ପୋଖରୀଭିତ୍ତିକ କୃଷିକୁ ଟାଟା ଷ୍ଟିଲର_ପ୍ରୋତ୍ସାହନ

ଚାଷୀମାନଙ୍କ ସଶକ୍ତିକରଣ ପାଇଁ ପୋଖରୀଭିତ୍ତିକ କୃଷିକୁ ଟାଟା ଷ୍ଟିଲର ପ୍ରୋତ୍ସାହନ

Uncategorized

 

#ପୋଖରୀଭିତ୍ତିକ_କୃଷିକୁ_ଟାଟା_ଷ୍ଟିଲର_ପ୍ରୋତ୍ସାହନ   ଯାଜପୁର :  (ବିଶ୍ବଜିତ ରଣା) ସମଗ୍ର ଯାଜପୁର ଜିଲ୍ଲାରେ ଜଳବାୟୁ ପିରବର୍ତ୍ତନ କୃଷି ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହାଫଳରେ ଜିଲ୍ଲାର ଚାଷୀ ଓ ବିଶେଷ ଭାବେ କ୍ଷୁଦ୍ରଚାଷୀମାନଙ୍କ ଜୀବନଜୀବିକା ଅତ୍ୟଧିକ ମାତ୍ରାରେ ପ୍ରଭାବିତ
ହୋଇଥାଏ । ଦୀର୍ଘସ୍ଥାୟୀ ଉତ୍ପାଦନ ଓ ଏକ ସ୍ଥାୟୀ ଆୟକୁ ସୁନିଶ୍ଚିତ କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ କାକୁଡ଼ିଆ ଗ୍ରାମରେ କୃଷିର ଅନ୍ତର୍ଭୁକ୍ତକାରୀ ବିକାଶ ପାଇଁ ପୋଖରୀ ଭିତ୍ତିିକ କୃଷି ନିମନ୍ତେ ଏକ ସମନ୍ୱିତ ପଦକ୍ଷେପ ଆରମ୍ଭ କରାଯାଇଛି । ବର୍ଷା ଜଳ ସଂରକ୍ଷଣ ମାଧ୍ୟମରେ ବିଭିନ୍ନ ପ୍ରକାର ଶସ୍ୟଉତ୍ପାଦନ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । କୃଷିର ଆଧୁନିକ କୌଶଳ ବିଷୟରେ ଚାଷୀମାନଙ୍କୁ ଅବଗତ କରାଇବା, ଚାଷ ପାଇଁ ବର୍ଷା ଜଳର ବ୍ୟବହାର, ପୋଖରୀ ଭିତ୍ତିକ ସମନ୍ୱିତ ଚାଷ କୌଶଳର ପ୍ରସାର, ବିକଳ୍ପ ଓ ବିବିଧ ଚାଷ ପ୍ରଣାଳୀ ଦ୍ୱାରା ଆୟ, ବର୍ଷସାରା ଚାଷୀମାନଙ୍କୁ ରୋଜଗାରର ମାଧ୍ୟମ ପ୍ରଦାନ କରିବା ଓ ପୋଖରୀର ଦୀର୍ଘସ୍ଥାୟିତ୍ୱ ସୁନିଶ୍ଚିତ କରିବା ହେଉଛି ପୋଖରୀ ଭିତ୍ତିକ ଚାଷର ପ୍ରମୁଖ ଉଦ୍ଦେଶ୍ୟ । ବର୍ତ୍ତମାନ ସୁଦ୍ଧା କାଳିଆପାଣି ଓ ଏହାର ପାଶ୍ୱର୍ବର୍ତ୍ତୀ ୯ଟି ଗ୍ରାମରେ ଏଭଳି ୧୨ଟି ପୋଖରୀ ସୃଷ୍ଟି କରାଯାଇଛି । ଉକ୍ତ ଗ୍ରାମଗୁଡ଼ିକ ମଧ୍ୟରେ କାକୁଡ଼ିଆ, କଳାରଙ୍ଗି, କ୍ରୀଷ୍ଣପୁର, ଗୁଡ଼ିସାହି, ଖରଖରି, ରୁଗୁଡ଼ିସାହି, ପୁରିଆଝର, ମଝିସାହି ଓ ରଙ୍ଗମାଟିଆ ସାମିଲ ଅଛି । ୬୦ରୁ ଊର୍ଦ୍ଧ୍ୱ ଲୋକ ଉକ୍ତ ପଦକ୍ଷେପ ଦ୍ୱାରା
ଉପକୃତ ହୋଇପାରିଛନ୍ତି । ଏହି ଗ୍ରାମଗୁଡ଼ିକରେ ଆହୁରି ପୋଖରୀ ଖୋଳିବା କାର୍ଯ୍ୟ ଜାରି ରହିଛି ।

