ଅଢେଇ ଲକ୍ଷରେ ଡଙ୍ଗା କିଣି ପୁଣି ଚେନ୍ନାଇରୁ ଫେରିଲେ ୩୯ଜଣ ମତ୍ସ୍ୟଜୀବୀ

ଅଢେଇ ଲକ୍ଷରେ ଡଙ୍ଗା କିଣି ପୁଣି ଚେନ୍ନାଇରୁ ଫେରିଲେ ୩୯ଜଣ ମତ୍ସ୍ୟଜୀବୀ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର

#ଅଢେଇ_ଲକ୍ଷରେ_ଡଙ୍ଗା_କିଣି_ପୁଣି_ଚେନ୍ନାଇରୁ_ଫେରିଲେ_୩୯_ମତ୍ସ୍ୟଜୀବୀ      ବ୍ରହ୍ମପୁର : (ଶାନ୍ତନୁ କୁମାର ରଣା )  ଓଡିଶା ପାଇଁ କୋଲକାତାରୁ ଫେରିଥିବା ପ୍ରବାସୀ ଓଡିଆ ମାନେ ବିପଦର କାରଣ ହୋଇଥିବା ବେଳେ  ଏବେ ଚେନ୍ନାଇରୁ ଡଙ୍ଗାରେ ଫେରୁଥିବା ପ୍ରବାସୀ ଓଡିଆ ଏହି ବିପଦକୁ ଆହୁରି ବଢାଇ ଦେଇଛନ୍ତି।  ଲକ୍‌ଡାଉନ୍‌ ଯୋଗୁଁ ଚେନ୍ନାଇରେ ଫସିଛନ୍ତି ଶହ ଶହ ମତ୍ସ୍ୟଜୀବୀ ଓ ଶ୍ରମିକ। ଏବେ ସେମାନେ ସମୁଦ୍ର ଜଳପଥକୁ ସେମାନଙ୍କ ଭିଟାମାଟିକୁ ଫେରିବାର ସହଜ ଉପାୟ ଭାବେ ଧରି ନେଇଛନ୍ତି। ମୁକୁଳା ପଡ଼ିଥିବା ସମୁଦ୍ର ଜଳପଥ ସୁଯୋଗ ନେଇ ହଟ୍‌ସ୍ପଟ୍‌ ତାମିଲନାଡ଼ୁର ଚେନ୍ନାଇରେ ଫସିଥିବା ମତ୍ସ୍ୟଜୀବୀ ପର୍ୟ୍ୟାୟ କ୍ରମେ ସଞ୍ଚିତ ଅର୍ଥ ଚାନ୍ଦା କରି ଲକ୍ଷାଧିକ ଟଙ୍କା ବିନିମୟରେ ଡଙ୍ଗା କିଣି ସମୁଦ୍ର ପଥରେ ଫେରୁଛନ୍ତି। ୨ଲକ୍ଷ ଟଙ୍କାରେ ଡଙ୍ଗା କିଣି ୩୮ଜଣ ଚେନ୍ନାଇରୁ ଜଳପଥରେ ଶନିବାର ପାତି ସୁନାପୁର ଆସିଥିଲେ। ରାଜ୍ୟ ପରିବହନ ମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାର ୨୪ଘଣ୍ଟା ନ ପୂରୁଣୁ ପୁଣି ଚେନ୍ନାଇରୁ ୩୯ଜଣ ମତ୍ସ୍ୟଜୀବୀ ଗଞ୍ଜାମ ଉପକୂଳ ଗାଁ ପାତିସୁନାପୁର ଓ ରାମେୟାପାଟଣାକୁ ଫେରିଛନ୍ତି। ସେହିପରି ଚେନ୍ନାଇରୁ ଆଉ ୩୩ଜଣ ଏକ ଡଙ୍ଗାରେ ଛତ୍ରପୁର ବ୍ଲକର ବଡ଼ ଆର୍ଯ୍ୟପଲ୍ଲୀକୁ ଫେରୁଥିବା ସୂଚନା ମିଳିଛି। ସେମାନଙ୍କ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ସେମାନେ ପହଞ୍ଚିବାରେ ବିଳମ୍ବ ହେଉଥିବା ସୂଚନା ରହିଛି। ଆଜି ବିଳମ୍ବିତ ରାତି ସୁଦ୍ଧା ଏହି ମତ୍ସ୍ୟଜୀବୀ ପହଞ୍ଚିବେ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ଟ୍ବିଟ୍‌ରେ ଦର୍ଶାଇଛନ୍ତି, ଡଙ୍ଗାରେ ଆସିଥିବା ୩୯ଜଣଙ୍କ ମଧ୍ୟରୁ ୨୫ଜଣ ଗଞ୍ଜାମ ଜିଲ୍ଲା ଏବଂ ୧୪ଜଣ ଆନ୍ଧ୍ରପ୍ରଦେଶର। ଚିକିଟି ବ୍ଲକ ପ୍ରାଶାସନିକ ଟିମ୍‌ ପକ୍ଷରୁ ସେମାନଙ୍କ ଉପଯୁକ୍ତ ସ୍କ୍ରିନିଂ କରାଯାଇ ପଞ୍ଜୀକରଣ ପରେ ସଙ୍ଗରୋଧକୁ ନିଆଯାଇଛି। ପାତିସୁନାପୁର ଓ ରାମେୟାପଟଣାରେ ଚିକିଟି ବିଡିଓ ଫାଲଗୁନୀ ମାଝି, ତହସିଲଦାର ହରପ୍ରସାଦ ଭୋଇ, ସୁନାପୁର ସରପଞ୍ଚ ମଞ୍ଜୁଳା ବହେରା ଓ କତୁରୁ ପଞ୍ଚାୟତର ଜଗବନ୍ଧୁ ବେହେରା, ସୁନାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପତି ପ୍ରମୁଖ ଉପସ୍ଥିତ ରହି ଏମାନଙ୍କୁ ସଙ୍ଗରୋଧରେ ରଖିବା ସହିତ ଆନୁଷଙ୍ଗିକ ବ୍ୟବସ୍ଥା କରିଥିଲେ।

