ପ୍ରାଚୀନ ତନ୍ତ୍ରପୀଠ ଅନନ୍ତ ଅବଧୂତ ମଠ :କାହିଁ କେଉଁ କାଳୁ ଜଳୁଛି ତ୍ରୀକୋଣିୟ ଅଗ୍ନି କୁଣ୍ଡ

ଓଡିଶା ଜିଲ୍ଲା ପର୍ଯ୍ୟଟନ ପୁରୀ ବଡ ଖବର ରାଜ୍ୟ

ସଂସ୍କୃିତି ଓ ଐତିହ୍ୟ ସମ୍ପଣ୍ଣ ରାଜ୍ୟ ଓଡ଼ିଶା, ଅନେକ ଅନାଲୋଚିତ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀରେ ପରିପୂଣ୍ଣ । ଆମ ଆଖପାଖରେ ଏଭଳି ଅନେକ ସ୍ଥଳୀ ଥିଲେ ମଧ୍ୟ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଏଗୁଡିକ ସମ୍ପର୍କରେ ଆମେ ବହୁତ କମ ଜାଣିଛେ। ସେହିଭଳି ଏକ ଐତିହ୍ୟ ସମ୍ପଣ୍ଣ ପର୍ଯ୍ୟଟନ ସ୍ଥଳୀ ହେଉଛି କୋଣାର୍କ ନିକଟସ୍ଥ ପ୍ରାଚୀନ ତନ୍ତ୍ରପୀଠ ଅନନ୍ତ ଅବଧୂତ ମଠ ।ରାଜଧାନୀ ଭୁବନେଶ୍ୱରରୁ  ଏହା ୬୫ କିଲୋମିଟର । ବସ୍‌, ଟ୍ରେନ୍‌, ଟ୍ୟାକ୍ସି କିମ୍ବା ନିଜ ଗାଡ଼ିରେ ମଧ୍ୟ ଏହି ଅନାଲୋଚିତ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀକୁ ଯାଇହେବ ।  କୋଣାର୍କ ସହିତ ଏହି ଅଞ୍ଚଳର ସୌନ୍ଦର୍ଯ୍ୟ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ତେବେ ଏଠାକୁ ଗଲେ ସୂର୍ଯ୍ୟମନ୍ଦିର, ପାଖରେ ଥିବା ରାମଚଣ୍ଡୀ ଆଉ ଚନ୍ଦ୍ରଭାଗା ସମୁଦ୍ରକୂଳ ବୁଲିବାର ଆନନ୍ଦ ଉଠାଇ ହେବ ।

ବିଶ୍ୱପ୍ରସିନ୍ଧ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ଦିଗରେ ଶହ ଶହ ବର୍ଷ ତଳର ପ୍ରାଚୀନ ଅନନ୍ତ ଅବଧୂତ ମଠ ଅବସ୍ଥିତ। ବହୁତ କମ୍‌ ଲୋକ ସେହି ପ୍ରାଚୀନ ମଠ ସମ୍ପର୍କରେ ଜାଣିଛନ୍ତି। ସେଥିପାଇଁ ସେଠାରେ ଲୋକଙ୍କର ଏତେ ଗହଳି ମଧ୍ୟ ଦେଖାଯାଏନାହିଁ। କିମ୍ବଦନ୍ତି ଅନୁସାରେ, ଭଗବାନ ଶିବ ସେଠାରେ ଅଗ୍ନି କୁଣ୍ଡ ସ୍ଥାପନ କରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରିଥିଲେ। ଦ୍ୱାପର ଯୁଗରେ କୃଷ୍ଣଙ୍କର ପୁଅ ସାମ୍ବ ସେହି ସ୍ଥାନରେ ସୂର୍ଯ୍ୟଙ୍କ ଉପାସନା କରି ରୋଗ ମୁକ୍ତ ହୋଇଥିଲେ।

ମାଦଳା ପାଞ୍ଜିରେ ମଧ୍ୟ ଅବଧୂତ ମଠର ବର୍ଣ୍ଣନା ରହିଛି। ସେହି ସ୍ଥାନ ଏକ ତନ୍ତ୍ର ପୀଠ ଭାବେ ମଧ୍ୟ ପ୍ରସିଦ୍ଧ। ସେଠାରେ ତାନ୍ତ୍ରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ସେହି ମଠରେ ସୂର୍ଯ୍ୟ ନାରାୟଣଙ୍କ ଏକ ସୁନ୍ଦର ମୂର୍ତ୍ତି ରହିଛି। ସେଠାରେ ଓଁକାର ରୂପୀ ନିରାକାର ବ୍ରହ୍ମାଙ୍କର ମୂର୍ତ୍ତି ମଧ୍ୟ ଅଛି ଯାହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ। ମଠ ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଜ୍ୱଳନ୍ତ ଅବସ୍ଥାରେ ତ୍ରୀକୋଣିୟ ଅଗ୍ନିକୁଣ୍ଡ ରହିଛି ଏହାହିଁ ମଠର ଆକର୍ଷଣର କେନ୍ଦ୍ରବିନ୍ଦୁ।

ଏହାଛଡା ସେଠାରେ ଅନେକ ପ୍ରାଚିନ ମୂର୍ତ୍ତୀ ଦେଖିବାକୁ ଦେଖିବାକୁ ମିଳିବ। ଅନୁସନ୍ଧାନ କଲେ ଜାଣି ହେବଯେଏହା ଏକ ତନ୍ତ୍ର ପୀଠ ହୋଇଥିବାକୁ ସେଠାରେ ଅନେକ ତନ୍ତ୍ର ପୋଥି ସାଇତା ହୋଇରହିଛି। ଇତିହାସ ଅନୁସାରେ, ଅନେକ ସେହି ମଠକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ତେଣୁ ଏଥିରୁ ଉଦ୍ଧାର ପାଇବା ପାଇଁ ସେଠାକାର ତତ୍‌କାଳୀନ ମଠାଧିସ ନରସିଂହ ଅବଧୂତ ଘୁଷୁରି ମାଂସ ସହ ତୁଳସୀ ପତ୍ର ପ୍ରସାଦ ବ୍ୟବସ୍ଥା ଆରମ୍ଭ କରିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବକୁଳ ଅମାବାସ୍ୟା ତିଥିରେ ସେଠାରେ ଘୁଷୁରୀ ମାଂସ ତରକାରୀ ଏବଂ ତୁଳସୀ ପତ୍ର ଲାଗି କରାଯାଏ।

ଅନନ୍ତ ଅବଧୂତ ମଠ ପ୍ରତିଷ୍ଠା ହେବା ଦିନଠାରୁ ଦାୟିତ୍ୱରେ ଥିବା ମଠାଧିଶ ମାନଙ୍କର ସମାଧି ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଏହା କେବଳ ଇତିହାସ ଦୃଷ୍ଟିରୁ ନୁହେଁ ପରମ୍ପରା ଦୃଷ୍ଟିରୁ ମଧ୍ୟ ଏହି ମଠର ବହୁତ ଗୁରୁତ୍ୱ ରହିଛି।ଏଭଳି ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀର ଉପଯୁକ୍ତ ପ୍ରଚାର ପ୍ରସାର ହୋଇପାରିଲେ ଏହା ସମୃଦ୍ଧ ହେବା ସହିତ ଏଠାକୁ ପର୍ଯ୍ୟଟକ ମାନଙ୍କ ସୁଅ ଛୁଟିବ ।