ଭାରତରେ କୋଭିଡ-୧୯ ମୁକାବିଲା ପାଇଁ ଏଆଇଆଇବି ସହ ୭୫୦ ନିୟୁତ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ

ଭାରତରେ କୋଭିଡ-୧୯ ମୁକାବିଲା ପାଇଁ ଏଆଇଆଇବି ସହ ୭୫୦ ନିୟୁତ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ

ଦେଶ -ବିଦେଶ ବଡ ଖବର

#ଭାରତରେ_କୋଭିଡ-୧୯_ମୁକାବିଲା_ପାଇଁ_ଚୁକ୍ତି          ନୂଆଦିଲ୍ଲୀ  : ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ଆଜି ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ ମିଳିବାକୁ ଥିବା ଅର୍ଥ କୋଭିଡ-୧୯ ମହାମାରୀର ପ୍ରତିକୂଳ ପ୍ରଭାବ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଏବଂ ଦୁର୍ବଳ ପରିବାରଙ୍କୁ ସହାୟତା ପ୍ରଦାନ କରିବାରେ ବିନିଯୋଗ କରାଯିବ । ଏଆଇଆଇବି ପକ୍ଷରୁ ଏହା ହେଉଛି ଭାରତକୁ ସର୍ବପ୍ରଥମ ବଜେଟ ସହାୟତା ।ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ  ସମୀର କୁମାର ଖାରେ ଏବଂ ଏଆଇଆଇବି ପକ୍ଷରୁ ମହାନିର୍ଦ୍ଦେଶକ (କାର୍ଯ୍ୟକାରୀ) ଶ୍ରୀ ରଜତ ମିଶ୍ରା ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ଶ୍ରୀ ଖାରେ କହିଥିଲେ, “କରୋନା ଭୂତାଣୁ ମୁକାବିଲା ନିମନ୍ତେ ଏଆଇଆଇବି ପକ୍ଷରୁ ଏହି ସହାୟତା ପାଇଁ ଆମେ ଧନ୍ୟବାଦ ଜଣାଉଛୁ । କରୋନା ଭୂତାଣୁ କାରଣରୁ ମହିଳାଙ୍କ ସମେତ ସମାଜର ଦୁର୍ବଳ ବର୍ଗ ପ୍ରଭାବିତ ହୋଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଏହି ଅର୍ଥରେ ସହାୟତା ଯୋଗାଇ ଦିଆଯିବ । ସେହିପରି ପ୍ରଭାବିତ ହୋଇଥିବା ସଂଗଠିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପଦକ୍ଷେପ ସୁନିଶ୍ଚିତ କରାଯାଇପାରିବ । ଏଆଇଆଇବି ପକ୍ଷରୁ ଏହି ସମୟୋପଯୋଗୀ ଆର୍ଥିକ ସହାୟତା ସରକାରଙ୍କ କୋଭିଡ-୧୯ ଜରୁରିକାଳୀନ ମୁକାବିଲା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇପାରିବ ।ଏହି କାର୍ଯ୍ୟକ୍ରମ ଦ୍ୱାରା କୋଭିଡ ୧୯ ମହାମାରୀର ପ୍ରତିକୂଳ ସାମାଜିକ ଏବଂ ଆର୍ଥିକ ପ୍ରଭାବ ହ୍ରାସ କରିବା କ୍ଷେତ୍ରରେ ଭାରତ ସରକାରଙ୍କୁ ବଜେଟ ସହାୟତା ମିଳିପାରିବ । ପୂର୍ବରୁ ଏଆଇଆଇବି ପକ୍ଷରୁ ଭାରତକୁ କୋଭିଡ-୧୯ ମୁକାବିଲା ନିମନ୍ତେ ୫୦୦ ନିୟୁତ ଡଲାର ଋଣ ସହାୟତା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଦ୍ୱାରା ମୁଖ୍ୟତଃ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପରିବାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଧବା, ଦିବ୍ୟାଙ୍ଗଜନ ଏବଂ ଅନ୍ୟ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା ପ୍ରଦାନ କରାଯିବ । ଏଆଇଆଇବି ଏବଂ ଏସୀୟ ବିକାଶ ବ୍ୟାଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ମୋଟ ୨.୨୫୦ ବିଲିୟନ ଡଲାର ମଧ୍ୟରୁ ଏଆଇଆଇବି ପକ୍ଷରୁ ୭୫୦ ମିଲିୟନ ଡଲାର ଏବଂ ଏଡିବି ପକ୍ଷରୁ ୧.୫ ବିଲିୟନ ଡଲାର ଅର୍ଥ ଯୋଗାଇ ଦିଆଯିବ ।