ଋଣ ଓ ଜମା ସୁଧହାର କମାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁଧହାର ଅପରିବର୍ତ୍ତିତ ରଖିବାର ଦିନକ ପରେ ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ଋଣ ଓ ଜମା ସୁଧହାର ହ୍ରାସ କରାଯାଇଛି ।
ଶୁକ୍ରବାରଦିନ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବ୍ୟାଙ୍କ ନିଜର ସର୍ବନିମ୍ନ ଋଣସୁଧହାର ଏମସିଏଲଆର ୫ ବେସିସ ପଏଣ୍ଟ ବା ୦.୦୫ ପ୍ରତିଶତ ହ୍ରାସ କରିଛି । ଏହା ଫଳରେ ଏକ ବର୍ଷର ଏମସିଏଲଆର ୭.୮୫ ପ୍ରତିଶତକୁ କମିଯାଇଛି । ଏହା ଫଳରେ ଗୃହଋଣ ସମେତ ଅନ୍ୟ ଋଣ ସୁଧହାର କମିବ ।

ଏହି ନୂତନ ହାର ଫେବ୍ରୁଆରି ୧୦ରୁ ଲାଗୁ ହେବ । ଚଳିତ ଆର୍ଥକ ବର୍ଷରେ ଷ୍ଟେଟ ବ୍ୟାଙ୍କର ଏହା ୯ମ ସୁଧହାର ହ୍ରାସ ।
ଅନ୍ୟପକ୍ଷରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଫିକ୍ସ ଡିପୋଜିଟ ବା ସ୍ଥାୟୀ ଜମା ଉପରେ ସୁଧହାର ୧୦ରୁ ୫୦ ବେସିସ ପଏଣ୍ଟ (୦.୧% ରୁ ୦.୫% )ପର୍ଯ୍ୟନ୍ତ ହ୍ରାସ କରିଛି । ଏହି ନୂତନ ଜମାହାର ଫେବ୍ରୁଆରି ୧୦ରୁ ଲାଗୁ ହେବ ।

ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଜର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରାଯାଇ ରେପୋ ହାରକୁ ୫.୧୫% ରେ ଅପରିବର୍ତ୍ତିତ ରଖାଯାଇଥିଲା । ସେହିପରି ରିଭର୍ସ ରେପୋ ହାରକୁ ମଧ୍ୟ ୪.୯୦% ରେ ଅପରିବର୍ତ୍ତିତ ରଖିଛି ।