କିଛି ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା,କାଲିଠାରୁ ବଦଳିବ ପାଗ

ଓଡିଶା ବଡ ଖବର

ଭୁବନେଶ୍ୱର :  କୋହଲା ପାଗ ସାଙ୍ଗକୁ ଜାରି ରହିଛି ଝିପ୍‌ ଝିପ୍‌ ବର୍ଷା । ଆସନ୍ତାକାଲି ଅପରାହ୍ଣରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାତର ୨ଦିନ ଧରି କୋହଲା ପାଗ ସାଙ୍ଗକୁ କାଲୁଆ ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କିଛି ଜିଲ୍ଲାରେ ପବନର ବେଗ ବଢ଼ିବା ସହ ଆଉ କିଛି ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ମଧ୍ୟ ରହିଛି । ସେପଟେ ଖୋଲା ଆକାଶ ତଳେ ପଡ଼ିଥିବା ଧାନ ଗଜା ଧରିଲାଣି । ଯାହାକୁ ନେଇ ଚିନ୍ତାରେ ଚାଷୀ । ….

କୋହଲା ପାଗ ସାଙ୍ଗକୁ ଦେହ ଥରାଉଛି କାଲୁଆ ପବନ । ବେଡ଼ି ଉପରେ କୋରାଡ଼ା ସାଜିଛି ଝିପ୍‌ ଝିପ୍‌ ବର୍ଷା । ଆସନ୍ତା କାଲି ଅପରାହ୍ଣ ବେଳକୁ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ହେଲେ ଆଜିଠାରୁ କାଲି ଭିତରେ ପୁରୀ, ଢ଼େଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ ଭଳି ୭ଟି ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ।

ଏବଂ ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଭଳି ଜିଲ୍ଲାରେ କିଛି ସ୍ଥାନରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ତେବେ ୯ ତାରିଖ ଅପରାହ୍ଣରୁ ପାଗରେ ପରିବର୍ତନ ଆସିବା ସହ କୁହୁଡ଼ି ବଢ଼ିବ । ୯ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନକୁହୁଡ଼ି  ହେବ । ତେଣୁ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି ।ରାଜ୍ୟର ବିଭିନ୍ନ ସ୍ଥାନରେ ଝିପ୍‌ ଝିପ୍‌ ବର୍ଷା ଚାଷୀ ପାଇଁ ଚିନ୍ତା ବଢ଼ାଇଛି । ମଣ୍ଡିଗୁଡ଼ିକରେ ଖୋଲା ଆକଶ ତଳେ ରଖାଯାଇଥିବା ଧାନବସ୍ତା ଭିଜି ଗଜା ହେଲାଣି । ଜାନୁଆରୀ ୨୫ରୁ ମଣ୍ଡିରେ ଧାନ ପଡ଼ିଥିଲେ ମଧ୍ୟ ମିଲର୍ସଙ୍କ ଦେଖାନାହିଁ । କଟକ ବାଙ୍କୀ ବ୍ଲକରେ ଚାଷୀଙ୍କୁ ଟୋକେନ୍‌ ମିଳି ନଥିବାରୁ ମଣ୍ଡିରେ ପଡ଼ି ରହିଥିବା ଧାନ ବର୍ଷାରେ ଭିଜୁଛି ।

ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ଅଦିନିଆ ବର୍ଷା । ଅଧିକାଂଶ ମଣ୍ଡିରେ ଧାନ ଘୋଡ଼ାଇବା ପାଇଁ ବ୍ୟବସ୍ଥା ନଥିବାରୁ ଧାନବସ୍ତାସବୁ ଓଦା ହେଉଛି ।ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଏସଆରସିଙ୍କ ସତର୍କତା ଜାରି ପରେ ମଧ୍ୟ ଏଭଳି ଚିତ୍ର ସଂପୃକ୍ତ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।