ତାଗିଦ୍ ପରେ ଅଳ୍ପ ବକେୟା ପୈଠ କଲେ ଟେଲିକମ କମ୍ପାନୀ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ତାଗିଦ୍_ପରେ_ଅଳ୍ପ_ବକେୟା_ପୈଠ_କଲେ_ଟେଲିକମ_କମ୍ପାନୀ  ନୂଆଦିଲ୍ଲୀ :  ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ବକେୟା ବାବଦ ୧.୪୭ ଲକ୍ଷ କୋଟି ଟଙ୍କାରୁ ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା ୯୨ ହଜାର କୋଟି ଟଙ୍କା ପୈଠ ଲାଗି ଟେଲି କମ୍ କମ୍ପାନୀମାନଙ୍କୁ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ (ଡିଓଟି) ନିର୍ଦ୍ଦେଶ ଦେଇଥିଲେ। ତେବେ କମ୍ପାନୀମାନେ ସୋମବାର ବକେୟାର ଆଂଶିକ ପୈଠ କରିଥିବା ବେଳେ ତାହା ବି ଡଟ୍‌ଙ୍କ ନିର୍ଦ୍ଦେଶ ମୁତାବକ ହୋଇନଥିବା ଜଣାପଡିଛି। ତେବେ ଏଥିରେ ସୋମବାର ଗୋଟିଏ ଦିନରେ ୧୪ ହଜାର ୬୯୦ କୋଟି ଟଙ୍କା ବକେୟା ଅସୁଲ ହୋଇଥିବା ଡିଓଟିଙ୍କ ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ସୋମବାର ଭୋଡାଫୋନ ଆଇଡିଆ, ଟାଟା ଟେଲିସର୍ଭିସେସ୍ ଓ ଭାରତୀ ଏୟାରଟେଲ ଏହି ପୈଠ କରିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଚଳିତ ସପ୍ତାହ ଶେଷ ସୁଧା ଆଉ କିଛି ବକେୟା ପୈଠ କରିବେ ବୋଲି କହିଥିବା ବେଳେ ଆଉ କେତେକ ସେମାନଙ୍କ କମ୍ପାନୀର ଆକଳନ ଶେଷ ହେବା ପରେ ପୈଠ କରିବେ ବୋଲି କହିଛନ୍ତି। ତେବେ ଏଥିରେ ଟାଟା ଟେଲିସର୍ଭିସେସ୍ ୨ହଜାର ୧୯୭ କୋଟି ଟଙ୍କା ପୈଠ କରିଥିବା ବେଳେ ଭୋଡାଫୋନ ଆଇଡିଆ ୨ହଜାର ୫୦୦ କୋଟି ଟଙ୍କା ଦେଇଛନ୍ତି। ତେବେ ଭୋଡାଫୋନ ଆଇଡିଆ ସପ୍ତାହ ଶେଷ ହେବା ପୂର୍ବରୁ ଆଉ ୧ ହଜାର କୋଟି ଟଙ୍କା ପୈଠ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।ଭୋଡାଫୋନ ଆଇଡିଆ ଉପରେ ଡିଓଟିଙ୍କର ୫୩ ହଜାର କୋଟି ଟଙ୍କାରୁ ବି ଅଧିକ ବକେୟା ରହିଛି। ଏଥିରୁ ସ୍ପେକ୍ଟ୍ରୁମ ବାବଦକୁ ୨୪ ହଜାର ୭୨୯ କୋଟି ଟଙ୍କା ବକେୟା ଥିବା ବେଳେ ଲାଇସେନ୍ସ ଫି ବାବଦକୁ ୨୮ହଜାର ୩୦୯ କୋଟି ଟଙ୍କା ବାକି ରହିଛି। ସେହିପରି ଟାଟା ଟେଲିସର୍ଭିସେସ ସ୍ପେକ୍ଟ୍ରୁମ ଓ ଲାଇସେନ୍ସ ଫି ବକେୟା ବାବଦକୁ ୨ ହଜାର ୧୯୭ କୋଟି ଟଙ୍କା ପୈଠ କରିଥିବା ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ତେବେ ସୋମବାର ଭାରତୀ ଏୟାରଟେଲ ସର୍ବାଧିକ ୧୦ ହଜାର କୋଟି ଟଙ୍କା ପୈଠ କରିଥିବା ଜଣାପଡିଛି।  ଏଥିରୁ କମ୍ପାନୀ ୯ହଜାର ୫୦୦ କୋଟି ଟଙ୍କା ଏୟାରଟେଲ ଲାଗି ପୈଠ କରିଥିବା ବେଳେ ଭାରତୀ ହେକ୍ସା କମ୍ ଓ ଟେଲନର ଲାଗି ୫୦୦ କୋଟି ଟଙ୍କା ପୈଠ କରିଛନ୍ତି। ବକେୟା ରାଶି କମ୍ପାନୀର ଆକଳନ ପରେ ପୈଠ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ଏଜିଆର ବାବଦରେ ବିପୁଳ ବକେୟା ପୈଠ ଲାଗି ସୁପ୍ରିମକୋର୍ଟ ଜନୁୟାରୀ ୨୩ ତାରିଖକୁ ଶେଷ ତାରିଖ ଧାର୍ଯ୍ୟ କରିଥିଲେ। ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି କମ୍ପାନୀମାନେ କ୍ୟୁରେଟିଭ ପିଟିସନ ଦାଖଲ କରିଥିବା ବେଳେ ତାହା ଅଗ୍ରାହ୍ୟ ହୋଇଯାଇଥିଲା। ତେବେ ଟେଲିକମ କମ୍ପାନୀମାନେ ନିର୍ଦ୍ଧାରିତ ତିଥି ସୁଦ୍ଧା ବକୈୟା ପୈଠ କରିନଥିବାରୁ କୋର୍ଟ ବିରକ୍ତ ହେବା ସହ ଏଥିଲାଗି ଟେଲିକମ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ହୋଇଥିବା ପତ୍ର ଲାଗି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଣୁ ଡଟ୍ ରାତାରାତ ବକେୟା ପୈଠ ଲାଗି କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ସୋମବାର ସେମାନେ ସାମ୍ୟକ ପୈଠ କରିଛନ୍ତି।