କୋଭିଡ୍ ଟୀକା ପ୍ରସ୍ତୁତି ନେଇ ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

କୋଭିଡ୍ ଟୀକା ପ୍ରସ୍ତୁତି ନେଇ ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଓଡିଶା ବଡ ଖବର

#ପୁନାୱାଲାଙ୍କ_ସହ_ମୁଖ୍ୟମନ୍ତ୍ରୀଙ୍କ_ଆଲୋଚନା        ଭୁବନେଶ୍ୱର      ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସେରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର ପୁନାୱାଲାଙ୍କ ସହ ବୁଧବାର ଭିଡିଓ କଲ୍ ମାଧ୍ୟମରେ କୋଭିଡ-୧୯ ଟୀକା ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି । ଆବଶ୍ୟକ କ୍ଲିୟରାନ୍ସ ମିଳିବା ପରେ ଟୀକାକରଣ ପାଇଁ ଓଡିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୁନାୱାଲାଙ୍କ ସହଯୋଗ ଲୋଡିଥିଲେ । ଏଥିପାଇଁ ରାଜ୍ୟ ସରକାର ସେରମ୍ ପ୍ରତିଷ୍ଠାନ ସହ ଯୋଗାଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୋଭିଡ ଟୀକା ବିକାଶ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ୟୁନିଭରସିଟିକୁ ସହଯୋଗ କରୁଛି । କୋଭିଡ ଟୀକା ଉପରେ ଲାନସେଟରେ ପ୍ରକାଶିତ ସାମ୍ପ୍ରତିକ ଆଶା ଫଳାଫଳ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସେହିପରି ଟୀକାକରଣର ଅଗ୍ରଗତି ଏବଂ ଲାନସେଟରେ ପ୍ରକାଶିତ ଫଳାଫଳ ବିଷୟରେ ଜାଣିବା ପାଇଁ ସେରମ୍ ପ୍ରତିଷ୍ଠାନ ସହିତ ଯୋଗାଯୋଗ କରିଥିବାରୁ ଶ୍ରୀ ପୁନାୱାଲା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଅକ୍ସଫୋର୍ଡ ୟୁନିଭରସିଟି ଟୀକା ଆଶାବାଦୀ ଫଳାଫଳ ଦେଖାଇଛି । ଭାରତରେ ପରବର୍ତୀ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ମଧ୍ୟଭାଗରୁ ଆରମ୍ଭ ହେବ ଏବଂ ଏହି ଟୀକା ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ସୁଦ୍ଧା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଟୀକା ପ୍ରସ୍ତୁତ ହୋଇଯିବା ପରେ ସେରମ୍ ପ୍ରତିଷ୍ଠାନ ଏବଂ ରାଜ୍ୟ ସରକାର ପରସ୍ପର ସହ ଯୋଗାଯୋଗ କରିପାରିବେ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ, ସିଏମଓର ମୁଖ୍ୟ ପରାମର୍ଶଦାତା, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ (୫-ଟି) ସଚିବ ଉପସ୍ଥିତ ଥିଲେ ।