ରାଜ୍ୟର ବନ୍ଦର ଦେଇ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ପାଇଁ ଯୋଜନା

ରାଜ୍ୟର ବନ୍ଦର ଦେଇ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ପାଇଁ ଯୋଜନା

ଓଡିଶା ବଡ ଖବର

#ରାଜ୍ୟର_ବନ୍ଦର_ଦେଇ_ସାମୁଦ୍ରିକ_ମତ୍ସ୍ୟ_ରପ୍ତାନୀ_ପାଇଁ_ଯୋଜନା               ଭୁବନେଶ୍ୱର    :    ରାଜ୍ୟର ବନ୍ଦରଗୁଡ଼ିକ ଦେଇ ବିଦେଶକୁ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ କରିବାକୁ ଯୋଜନା କରାଯାଉଛି । ଏ ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ । ଆଜି ଆୟୋଜିତ ରପ୍ତାନୀ ଉନ୍ନୟନ ବାଣିଜ୍ୟ ନିର୍ଦ୍ଦେଶାଳୟର ଏକ ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏହା କହିଛନ୍ତି ।
ସେ ନିକଟରେ କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରି ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ଯୋଗଦେବା ପରେ ପ୍ରଥମ ବୈଠକ ଆୟୋଜନ କରି ଏହି ନିର୍ଦ୍ଦେଶାଳୟର ସମସ୍ତ କାର୍ଯ୍ୟକ୍ରମ ଉପରେ ଅବଗତ ହୋଇଥିଲେ । ସଂପ୍ରତି ରାଜ୍ୟର ବନ୍ଦରଗୁଡ଼ିକରୁ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ପାଇଁ ସୁଯୋଗ ନଥିବା ଏବଂ ଏଥି ପାଇଁ ପଡେ଼ାଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ବନ୍ଦର ଉପରେ ନିର୍ଭର କରୁଥିବା ଅବଗତ ହେବା ପରେ ଏ ଦିଗରେ କି ଧରଣର ପଦକ୍ଷେପ ନିଆଯାଇ ରହିଥିବା ସମସ୍ୟାର ସମାଧାନ କରାଯାଇପାରିବ ତା’ଉପରେ ଅଧିକ ଅନୁଧ୍ୟାନ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ଖୁବ୍ ଶୀଘ୍ର ଏହାର ଉପାୟ ବାହାର କରିବାକୁ ଏହି ମାସର ଦ୍ୱିତୀୟ ସପ୍ତାହରେ ବିଭାଗୀୟ ଅଧିକାରୀ, ପାରାଦ୍ୱୀପ ବନ୍ଦର କର୍ତୃପକ୍ଷ, ରପ୍ତାନୀ ସହ ସଂପୃକ୍ତ ସଂସ୍ଥାଗୁଡ଼ିକୁ ନେଇ ଏକ ବୈଠକ କରିବାକୁ ସ୍ଥିର କରାଯାଇଥିଲା ।
ପାରାଦ୍ୱୀପ ବନ୍ଦର ଦେଇ ରପ୍ତାନୀ ସୁଯୋଗ ସୃଷ୍ଟି ହେଲେ ରାଜ୍ୟର ସମସ୍ତ ରପ୍ତାନୀକାରୀ ଉପକୃତ ହୋଇପାରିବେ ଏବଂ ଏହା ଦ୍ୱାରା ଅଧିକ ଖର୍ଚ୍ଚାନ୍ତରୁ ମୁକ୍ତି ମିଳିବା ସହ କମ୍ ସମୟ ମଧ୍ୟରେ ରପ୍ତାନୀ ହୋଇପାରିବ । ସେହିପରି କୃଷିଜାତ ଦ୍ରବ୍ୟର ରପ୍ତାନୀ ଅଭିବୃଦ୍ଧି ନିମନ୍ତେ ଆପେଡ଼ା ସଂସ୍ଥା ଓ ଅନ୍ୟାନ୍ୟ ସଂପୃକ୍ତ ସଂସ୍ଥାଗୁଡ଼ିକୁ ନେଇ ଅନୁରୂପ ବୈଠକ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।