ଦାଗୀ ନେତା: ଓଡ଼ିଶାରେ କେଉଁ ଦଳରୁ କେତେ

ଓଡିଶା ବଡ ଖବର

ଭୁବନେଶ୍ୱର : ରାଜନୀତିରେ ଅପରାଧୀ ନେତାଙ୍କୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।  ଯଦି କୌଣସି ରାଜନୈତିକ ଦଳ ଅପରାଧୀ ନେତାଙ୍କୁ ଟିକଟ ଦିଏ ତେବେ କାହିଁକି ତାଙ୍କୁ ଟିକଟ ଦିଆଗଲା ସେନେଇ କାରଣ ଦର୍ଶାଇବାକୁ ପଡ଼ିବ।  ସେହିପରି ଉକ୍ତ ପଲିଟିକାଲ ପାର୍ଟିକୁ ସେହି ବିଧାନସଭା କିମ୍ବା ଲୋକସଭା କ୍ଷେତ୍ରରେ ଜଣେ ବି ବିନା କ୍ରିମିନାଲ ରେକର୍ଡ ଥିବା ପ୍ରାର୍ଥୀ କାହିଁକି ମିଳିଲାନି ବୋଲି ମଧ୍ୟ ଜଣାଇବାକୁ ପଡ଼ିବ।  ଏହାଛଡ଼ା ସଂପୃକ୍ତ ଅପରାଧୀ ନେତାଙ୍କ ସମସ୍ତ ରେକର୍ଡ ୪୮ ଘଣ୍ଟାରେ ପାର୍ଟି ୱେବସାଇଟରେ ଅପଲୋଡ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା ୪୮ ଘଣ୍ଟା ମଧ୍ୟରେ ମିଡିଆରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ତଥ୍ୟ ଦେବାକୁ ପଡ଼ିବ।   ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଜଣାଇବାକୁ ପଡ଼ିବ।  ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ସଂପୂର୍ଣ୍ଣଭାବେ ନିର୍ବାଚନ କମିଶନଙ୍କର ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି।  ଯଦି କୌଣସି ରାଜନୈତିକ ଦଳ ନିର୍ଦ୍ଦେଶକୁ ଅମାନ୍ୟ କରନ୍ତି ତେବେ ଏହାକୁ କୋର୍ଟ ଅବମାନନା ବୋଲି ଧରାଯିବ।  ଗତ ୪ଟି ସାଧାରଣ ନିର୍ବାଚନରେ ରାଜନୀତିରେ ଅପରାଧିକରଣ ବଢୁଥିବା ନେଇ ଶୁଣାଣି ବେଳେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ।

ବିଧାନସଭା ନିର୍ବାଚନ ପରେ ଓଡ଼ିଶା ଇଲେକ୍ସନ ଓ୍ୱାଚ୍ ଓ ଏଡିଆର ପକ୍ଷରୁ ଓଡ଼ିଶାର ଦାଗୀ ବିଧାୟକଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା।  ଏହି ରିପୋର୍ଟ ଅନୁସାରେ ଚଳିତ ଥର ବିଧାନସଭାକୁ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ବା ୬୭ ଜଣ ହେଉଛନ୍ତି ଦାଗୀ। ଏମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଅର୍ଥାତ ୪୯ ଜଣଙ୍କ ବିରୋଧରେ ରହିଛି ହତ୍ୟା, ହତ୍ୟା ଉଦ୍ୟମ, ମହିଳା ବିରୋଧୀ ଅପରାଧ ଓ ଅପହରଣ ଭଳି ସାଂଘାତିକ ମାମଲା ରହିଛି। ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ବେଳେ ୩୩ ଜଣ ସାଂଘାତିକ ଅପରାଧରେ ଜଡ଼ିତ।

ସେହିପରି ବିଜେପିର ୨୩ରୁ ୧୪ ଦାଗୀ ସଦସ୍ୟ ଓ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ରହିଛି ସାଂଘାତିକ ଅପରାଧ ମାମଲା।  କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ୬ ଜଣ ଦାଗୀ ହୋଇଥିବା ବେଳେ ୫ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।