ଘଟଣାରୁ ପ୍ରକାଶଯେ,ଚିକିଟି ବ୍ଲକ ଅର୍ନ୍ତଗତ ପାତି ସୁନାପୁର, ରାମେୟାପଟଣାର କିଛି ମତ୍ସ୍ୟଜୀବୀ କାମଧନ୍ଦା ଅନ୍ବେଷଣରେ ଚେନ୍ନାଇ ଯାଇଥିଲେ। ଲକ୍‌ଡାଉନ୍‌ ପରେ ସେଠାରେ ଫସି ରହିଥିଲେ। ଏମାନଙ୍କ ସହ ଆନ୍ଧ୍ରର କିଛି ମିଶି ସମୁଦାୟ ୩୯ଜଣ ମତ୍ସ୍ୟଜୀବୀ  ୨ଲକ୍ଷ ୫୫୦ ହଜାର ଟଙ୍କାରେ ଡଙ୍ଗା କିଣି ଗତ ୨୩ତାରିଖ ରାତିରେ ନିଜ ଭିଟାମାଟି ଅଭିମୁଖେ ବାହରିଥିଲେ। ସେମାନେ ଫେରୁଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶର କାଭେଟି-ପାଲାସା ମଧ୍ୟବର୍ତ୍ତୀ ସ୍ଥାନରେ ବୋଟ୍‌ରୁ ତେଲ ସରି ଯାଇଥିଲା। ସ୍ଥାନୀୟ କିଛି ଯୁବକ ଓ ମତ୍ସ୍ୟଜୀବୀ ନେତା ଆଉ ଏକ ଡଙ୍ଗାରେ ଡିଜେଲ୍‌ ଯୋଗାଇ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଡିଜେଲ୍‌ ସରିବା କାରଣରୁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆର୍ଥାତ ଅପରାହ୍ନ ୩ଟା ବେଳେ ଡଙ୍ଗା ରାମେୟାପଟଣା ଉପକୂଳରେ ଲାଗିଥିଲା। ଗଞ୍ଜାମ ଜିଲ୍ଲା ସୀମାରେ ପହଞ୍ଚିବା ପରେ ପ୍ରଥମେ ଡଙ୍ଗା ପାତି ସୁନାପୁର ଠାରେ ଲାଗିଥିଲା। ସେଠାରେ ୧୫ଜଣଙ୍କୁ ଓହ୍ଲାଇବା ପରେ ରାମେୟାପାଟଣା ଅଭିମୁଖେ ଡଙ୍ଗା ଯାତ୍ରା ଆରମ୍ଭ କରିଥିଲା। ପାତିସୁନାପୁରଠାରେ ଓହ୍ଲାଇଥିବା ୧୫ଜଣଙ୍କୁ ସେଠାକାର ଓଡିଆରପି କଲୋନୀ ସ୍ଥିତ କମ୍ୟୁନିଟି ହଲ୍‌ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ସେଥିରେ ପାତି ସୁନାପୁର ୯ଜଣ ଏବଂ ଆନ୍ଧ୍ରର ୬ଜଣ ରହିଛନ୍ତି। ରାମେୟାପଟଣା ଗାଁର ୧୨ଜଣଙ୍କୁ ଉକ୍ତ ଗ୍ରାମର ଓଡିଆରପି କଲୋନୀ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିବା ଜଣାପଡ଼ିଛି।