି କରୋନା ନେଗେଟିଭ୍ ଥିବାବେଳେ ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଛି । ସଂକ୍ରମିତ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଯୋଗାଯୋଗ କରାଯାଇ ସେମାନଙ୍କୁ ପୃଥକ୍ବାସ ପାଇଁ ପରାମର୍ଶ ଦିଆଯାଇଛି । ଗତକାଲି ୧୨ଟି ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେସବୁ କରୋନା ନେଗେଟିଭ୍ ରିପୋର୍ଟ ଆସିଛି । ଆଜି ସୁଦ୍ଧା ୬ଟି ନମୁନା ପରୀକ୍ଷା କରାଯାଇଛି ଓ ସେ ସମସ୍ତ ନେଗେଟିଭ୍ ରିପୋର୍ଟ ଆସିଛି ବୋଲି  ଶ୍ରୀ ବାଗ୍ଚୀ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ଅଦ୍ୟାବଧି ଓଡ଼ିଶାରେ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୮ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲୋସନ୍ରେ ରଖାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ ଲାଇନ୍କୁ ୧୩,୬୨୭ କଲ୍ ଆସିଛି । ଅଦ୍ୟାବଧି ବିଦେଶରୁ ଫେରିଥିବା ୨୧୩୧ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି । ସମସ୍ତ ଧର୍ମାନୁଷ୍ଠାନ ଓ ଅଧିକ ଜନଗହଳି ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଆଡଭାଇଜରୀ ଜାରି କରାଯାଇଛି ।

ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍ କଲେଜ୍ ହସ୍ପିଟାଲ୍ଗୁଡ଼ିକରେ ଆଇସୋଲେସନ୍ ସୁବିଧା ଉପଲବ୍ଧ ଅଛି । ବର୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୫୪୦ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ଅଛି । ରାଜ୍ୟର ବ୍ଲକସ୍ତର ପର୍ଯ୍ୟନ୍ତ କ୍ୱାରାଂଟାଇନ୍ ସୁବିଧା କେନ୍ଦ୍ର ଚିହ୍ନଟ କରାଯାଇଛି । ତୀର୍ଥ ଯାତ୍ରୀ, ପୂଜକ, ସେବାୟତ ଏବଂ ଅନ୍ୟାନ୍ୟ ସ୍ଥାନ ଯେଉଁଠାରେ ନିରାପତ୍ତା ରକ୍ଷୀମାନେ ସଂପୃକ୍ତ ରହୁଛନ୍ତି, ସେମାନଙ୍କୁ ସୁରକ୍ଷା ଦିଆଯିବ । ଏଜେନ୍ସି/ବୋର୍ଡ/ଟ୍ରଷ୍ଟ ଓ ସରକାରୀ ପରିଚାଳନାଧୀନ ସଂସ୍ଥା ଯେଉଁଠାରେ ସେମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଏଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବେ ।
ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଶ୍ରମ ଆୟୁକ୍ତଙ୍କ ତରଫରୁ ଆବଶ୍ୟକ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଆଶ୍ରୟ ସ୍ଥଳ, ତତ୍ୱାବଧାନ କରାଯାଉଛି ଏବଂ ନିୟମିତ ସଂକ୍ରମଣ ମୁକ୍ତ କରାଯାଉଛି । ଆଧାର କେନ୍ଦ୍ରଗୁଡ଼ିକ ବନ୍ଦ କରାଯାଇଛି । ଓସଡମା ସ୍ୱେଚ୍ଛାସେବୀମାନେ ଏଟିଏମ୍ କାଉଣ୍ଟରଗୁଡ଼ିକରେ ସ୍ୱଚ୍ଛତା ରକ୍ଷା ପାଇଁ ବ୍ୟାଙ୍କ ଦ୍ୱାରା ନିୟୋଜିତ ସାନିଟାରୀ ଅପରେଟରମାନଙ୍କ କାର୍ଯ୍ୟ ଯାଞ୍ଚ କରିବେ । ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶନାମା ଅନୁସାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଡ୍ରାଇଭିଂ ଲାଇସେନ୍ସ/ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ୬୩୨୩ଟି କୋଠାଗୃହକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ କରାଯାଇଛି । ସେହିପରି ସହରାଂଚଳରେ ୨୬୧ଟି କୋଠାଘରକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଚିହ୍ନଟ କରାଯାଇଛି । ରାଜ୍ୟରେ ୯୭ଟି ସହରାଂଚଳ ଓ ୬୭୯୭ଟି ଗ୍ରାମପଂଚାୟତରେ ଏସବୁ ରହିଛି ।
ଯାହାର ସଂକ୍ରମଣର ସନ୍ଦେହ ରହିଛି ଏବଂ ସ୍ୱାସ୍ଥ୍ୟ କର୍ମୀ ମାସ୍କ ବ୍ୟବହାର କରିବେ । ଅନ୍ୟମାନେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ବାଗଚୀ କହିଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରିକି ସାନିଟାଇଜର, ତେଜରାତି ସାମଗ୍ରୀ, ଔଷଧ ଇତ୍ୟାଦି ମହଜୁଦ୍ (ହୋର୍ଡିଂ) କରି ନରଖିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ  ସଂଜୟ କୁମାର ସିଂ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ସଚିବ  ମନୋଜ ମିଶ୍ର ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।