ଆଉ ଶୁଭୁନାହିଁ ପରଜାଙ୍କ ପାରମ୍ପରିକ ବାଦ୍ୟ ‘ଡୁଡୁଙ୍ଗା’ର ସ୍ବର

ଓଡିଶା ପର୍ଯ୍ୟଟନ ବଡ ଖବର ବିଶେଷ

#ଆଉ_ଶୁଭୁନାହିଁ_ପରଜାଙ୍କ_ପାରମ୍ପରିକ_ବାଦ୍ୟ_ଡୁଡୁଙ୍ଗାର_ସ୍ବର  କୋରାପୁଟ : ଦିନ ଥିଲା, ଡୁଡୁଙ୍ଗାର ତାଳେ ତାଳେ ଆଦିବାସୀ ଧାଙ୍ଗଡାଧାଙ୍ଗଡିମାନେ ନାଚୁଥିଲେ। ଜାନି, ଯାତରାରେ କୋରାପୁଟର ଗାଁ ଗାଁରେ ଶୁଭୁଥିଲା ଏହି ପାରମ୍ପରିକ ବାଦ୍ୟର ସ୍ୱର। କିନ୍ତୁ ଯୁଗ ବଦଳିବା ସହ ଏଥିରେ ଲାଗିଛି ଆଧୁନି ଝୁଙ୍କ। ଆଦିବାସୀ ଯୁବକଯୁବତୀମାନେ ଏବେ ଡିଜେ ଓ ମାଇକ ଲଗାଇ ନାଚୁଥିଲାବେଳେ ହଜି ଯିବାକୁ ବସିଛି ଡୁଡୁଙ୍ଗା। ତଥାପି ଏହାକୁ ଛାଡି ପାରି ନାହାନ୍ତି ଚଣ୍ତାଳ। କୋରାପୁଟ ଜିଲ୍ଲା ସଦର ବ୍ଲକ ଉମୁରି ଗ୍ରାମର ଚଣ୍ଡାଳ ଜାନୀ ଏବେ ବି ଡୁଡୁଙ୍ଗା ପ୍ରେମରେ ପାଗଳ। ପର୍ବପର୍ବାଣୀରେ ଡୁଡୁଙ୍ଗା ବଜାଇ ସେ ପାଉଛନ୍ତି ସାତ୍ତ୍ବିକ ଆନନ୍ଦ। ଏହି ଆଦିବାସୀ ବାଦ୍ୟର ମଧୁର ମୂର୍ଛନାରେ ପୁଲକିତ ହେଉଛନ୍ତି। କିନ୍ତୁ ଠିକ ଏହି ସମୟରେ ତାଙ୍କ ଉପରେ ଡର ବି ମାଡି ବସୁଛି। ମନରେ କେମିତି ଏକ ଅଜଣା ଆତଙ୍କ ଖେଳି ଯାଉଛି। ଆଉ ସେ ନିଜକୁ ନିଜେ ପ୍ରଶ୍ନ କରୁଛନ୍ତି, ତାଙ୍କ ଅନ୍ତେ ଡୁଡୁଙ୍ଗା ସବୁଦିନ ପାଇଁ ହଜି ଯିବନି ତ ?

କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିଲାବେଳେ ଏଠାରେ ବିଭିନ୍ନ ପ୍ରକାର ଜାତିର ଆଦିବାସୀ ଲୋକ ରହନ୍ତି। ଏଥିରୁ ପରଜା ଲୋକମାନେ କେଉଁ ଆଦିମ କାଳରୁ ଡୁଡୁଙ୍ଗା ବାଦ୍ୟ ବ୍ୟବହାର କରି ଆସୁଛନ୍ତି। ଏମାନଙ୍କର ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଓ ଯାନି ଯାତରାରେ ଡୁଡୁଙ୍ଗା ବାଦ୍ୟ ବଜାଇଥାନ୍ତି। ଦଶହରା, ପୁଷପୁନି, ଲନ୍ଦା ପରବ, ନୂଆ ହଳ ଆଦିରେ ନିଶ୍ଚିତ ଭାବେ ଡୁଡୁଙ୍ଗା ବାଜେ। ଆଉ ଏହାର ତାଳେ ତଳେ ଆଦିବାସୀ ଯୁବକଯୁବତୀମାନେ ନୃତ୍ୟ କରିଥାନ୍ତି। ଏହି ବାଦ୍ୟର ମଧୁର ସ୍ବରରେ ସମସ୍ତେ ସମ୍ମୋହିତ ହୋଇ ପାରମ୍ପରିକ ନୃତ୍ୟ ଗୀତ କରିଥାନ୍ତି। ଧାଙ୍ଗଡାମାନେ ଡୁଡୁଙ୍ଗା ବଜାଉଥିଲାବେଳେ ଧାଙ୍ଗଡିମାନେ ଗୀତ ଗାଇଥାନ୍ତି। ଏମିତି ନାଚଗୀତରେ ରାତି ପାହି ଯାଉଥିଲା। ଆଉ ଏମାନେ ଦୁଃଖ, କଷ୍ଟ ସବୁ କିଛି ଭୂଲି ଯାଉଥିଲେ। କିନ୍ତୁ ଏବେ ଆଉ ଶୁଭୁନି ଡୁଡୁଙ୍ଗାର ସ୍ୱର। ଜିଲ୍ଲାରେ ବହୁ ପରଜା ଗ୍ରାମ ରହିଥିଲେ ମଧ୍ୟ ଏମାନେ ଏହି ପାରମ୍ପରିକ ବାଦ୍ୟକୁ ପାଶୋରି ସାରିଲେଣି। ହାତଗଣତି କିଛି ଗ୍ରାମକୁ ଛାଡିଦେଲେ ଆଉ କେଉଁଠି ଏହି ବାଦ୍ୟ ଦେଖିବାକୁ ମିଳୁନି। ଆଉ ଏହା ଜାଗା ନେଇଛି ମାଇକ। ଏବେ ବିଭିନ୍ନ ଗ୍ରାମର ମାଇକ ସେଟ ରହିଥିଲାବେଳେ ନାଚିବା ପାଇଁ ଲୋକେ ଡିଜେ ଉପରେ ବି ନିର୍ଭର କରୁଛନ୍ତି। ପାରମ୍ପରିକ ବାଦ୍ୟ ବଦଳରେ ଆଧୁନିକ ଯନ୍ତ୍ରପାତି ମନୋରଂଜନର ମାଧ୍ୟମ ପାଲଟିଛି।