କାକୁଡ଼ିଆ ଗ୍ରାମର ବାସିନ୍ଦା ୬୫ ବର୍ଷୀୟ ସରତ ପ୍ରଧାନ ନାମକ ଚାଷୀ ପୂର୍ବରୁ ଧାନ ଚାଷ ଉପରେ ନିର୍ଭରଶୀଳ ଥିଲେ । ବର୍ଷାରେ ବିଳମ୍ବ ଓ ଜଳସେଚନର ଅଭାବ କାରଣରୁ ତାଙ୍କର ବାର୍ଷିକ ଫସଲ ଉତ୍ପାଦନ କ୍ରମଶଃ କମ୍ ହେବାକୁ ଲାଗିଥିଲା । ଟାଟା ଷ୍ଟିଲ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ସଂସ୍ଥା ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍ଆରଡିଏସ୍) ପକ୍ଷରୁତାଙ୍କ ପାଇଁ ଢେଙ୍କାନାଳ ସ୍ଥିତ କୃଷି ବିଜ୍ଞାନକେନ୍ଦ୍ରରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେ ମତ୍ସ୍ୟ ଚାଷରୁ ତାଙ୍କ ଯାତ୍ରା ଆରମ୍ଭ କରିବା ପରେ ପନିପରିବା ଚାଷ ଓ ପୋଖରୀ ନିକଟରେ ପଶୁଧନ ପାଳନ ଆରମ୍ଭ କରିଥିଲେ । ସେ ଏହି ଚାଷରୁ ବର୍ଷକୁ ପ୍ରାୟ ୧,୨୦,୦୦୦ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । “ଶ୍ରୀ ପ୍ରଧାନଙ୍କ ଅନୁସାରେ “କୁକୁଡ଼ା ପାଳନ, ମତ୍ସ୍ୟ ଓ ପନିପରିବା ଚାଷ ଦ୍ୱାରା ପୋଖରୀର ସମନ୍ୱିତ ପରିଚାଳନା ଗ୍ରାମୀଣ ପରିବାରଙ୍କୁ ଦୀର୍ଘସ୍ଥାୟୀ ଉତ୍ପାଦନ, ଆୟ ଉପାର୍ଜନ ଓ ନିଯୁକ୍ତି ସୁଯୋଗ ଯୋଗାଇ ଦେବାରେ ସହାୟକ ହୋଇପାରୁଛି । ଆମ ଗ୍ରାମର ବହୁ ଚାଷୀ ଏହି ପ୍ରଣାଳୀ ଦ୍ୱାରା ଉପକୃତ ହୋଇପାରିଛନ୍ତି” ।

