କରୋନା ମୁକାବିଲାରେ ସାମିଲ ହୋଇଛନ୍ତି ୭୨ ହଜାର ଅଙ୍ଗନବାଡି କର୍ମୀ

ଓଡିଶା ବଡ ଖବର ମହାନଗର

#କରୋନା_ମୁକାବିଲାରେ_ସାମିଲ_ହୋଇଛନ୍ତି_୭୨_ହଜାର_ଅଙ୍ଗନବାଡି_କର୍ମୀ       ଭୁବନେଶ୍ୱର   :  ଲକ୍ ଡାଉନ୍ ଘୋଷଣା ପରେ ସ୍ୱଳ୍ପ ସମୟ ମଧ୍ୟରେ ପ୍ରାୟ ୭୨,୫୦୦ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ରାଜ୍ୟର ୪୧,୨୭,୦୫୦ ଗର୍ଭବତୀ, ପ୍ରସୂତି ଓ ଶିଶୁ ହିତାଧିକାରୀଙ୍କୁ ଶୁଖିଲା ରାସନ୍, ଅଣ୍ଡା (ସାପ୍ତାହିକ) ସେମାନଙ୍କ ଘରେ ବିତରଣ କରାଯାଇଛି ବୋଲି , ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ହିଂଜିଳିକାଟୁର ଅଙ୍ଗନବାଡି କର୍ମୀ ରମା ସାହୁ ଏବଂ କୋରାପୁଟ ଦଶମନ୍ତପୁରର ଅଙ୍ଗନବାଡି କର୍ମୀ ଧନମତି ଗଦୁଆଙ୍କୁ ସମ୍ମାନିତ କରାଯାଇଥିଲା ।
ସେ କହିଛନ୍ତି ଯେ ଲକ୍ ,ଡାଉନ୍ ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଥିଲେ ହେଁ ସେମାନଙ୍କ କାମ ବନ୍ଦ ହୋଇନାହିଁ । ଅଙ୍ଗନବାଡି କର୍ମୀମାନେ ନିଜ ଅଂଚଳରେ ମା ଓ ଛୁଆ ମାନଙ୍କୁ ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ଖାଦ୍ୟ ଦେଉଛନ୍ତି । ଗର୍ଭବତୀ , ପ୍ରସୂତି ଓ ଶିଶୁଙ୍କୁ ଛତୁଆ , ଶୁଖିଲା ଖାଦ୍ୟ ଓ ଅଣ୍ଡା ଦିଆଯାଉଛି । ସେମାନେ ଘର ଘର ଯାଇ ଏସବୁ ଯୋଗାଉଛନ୍ତି । କେବଳ ସେତିକି ନୁହେଁ ଘରକୁ ଘର ଯାଇ ସର୍ଭେ କରୁଛନ୍ତି । କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି । ଏହା ଦ୍ୱାରା ଲୋକମାନଙ୍କ ଉପରେ ସକରାତ୍ମକ ପ୍ରଭାବ ପଡୁଛି । ଏସମ୍ପର୍କରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ତାଙ୍କୁ ତାଲିମ ଦିଆଯାଉଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଥିଲେ ଯେ ସ୍ୱତନ୍ତ୍ର ଭାବରେ ତାଲିମପ୍ରାପ୍ତ ଅଙ୍ଗନବାଡ଼ି କର୍ମୀ/ସହାୟିକା ଗାଁ ଗାଁରେ ପ୍ରତି ଘରେ ସୂଚନା ପ୍ରଚାର ସାମଗ୍ରୀ ବିତରଣ କରି ସଚେତନତା ସୃଷ୍ଟି, ଗାଁକୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରି ସଙ୍ଗରୋଧରେ ରହିବା ନିମନ୍ତେ ପ୍ରବର୍ତାଇବା, ଆଶାକର୍ମୀମାନଙ୍କ ସହ ସମନ୍ୱୟ ରକ୍ଷା କରି ପ୍ରତ୍ୟେକ ଘରର ସ୍ୱାସ୍ଥ୍ୟ ସମସ୍ୟାର ଡାଟାବେସ୍ ତିଆରି କରିବା, ପିଡିଏସ୍ ସାମଗ୍ରୀ ବିତରଣ ଏବଂ ବାର୍ଦ୍ଧକ୍ୟ ଭତା ବଂଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କ କଠିନ୍ ପରିଶ୍ରମ, ସହଯୋଗ, ଉତ୍ସର୍ଗୀକୃତ କର୍ତବ୍ୟନିଷ୍ଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।