ତଥାପି ଡୁଡୁଙ୍ଗାକୁ ଛାଡି ପାରି ନାହାନ୍ତି ଉମୁରିର ଚଣ୍ଡାଳ ଜାନୀ। ପାଖାପାଖି ୫୫ ବର୍ଷର ଏହି ପରଜା ଲୋକ ଜଣଙ୍କ ଏବେ ବି ଡୁଡୁଙ୍ଗା ବଜାଇ ଗାଁକୁ ଗାଁ ବୁଲୁଛନ୍ତି। ଏହି ବାଜା ବଜାଇ ଧାଙ୍ଗଡା ଧାଙ୍ଗଡିଙ୍କ ସହ ନାଚ କରୁଛନ୍ତି। ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ନେଇ ଏକଲା ଲଢେଇ କରୁଛନ୍ତି। କିନ୍ତୁ ଏ ଦିଗରେ ପ୍ରଶାସନିକ ଓ ସରକାରୀ ସହାୟତା ବିଲକୁଲ ନାହିଁ। ଚଣ୍ଡାଳ ଜାନୀଙ୍କ କହିବାନୁଯାୟୀ, ପୂର୍ବ ପୁରୁଷରୁ ଆମେ ଡୁଡୁଙ୍ଗା ବଜାଇ ଗୀତ ଗାଇ ଆସୁଥିଲୁ। କିନ୍ତୁ ଏବେ ଏହା ବୁଡିବାକୁ ବସିଲାଣି। ଏହାକୁ ବଂଚାଇ ରଖିବା ପାଇଁ ୩ ବର୍ଷ ହେଲା ମୁଁ ଡୁଡୁଙ୍ଗା ବଜାଇ ଆସୁଛି। ଡୁଡୁଙ୍ଗା ବଜାଇ ନାଚିଲେ ଶାନ୍ତି ଲାଗେ। ଏବେ ମାଇକ ବଜାଇ ଧାଙ୍ଗଡାଧାଙ୍ଗଡି ନାଚୁଛନ୍ତି। ସେଥିପାଇଁ ଗଣ୍ଡଗୋଳ ହେଉଛି। ଆମ ଆଦିବାସୀ ସଂସ୍କୃତି ବୁଡି ଯାଉଛି। ତେଣୁ ଡୁଡୁଙ୍ଗା ବାଜା ବଂଚାଇବାକୁ ସେ ଏବେ ଗାଁ ଗାଁ ବୁଲି ବଜାଉଛନ୍ତି। ସରକାର ଏ ଦିଗରେ ସାହାଯ୍ୟ କଲେ ଏହା ଆଗକୁ ବଞ୍ଚି ରହିବ। ଆମ ନାତି ନାତୁଣୀ ଏହି ଡୁଡୁଙ୍ଗା ବାଜା ଓ ଗୀତ ଜାଣି ପାରିବେ। ନ ହେଲେ ଏହି ପୁରୁଷ ଅନ୍ତେ ଏହି ବୁଡିଯିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ଏ ଦିଗରେ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

 

ସରକାର ଆଦିବାସୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ବିଭିନ୍ନ କାମ କରୁଥିବା କହୁଥିଲାବେଳେ ପରଜାଙ୍କ ଏହି ଡୁଡୁଙ୍ଗା ବାଦ୍ୟ ଉପରେ ନଜର ନ ପକାଇବା ଦୁର୍ଭାଗ୍ୟଜନକ କଥା ବୋଲି ଗବେଷକ କହିଛନ୍ତି। ଆଦିବାସୀ ସଂସ୍କୃତିକୁ ନେଇ ଗବେଷଣା କରୁଥିବା ଡଃ ରାଜେନ୍ଦ୍ର ପାଢୀ କହିଛନ୍ତି ଯେ, ପରଜା ନୃ୍ତ୍ୟରେ ଡୁଡୁଙ୍ଗା ବାଦ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଗ ଏହା ବିଭିନ୍ନ ଆଦିବାସୀ ଗାଁରେ ରହିଥିଲା। ଆଦିବାସୀମାନେ ଏହି ବାଦ୍ୟକୁ ନିଜେ ତିଆରି କରି ଏହାକୁ ବଜାଇଥାନ୍ତି। କିନ୍ତୁ ଏବେ ଏହା ବୁଡିବାକୁ ବସିଛି। ଏ ଦିଗରେ ସରକାର ଓ ପ୍ରଶାସନ ଧ୍ୟାନ ଦେଇ ଏହି ବାଦ୍ୟ ସହ ଆଦିବାସୀଙ୍କ ଅନ୍ୟ ବାଦ୍ୟ, ନୃତ୍ୟ ଓ ଗୀତକୁ ବଂଚାଇ ରଖିବା ସହିତ ଏହାର ସଂରକ୍ଷଣ କରିବା ଆବଶ୍ୟକ। ଏହି କଳାକୁ ବଂଚାଇ ରଖିଥିବା କଳାକାରଙ୍କୁ ମଧ୍ୟ ପ୍ରୋତ୍ସାହନ ଦିଆଯିବା ଦରକାର। ନ ହେଲେ ଆମେ ଏକ ଅପୂର୍ବ ବିଭବକୁ ହରାଇବା ବୋଲି ସେ କହିଛନ୍ତି।