କରୋନା ପାଇଁ ପ୍ରସ୍ତୁତ ହେଲା ୬୫୦ ଶଯ୍ୟା ବିଶିଷ୍ଟ ୨ ହସ୍ପିଟାଲ

କରୋନା ପାଇଁ ପ୍ରସ୍ତୁତ ହେଲା ୬୫୦ ଶଯ୍ୟା ବିଶିଷ୍ଟ ୨ ହସ୍ପିଟାଲ

ଓଡିଶା ମହାନଗର ରାଜ୍ୟ

#କରୋନା_ପାଇଁ_ପ୍ରସ୍ତୁତ_ହେଲା_୬୫୦_ଶଯ୍ୟା_ବିଶିଷ୍ଟ_୨_ହସ୍ପିଟାଲ   ଭୁବନେଶ୍ୱର,  :  ରାଜ୍ୟରେ କରୋନା ସଂକ୍ରମିତଙ୍କ ସ୍ବତନ୍ତ୍ର ଚିକିତ୍ସା ପାଇଁ ୬୫୦ ଶଯ୍ୟା ବିଶିଷ୍ଟ ୨ଟି ହସ୍ପିଟାଲ ପ୍ରସ୍ତୁତ ହୋଇଛି। ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(କିମ୍ସ) ପରିସରରେ ୫୦୦ ଶଯ୍ୟା ରହିଛି। ଏହା ବ୍ୟତୀତ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ୧୫୦ଟି ବେଡ୍‌ ପ୍ରସ୍ତୁତ କରାଯାଇଛି। ମାତ୍ର ସପ୍ତାହକ ମଧ୍ୟରେ କରୋନା ମୁକାବିଲା ପାଇଁ ଏହି ଭିତ୍ତିଭୂମି ସ୍ଥାପନା କରାଯାଇଛି। ଏହାକୁ ଦେଶର ପ୍ରଥମ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହସ୍ପିଟାଲ ବୋଲି କୁହାଯାଉଛି। କିମ୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ପକ୍ଷରୁ ଅର୍ଥ ପ୍ରଦାନ କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ମାଗଣାରେ ଚିକିତ୍ସା କରାଯିବ। ସଂକ୍ରମିତଙ୍କ ଖାଦ୍ୟପେୟ ସମେତ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଅନୁରୂପଭାବେ ଅଶ୍ୱିନୀ ହସ୍ପିଟାଲରେ ମଧ୍ୟ ସ୍ବତନ୍ତ୍ରଭାବେ କରୋନା ସଂକ୍ରମିତଙ୍କ ପାଇଁ ୧୫୦ ଶଯ୍ୟା ପ୍ରସ୍ତୁତ ହୋଇଛି। କିମ୍ସ ପରେ ରାଜ୍ୟରେ ଏହା ଦ୍ୱିତୀୟ କରୋନା ସଂକ୍ରମିତଙ୍କ ପାଇଁ ଉଦ୍ଦିଷ୍ଟ ଥିବା ହସ୍ପିଟାଲ। ଏହାକୁ ମଧ୍ୟ ମାତ୍ର ୭ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ହସ୍ପିଟାଲ ପାଇଁ ମଧ୍ୟ ଓଏମ୍‌ସି ଆର୍ଥିକ ସହାୟତା ପ୍ରଦାନ କରିଛି।
ହସ୍ପିଟାଲରେ ଥରେ ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ ହୋଇଗଲେ, ଏହାର ଡାକ୍ତର ଏବଂ ଅନ୍ୟାନ୍ୟ ସହଯୋଗୀ ଆଉ ଘରକୁ ଯାଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ନିୟୋଜିତ ଥିବା ଡାକ୍ତର, ପାରାମେଡିକାଲ ଷ୍ଟାପ୍‌ଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ କରୋନା ମୁକାବିଲାରେ ସ୍ବାସ୍ଥ୍ୟକର୍ମୀ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ସଂକ୍ରମିତଙ୍କୁ ସମସ୍ତ ପ୍ରକାର ଗୁଣାତ୍ମକ ଚିକିତ୍ସା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ସାମାଜିକ ଦୂରତ୍ୱ, ହାତକୁ ନିୟମିତ ଧୋଇବା ଏବଂ ଲକ୍‌ଡାଉନ ନିୟମକୁ ଠିକ୍‌ ଭାବେ ପାଳନ କରିବା ଦ୍ୱାରା କରୋନା ମୁକାବିଲା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଆସନ୍ତା ୩ ଦିନ ମଧ୍ୟରେ ମହାନଦୀ କୋଲ ଫିଲ୍ଡ୍ସ ଲିଃ(ଏମ୍‌ସିଏଲ୍‌) ଆର୍ଥିକ ସହଯୋଗରେ ସମ୍‌ ହସ୍ପିଟାଲରେ ଆଉ ୫୨୫ ଶଯ୍ୟା ବିଶିଷ୍ଟ କରୋନା ସଂକ୍ରମିତଙ୍କ ପାଇଁ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦିଆଯାଇଛି।