ପାଣିରେ ବୁଡ଼ିଗଲେ ଦୁଇ ସାଙ୍ଗ

ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ

ସମ୍ୱଲପୁର: ପିକ୍‌ନିକ୍‌ ହେଲା କାଳ। ଭୋଜି ଭାତର ଆସର ଭିତରେ ଦୁଇ ଜଣ ସାଙ୍ଗ ୱାଟ୍‌ରଫଲ୍‌ରେ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ବେଳେ ଜଣେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ଦୁଇ ସାଙ୍ଗ ହାତ ଧରାଧରି ହୋଇ ପାଣିରେ ବୁଡ଼ିଗଲେ। ଆଜି ଏପରି ଦୁଃଖଦ ଘଟଣା ଦେବଝରଣ ୱାଟରଫଲ୍‌ରେ ଘଟିଛି।

ସମ୍ୱଲପୁର ଜିଲ୍ଲା ବୁର୍ଲା ଭିସୁଟ୍‌ ଇଞ୍ଜିନିୟରିଂ କଲେଜର କମ୍ପ୍ୟୁଟରସାଇନ୍ସର ତୃତୀୟ ବର୍ଷର ପିଲାମାନେ ଆଜି ପିକ୍‌ନିକ କରିବା ପାଇଁ ଦେବଝରଣ ୱାଟରଫଲ୍‌କୁ ଯାଇଥିଲେ। ତେବେ ସେମାନଙ୍କ ଭିତରୁ ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ ୱାଟରଫଲ୍‌କୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜଣେ ଛାତ୍ର ବୁଡ଼ି ଯାଉଥିଲେ। ଚିତ୍କାର ଶୁଣି ପାଖରେ ଥିବା ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ କେହି ଫେରି ପାରିଲେ ନାହିଁ। ଦୁଇ ସାଙ୍ଗ ହାତ ଧରାଧରି ହୋଇ ପାଣିରେ ବୁଡ଼ିଗଲେ।

ଦୁଇ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ସୌମ୍ୟରଞ୍ଜନ ବେଉରିଆଙ୍କ ଘର ମଧ୍ୟପ୍ରଦେଶର ଭୋପାଳରେ ହୋଇଥିବା ବେଳେ ଅଭିଜିତ ସାମଲଙ୍କ ଘର ସମ୍ୱଲପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।