ଜେଏନୟୁ ପୁଣି ଅଶାନ୍ତ, କ୍ୟାମ୍ପସରେ ଛାତ୍ରସଂସଦ ସଭାପତିଙ୍କୁ ନିସ୍ତୁକ ପିଟିଲେ ମୁଖାପିନ୍ଧା ଯୁବକ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ :  ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଥମିବାର ନାଁ ନେଉନି। ରବିବାର ସନ୍ଧ୍ୟାରେ କିଛି ମୁଖାପିନ୍ଧା ଯୁବକ କ୍ୟାମ୍ପସ୍‌ରେ ଛାତ୍ରସଂସଦ ସଭାପତି ଆଇସି ଘୋଷଙ୍କୁ ନିସ୍ତୁକ ମାଡ ମାରିଥିବା ଜଣାପଡିଛି। ପ୍ରାୟ ୫୦ରୁ ଅଧିକ ଯୁବକ ହାତରେ ଲାଠି ଓ ଅନ୍ୟ ହତିଆର ଧରି କ୍ୟାମ୍ପସ୍‌ରେ ପଶି ମାରପିଟ ଆରମ୍ଭ କରିଥିଲେ। ଏଥିରେ ସଭାପତି ଘୋଷବି ସେମାନଙ୍କ ହାବୁଡରେ ପଡିଯାଇଥିଲେ।

ମୁଖାପିନ୍ଧା ଯୁବକଙ୍କ ଆକ୍ରମଣରେ ଅନେକ ଛାତ୍ର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ହସ୍ପିଟାଲ ପଠାଇବା ଲାଗି କ୍ୟାମ୍ପସକୁ ୧୦ଟି ଆମ୍ବୁଲାନ୍ସ ପଠାଯାଇଥିଲା। ଜେଏନୟୁର ବର୍ଦ୍ଧିତ ଫି ନେଇ ରବିବାର ବୈଠକ ଡକାଯାଇଥିବା ବେଳେ ଏଥିରେ ଏବିଭିପି ଓ ଛାତ୍ର ସଂସଦ ସଦସ୍ୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ବୈଠକ ବିଫଳ ହୋଇଥିବା ବେଳେ ମୁଖାପିନ୍ଧା ଦୁର୍ବୃତ୍ତ କ୍ୟାମ୍ପସ ଓ ହଷ୍ଟେଲରେ ପଶି ବ୍ୟାପକ ମାରପିଟ କରିଛନ୍ତି। ଜେଏନୟୁ ପ୍ରଶାସନ ଆଇନଶୃଙ୍ଖଳା ରକ୍ଷା ଲାଗି ପୋଲିସ ଡକାଇଥିବା ବେଳେ କ୍ୟାମ୍ପସକୁ ସିଲ କରିଦିଆଯାଇଛି।

କ୍ୟାମ୍ପସରେ ଗଣ୍ଡଗୋଳର ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏଥିଲାଗି ଏବିଭିପି ଓ ଛାତ୍ର ସଂଘ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏହି ଆକ୍ରମଣ ଘଟଣାରୁ ଶିକ୍ଷିକମାନେ ବି ବାଦ ପଡିନହାନ୍ତି। ଜଣେ ମହିଳା ଫାକଲ୍ଟି ସୁଚରିତା ସେନ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଛାତ୍ର ନେତା ଘୋଷଙ୍କୁ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ଦେଖାଯାଇଛି। ତେବେ ପରିସ୍ଥିତି ଉପରେ ତୁରନ୍ତ ନିୟନ୍ତ୍ରଣ ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।