୫୦ ବର୍ଷୀୟ ଚାଷୀଘନଶ୍ୟାମ ମହନ୍ତଙ୍କୁ ଗୋଟିଏ ସମୟରେ ଚାଷରୁ ଭଲ ଲାଭ ଓ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସଂଘର୍ଷ କରିବାକୁ ପଡୁଥିଲା । ବହୁ ଉଦ୍ୟମ ସତ୍ତେ୍ୱ ସେଚାଷରୁ ପର୍ଯ୍ୟାପ୍ତ ଆୟ କରିବାରେ ସଫଳ ହେଉନଥିଲେ । “ମୁଁ ନିଜ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ସହିତ ନିଜ ଚାଷରୁ ଭଲ ଲାଭ ପ୍ରାପ୍ତ କରିବାକୁ ଚାହୁଁଥିଲି । ଉକ୍ତ ପ୍ରଣାଳୀ ବିଷୟରେ ଜାଣିବା ପରେ ମୁଁ ଏହାକୁ ନେଇ ସଂଶୟରେ ଥିଲି । କିନ୍ତୁ ମୁଁ ପ୍ରଶିକ୍ଷଣ ଅଧିବେସନରେ ଯୋଗ ଦେବା ପରେ ଏହା ସହଜ ହୋଇଯାଇଥିଲା । ଆଜି ମୁଁ ବର୍ଷକୁ ପ୍ରାୟ ୧ ଲକ୍ଷ ଟଙ୍କା ଆୟ କରିପାରିବି ବୋଲି ମୋର ଆଶା ରହିଛି ଓ ଏହା ମୋ ପାଇଁ ଏକ ସମୃଦ୍ଧ ଯାତ୍ରା ରହିଛି”ବୋଲି ସେ କହିଛନ୍ତି ।

ଚାଷୀମାନଙ୍କ ଦକ୍ଷତାର ବିକାଶ ପାଇଁ ସେମାନଙ୍କୁ ନିୟମିତ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ରାଜ୍ୟ କୃଷି ବିଭାଗ ଦ୍ୱାରା ରାଇଟୋଡ଼ା ମତ୍ସ୍ୟ ଚାଷୀ ସମବାୟ
ସଂସ୍ଥା ସହଭାଗିତାରେ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି । ବହୁଥାକ ଫସଲ, ମତ୍ସ୍ୟ ଚାଷ ଓ ବତକ ପାଳନ ଭଳି ବିଭିନ୍ନ ପ୍ରକାର କୃଷିର
ଏକତ୍ରିକରଣ ଦ୍ୱାରା ସର୍ବାଧିକ ଆୟ ଓ ନିଯୁକ୍ତି ସୃଷ୍ଟି କରିବା ହେଉଛି ପୋଖରୀ ଭିତ୍ତିକ ଚାଷର ମୂଳ ଲକ୍ଷ୍ୟ । ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଢେଙ୍କାନାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଦିବ୍ୟ ଶଙ୍କର କର କହିଛନ୍ତି ଯେ “ଜିଲ୍ଲାରେ ଭୂମିର ପରିମାଣ କମିବା ସହିତ କ୍ଷୁଦ୍ର ଏବଂ ପ୍ରାନ୍ତୀୟ ଚାଷୀଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଜମି ଓ ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, କୁକୁଡ଼ା ପାଳନ ଓ ବତକ ପାଳନ ଭଳି ପୋଖରୀ ଭିତ୍ତିକ ଚାଷ ଦ୍ୱାରା ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗକୁ ସମନ୍ୱିତ କରିବାର
ଗୁରୁତ୍ୱ ବଢିଯାଇଛି” ।

ମଝିସାହି ଗ୍ରାମର ଚାଷୀ ଶ୍ରୀ ରାଜାରାମ ମାରାଣ୍ଡି ମଧ୍ୟ ପୋଖରୀ ଭିତ୍ତିକ କୃଷିକୁ ଆପଣେଇ ନେଇଛନ୍ତି । “ମୁଁ ଏହି କୃଷିରୁ ଲାଭ ପାଇବା ଆରମ୍ଭ
କରିବା ପରେ ମୋ ଗ୍ରାମର ବହୁ ଚାଷୀ ଏହି କୃଷି ପ୍ରଣାଳୀକୁ ଗ୍ରହଣ କରିଛନ୍ତି । ଏହାଦ୍ୱାରା ବିଭିନ୍ନ ପ୍ରକାର ଖାଦ୍ୟ ଉତ୍ପାଦନ ହେବା ସହିତ ଆୟର ମାଧ୍ୟମ ଖୋଲିଯାଉଛି” ବୋଲି  ରାଜାରାମ ମାରାଣ୍ଡି କହିଛନ୍ତି ।