ଏଥର ବଡଦାଣ୍ଡରେ ଗଡିବନି ରଥ :ସୁପ୍ରିମକୋର୍ଟଙ୍କ ଲଗାଇଲେ ଅଙ୍କୁଶ

ଏଥର ବଡଦାଣ୍ଡରେ ଗଡିବନି ରଥ :ସୁପ୍ରିମକୋର୍ଟ ଲଗାଇଲେ ଅଙ୍କୁଶ

ଦେଶ -ବିଦେଶ ଓଡିଶା ବଡ ଖବର

#ଏଥର_ବଡଦାଣ୍ଡରେ_ଗଡିବନି_ରଥ         ନୂଆଦିଲ୍ଲୀ  : ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆସନ୍ତା ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ସ୍ଥଗିତ ରଖିବାକୁ ଗୁରୁବାର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡିଶାରେ କେଉଁଠାରେ ମଧ୍ୟ ରଥଯାତ୍ରା ହୋଇପାରିବ ନାହିଁ ।

ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁମିତ ଦିଆଯିବ, ତେବେ ଆମକୁ ଭଗବାନ ଜଗନ୍ନାଥ କ୍ଷମା ଦେବେ ନାହିଁ । କରୋନା ମହାମାରୀ ସମୟରେ ଏହାକୁ ଅନୁମତି ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଆଖି ଆଗରେ ରଖାଯାଇ ଏଭଳି ନିଷ୍ପତି ନିଆଯାଉଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ, ବିଚାରପତି ଏ.ଏସ୍.ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିଛନ୍ତି । ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ବିକାଶ ପରିଷଦ ସମେତ ପାଖାପାଖି ୭ଟି ଆବେଦନ କୋର୍ଟଙ୍କ ନିକଟରେ ରହିଥିଲା,ଯାହାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ପୁରୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା  ବଢୁଛି । ରଥଯାତ୍ରା ଲୋକଙ୍କ ଭାବାବେଗ ସହ ଜଡିତ । ତେଣୁ ରଥଯାତ୍ରା ହେଲେ ଭକ୍ତଙ୍କ ସମାଗମକୁ ଅଟକାଇବା ଅସମ୍ଭବ ହୋଇପଡ଼ିବ । ସାମାଜିକ ଦୂରତ୍ୱ ମଧ୍ୟ ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି ।

ଏହି ମାମଲାରେ ରାଜ୍ୟ ସରକାରଙ୍କ ପାଇଁ ବରିଷ୍ଠ ଓକିଲ ହରିଶ ସାଲଭେ ଲଢ଼ୁଥିବାବେଳେ ଓଡ଼ିଶା ବିକାଶ ପରିଷଦ ପାଇଁ ଲଢୁଥିଲେ ମୁକୁଲ ରୋହତଗି । ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିଲେ ଏସଜି ତୁଷାର ମେହେଟ୍ଟା ।