ଆଗାମୀ କିଛି ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ

ଆଗାମୀ କିଛି ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ

ଓଡିଶା ବଡ ଖବର

#ଆଗାମୀ_ କିଛି_ସପ୍ତାହ_ଆମ_ପାଇଁ_ସବୁଠାରୁ_ଗୁରୁ୍ତ୍ୱପୂର୍ଣ୍ଣ               ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡ଼ିଓ କନଫରେନସିଂ ଜରିଆରେ କୋଭିଡ଼ ମ୍ୟାନେଜମେଂଟ ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ମେଡ଼ିକାଲ କଲେଜର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ତଥା ରାଜ୍ୟର ବିଭିନ୍ନ କୋଭିଡ଼ ହସ୍ପିଟାଲର କର୍ମକର୍ତ୍ତା ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କର୍ମଶାଳାରେ ମୁଖ୍ୟତଃ କୋଭିଡ଼ ୧୯ ପରିଚାଳନାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ନିରାପତା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯାଇଥିଲା ।
ରାଜ୍ୟରେ କୋଭିଡ଼ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ । ସେହିପରି କୋଭିଡ଼ ରୋଗରୁ ସୁସ୍ଥତା ହାରରେ ମଧ୍ୟ ଓଡ଼ିଶା ଭାରତର ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଅନ୍ୟତମ । ତେଣୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସାଧୁବାଦ ଦେବା ସହ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ କେବଳ ଆପଣଙ୍କ ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି, ଆମ ସମସ୍ତଙ୍କ ପାଇଁ ତଥା ସାରା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ନିଜର ଯତ୍ନ ଠିକ୍ ଭାବରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଥିଲେ ।
ଆଗକୁ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଯାଉଛି । ମୌସୁମୀ ଋତୁରେ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ । ତେଣୁ କୋଭଡ଼ ନିୟନ୍ତ୍ରଣ କ୍ଷେତ୍ରରେ ଆଗାମୀ କିଛି ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ସାରା ରାଜ୍ୟରେ ଘରକୁ ଘର ବୁଲି ସକ୍ରିୟ କୋଭିଡ଼ ପରିସ୍ଥିତି ପର୍ଯ୍ୟବେକ୍ଷଣ କରିବା ସହିତ ଗୁରୁତର ରୋଗୀ, ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସମ୍ପର୍କରେ ମଧ୍ୟ ପର୍ଯ୍ୟବେକ୍ଷଣ କରିବା ପାଇଁ ସମନ୍ୱିତ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡ଼ ୧୯ ରୋଗର ପ୍ରତିକାର ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା ହେଉଛି ଶ୍ରେଷ୍ଠ ଉପାୟ । ତେଣୁ ଏଥିପ୍ରତି ସମସ୍ତେ ବିଶେଷ ଯତ୍ନବାନ ହେବା ଆବଶ୍ୟକ । ଏହି କଠିନ ପରିସ୍ଥିତିରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଲୋକଙ୍କ ପ୍ରକୃତ ହିରୋ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କର ଏହି ଭରସା ଓ ବିଶ୍ୱାସ ସେମାନଙ୍କ ଉପରେ ଅଧିକ ଦାୟିତ୍ୱ ଦେଉଛି । ତେଣୁ ସେମାନେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଥିବା ବିଭିନ୍ନ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବରେ ଅନୁପାଳନ କରି ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଥିଲେ ।
ଏହି ପରିପ୍ରେକ୍ଷୀରେ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ବ୍ୟକ୍ତିଗତ ସୁରକ୍ଷା ନିୟମାବଳୀ ଯେପରି ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦ୍ୱାରା ବିଭିନ୍ନ ଚିକିତ୍ସାଳୟରେ ଠିକ୍ ଭାବରେ ପାଳନ କରାଯିବ, ତାହା ହେଉଛି ଆମର ସାମୂହିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆମକୁ ମନେ ରଖିବାକୁ ହେବ, କୋଭିଡ଼-୧୯ ବିରୁଦ୍ଧରେ ଚାଲିଥିବା ଆମର ଏହି ଯୁଦ୍ଧରେ ଆମର ସ୍ୱାସ୍ଥ୍ୟକର୍ମୀମାନେ ହିଁ ହେଉଛନ୍ତି ଆମର ସବୁଠାରୁ ମୂଲ୍ୟବାନ ସମ୍ପତି । ତା ସହିତ ଏହି ଯୁଦ୍ଧରେ ସେମାନଙ୍କ ଜୀବନ ମଧ୍ୟ ବିପଦସଂକୁଳ । ତେଣୁ ରାଜ୍ୟ ସରକାର ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ଯୋଗାଇଦେବା ସହ ବ୍ୟାପକ ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ଯୁଦ୍ଧର ସମ୍ମୁଖ ଭାଗରେ ରହି କାମ କରୁଥିବା ଯୋଦ୍ଧାମାନେ ଯେପରି ସଂକ୍ରମିତ ନ ହେବେ, ସେଥିପାଇଁ ଆମକୁ ସୁରକ୍ଷା ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ହେବ ଏବଂ ଆମର ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ଅତୁଟ ରଖିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଗତ କିଛି ସପ୍ତାହ ମଧ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଆମର ଯୋଦ୍ଧା ମାନଙ୍କ ମଧ୍ୟରୁ କେତେଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଘଟଣା ମୋତେ ଚିନ୍ତିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ସଂକ୍ରମଣ ରୋକିବା ପାଇଁ ଥିବା ନିୟମାବଳୀର ସମ୍ଭବତଃ ଉଲ୍ଲଂଘନ କରାଯାଇଛି ବୋଲି ଆଶଙ୍କାବ୍ୟକ୍ତି କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଲମ୍ବା ଯୁଦ୍ଧରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ହିଁ ଲୋକ ମାନଙ୍କର ପ୍ରକୃତ ଶକ୍ତି । ସେମାନଙ୍କ ଟିମର ନିରାପତ୍ତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ଉପାୟ ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ସ୍ତରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀମାନେ ଯେପରି ସଂକ୍ରମଣ ରୋକିବା ପାଇଁ ଥିବା ବିଭିନ୍ନ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଆବଶ୍ୟକତା ଭିତ୍ତିରେ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣ ନିୟମାବଳୀ ବିଷୟରେ ରିଫେନ୍ର ତାଲିମ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଆମ ସମସ୍ତଙ୍କ ମିଳିତ ଉଦ୍ୟମ ଦ୍ୱାରା ହିଁ ଏହି ମହାମାରୀର ସଫଳ ମୁକାବିଲା କରାଯିବା ସହିତ ଆମ ଲୋକମାନଙ୍କ ସ୍ୱାସ୍ଥ୍ୟ ନିରାପତା ସୁନିଶ୍ଚିତ କରିପାରିବା ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଏହି କର୍ମଶାଳାରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।