ନୂଆ ବର୍ଷରେ ବଢ଼ିଲା ରେଳ ଭଡ଼ା

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତୀୟ ରେଳବାଇ ଭଡ଼ା ବୃଦ୍ଧି କରି ସାଧାରଣ ଲୋକଙ୍କୁ ଝଟକା ଦେଇଛି। ଆଜି ମଧ୍ୟରାତ୍ର ଅର୍ଥାତ ୨୦୨୦ ଜାନୁଆରୀ ୧ରୁ ଲମ୍ବା ଯାତ୍ରା କରୁଥିବା ଲୋକଙ୍କୁ ମହଙ୍ଗା ମାଡ଼ ଭୋଗିବାକୁ ପଡ଼ିବ। ଆଜି ରେଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏସିରେ ଯାତ୍ରା କରୁଥିବା ଲୋକଙ୍କୁ ଆଜି ମଧ୍ୟରାତ୍ରଠାରୁ କିଲୋମିଟର ପିଛା ଅଧିକ ୪ ପଇସା ଦେବାକୁ ପଡ଼ିବ।

ସେହିପରି ସାଧାରଣ ନନ୍-ଏସି ଯାତ୍ରା ପାଇଁ କିମି ପିଛା ୧ ପଇସା ଓ ନନ୍‌-ଏସି ଏକ୍ସପ୍ରେସ ପାଇଁ କିମି ପିଛା ଅଧିକ ୨ ପଇସା ଦେବାକୁ ପଡ଼ିବ। ସେକେଣ୍ଡ କ୍ଲାସ ଅର୍ଡିନାରୀ, ସ୍ଲିପର କ୍ଲାସ ଅର୍ଡିନାରୀ ଓ ଫାଷ୍ଟ କ୍ଲାସ ଅର୍ଡିନାରୀ ନନ୍‌ ଏସି ଯାତ୍ରା ପାଇଁ କିମି ପିଛା ଅଧିକ ୧ ପଇସା ଦେବାକୁ ପଡ଼ିବ।

ସେକେଣ୍ଡ କ୍ଲାସ(ମେଲ/ଏକ୍ସପ୍ରେସ), ସ୍ଲିପର କ୍ଲାସ (ମେଲ/ଏକ୍ସପ୍ରେସ) ଓ ଫାଷ୍ଟ କ୍ଲାସ (ମେଲ/ଏକ୍ସପ୍ରେସ) ଭଡ଼ା ୨ ପଇସା ଲେଖାଏ ବୃଦ୍ଧି ପାଇଛି। ଏସି ଚେୟାର କାର୍‌, ଏସ-୩ ଟାଇର/୩ଇ, ଏସି ୨ଟାଇର ଓ ଏସି ଫାଷ୍ଟକ୍ଲାସ ପାଇଁ ୪ ପଇସା ଲେଖାଏ ଦେବାକୁ ପଡ଼ିବ।

ସବଅର୍ବାନ ଟ୍ରେନଗୁଡ଼ିକ ଏହି ବର୍ଦ୍ଧିତ ଦରରୁ ବାଦ ପଡ଼ିଛନ୍ତି। ତେବେ ଶତାବ୍ଦୀ, ରାଜଧାନୀ ଓ ଦୂରୋନ୍ତ ଭଳି ପ୍ରିମିୟମ ଟ୍ରେନ ଯାତ୍ରା ପାଇଁ ବର୍ଦ୍ଧିତ ଦର ଲାଗୁ ହେବ। ଦିଲ୍ଲୀରୁ କୋଲକାତା ଯାଉଥିବା ରାଜଧାନୀ ଏକ୍ସପ୍ରେସ ୧୪୪୭ କିମି ଦୂରତା ଅତିକ୍ରମ କରୁଛି। ଏବେ ଏହି ଟ୍ରେନରେ ଯଦି କେହି ଯାତାୟାତ କରେ, ତେବେ ତାଙ୍କୁ ଅଧିକ ୫୮ ଟଙ୍କା ଦେବାକୁ ପଡ଼ିବ।