ଇଞ୍ଜିନିୟର୍‌ ଚାକିରି ଛାଡ଼ି ‘ଚା’ ବିକୁଛନ୍ତି ତାପସ

ଇଞ୍ଜିନିୟର୍‌ ଚାକିରି ଛାଡ଼ି ‘ଚା’ ବିକୁଛନ୍ତି ତାପସ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର ବାଣିଜ୍ୟ ବିଶେଷ

#ଇଞ୍ଜିନିୟର୍‌_ଚାକିରି_ଛାଡ଼ି_‘ଚା’_ବିକୁଛନ୍ତି_ତାପସ  ବାରିପଦା : ତନ୍ଦୁରି ଟି, ଡ୍ରାଗନ୍‌ ଟି, ବ୍ଲାକ୍‌ ଟି ଓ ଅର୍ଗାନିକ୍‌ ଟି ଏଭଳି ବିଭିନ୍ନ ପ୍ରକାର ‘ଚା’  ଏବେ ବଜାରରେ ଉପଲବ୍ଧ ହେଲାଣି ।କେବଳ ସେତିକି ନୁହେଁ, ଏହାକୁ ନେଇ ମଧ୍ୟ ରୋଜଗାରର ମାଧ୍ୟମ କରାଗଲାଣି। ଏବେ ବାରିପଦା ବାସୀ ଏଭଳି ଭଳିକି ଭଳି ଚା’ର ମଜ୍ଜା ଉଠାଉଛନ୍ତି। ସେମାନଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛନ୍ତି  ବାରିପଦାର ଯୁବ ଇଞ୍ଜିନିୟର୍‌ ତାପସ ଧର ମହାପାତ୍ର। ଇଞ୍ଜିନିୟରିଂ ପାଠ ପଢ଼ିଥିବା ତାପସ ଲକ୍ଷ ଲକ୍ଷ ଟଙ୍କାର ଦରମା ଛାଡ଼ି ବାରିପଦାର ରାଜରାସ୍ତାରେ ‘ଚା’ ଷ୍ଟଲ୍‌ରେ ‘ଚା’ ବିକ୍ରି କରି ବାରିପଦା ବାସୀଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି । ଯାହା ବର୍ତ୍ତମାନ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାପସଙ୍କ ଚା ଷ୍ଟଲ୍‌ରେ ତନ୍ଦୁରି ଟି, ଡ୍ରାଗନ୍‌ ଟି, ବ୍ଲାକ୍‌ ଟି ଓ ଅର୍ଗାନିକ୍‌ ଟି ଭଳି ଅନେକ ସୁସ୍ୱାଦୁ ଚା’ ମିଳେ। ଯାହାକୁ ପିଇବା ପାଇଁ ଗ୍ରାହକଙ୍କର ଭିଡ଼ ଜମିଥାଏ। ବିଶେଷ କରି ତାଙ୍କ ଷ୍ଟଲ୍‌ରେ ତନ୍ଦୁରି ଟିର ବେଶ୍‌ ଚାହିଦା ରହିଛି। ଏହି ଟିକୁ ତାପସ ଗ୍ରାହକମାନଙ୍କୁ ମାଟି ପାତ୍ରରେ ପରଷିଥା’ନ୍ତି।

ଖାଲି ଏତିକି ନୁହେଁ, ଗ୍ରାହକମାନଙ୍କୁ ମାଟି ପାତ୍ର ଓ କାଗଜ କପ୍‌ରେ ଚା’ ଦେଇ ପ୍ଲାଷ୍ଟିକଠାରୁ ଦୂରେଇ ରହିବା ଓ ପରିବେଶ ପ୍ରଦୂଷଣ ନ କରିବା ପାଇଁ ସେ ବାର୍ତ୍ତା ମଧ୍ୟ ଦେଉଛନ୍ତି।

ଇଞ୍ଜିନିୟରିଂ ପାଠ ପଢ଼ିବା ପରେ ଚେନ୍ନାଇ ଓ ବାଙ୍ଗାଲୋରରେ ଚାକିରି କରୁଥିଲେ ତାପସ। କିନ୍ତୁ ଦେହ ଭଲ ନରହିବାରୁ ଚାକିରି ଛାଡ଼ି ନିଜେ ସ୍ୱାବଲମ୍ୱୀ ହେବା ପାଇଁ ସେ ବ୍ୟବସାୟ ଆରମ୍ଭ କରିଥିଲେ।

ତେବେ ଏଭଳି ଚା’ ଦୋକାନ କରିବା ପଛରେ କୌଣସି କାହାଣୀ ନଥିବା କଥା ତାପସ କହିଛନ୍ତି। ପ୍ରଥମେ ସେ ବିଭିନ୍ନ ଦୋକାନ ବୁଲି ଦେଖିଥିଲେ ଏବଂ ଚା’ ଷ୍ଟଲ୍‌ଟିଏ ଦେବା ପାଇଁ ଯୋଜନା ଆରମ୍ଭ କରିଥିଲେ। ତାଙ୍କର ଏହି ନିଷ୍ପତ୍ତି ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଚା’ ଷ୍ଟଲ୍‌ଟିଏ କରି ଚାକିରି ନପାଇ ଚିନ୍ତାରେ ରହୁଥିବା ଯୁବପିଢ଼ିଙ୍କ ପାଇଁ ଯୁବ ଇଞ୍ଜିନିୟର୍ ତାପସ ଧରମହାପାତ୍ର ଏକ ଉଦାହରଣ ପାଲଟିଛନ୍ତି।