୬ ବିଶ୍ୱ ବିଦ୍ୟାଳୟର କୂଳପତି ମାନଙ୍କର କାର୍ଯ୍ୟକାଳ ୩ ମାସ ବଢ଼ିଲା

୬ ବିଶ୍ୱ ବିଦ୍ୟାଳୟର କୂଳପତି ମାନଙ୍କର କାର୍ଯ୍ୟକାଳ ୩ ମାସ ବଢ଼ିଲା

ଓଡିଶା ବଡ ଖବର

#କୂଳପତି_ମାନଙ୍କର_କାର୍ଯ୍ୟକାଳ_୩_ମାସ_ବଢ଼ିଲା                    ଭୁବନେଶ୍ୱର :  ୬ ବିଶ୍ୱ ବିଦ୍ୟାଳୟର କୂଳପତି ମାନଙ୍କର କାର୍ଯ୍ୟକାଳକୁ ୩ ମାସ ପାଇଁ ବୃଦ୍ଧି କରାଯାଇଛି । କୂଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଅତନୁ କୁମାର ପତିଙ୍କର ୨୫ ଜୁଲାଇରେ ଅବସର ନେଇଥାନ୍ତେ । ତେବେ ଅବସର ଦିନଠାରୁ ତାଙ୍କ କାର୍ଯ୍ୟକାଳକୁ ଆଉ ତିନିମାସ ବୃଦ୍ଧି କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୂଳପତି ପ୍ର. ମଧୁମିତା ଦାସଙ୍କ ଅବସର ସମୟ ୧ ଅଗଷ୍ଟ ୨୦୨୦ରେ ସରିବାର ଥିଲେ ହେଁ ତାଙ୍କ କାର୍ଯ୍ୟକାଳକୁ ଆଉ ତିନିମାସ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ବାରିପଦାସ୍ଥିତ ଉତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର କୂଳପତି ପ୍ର. ପ୍ରଦୀପ କୁମାର ଚାନ୍ଦଙ୍କର ଅବସର ୩୧ ଅଗଷ୍ଟ ୨୦୨୦, ରାଜଧାନୀସ୍ଥିତ ଉକ୍ରଳ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ର. ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କର ଅବସର ୩୦ ଜୁଲାଇ ୨୦୨୦, ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର କୂଳପତି ପ୍ର. ପଦ୍ମଜା ମିଶ୍ରଙ୍କର ଅବସର ୧୪ ଜୁଲାଇ ୨୦୨୦ ଏବଂ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ର. ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କର ଅବସର ୧୩ ଜୁଲାଇ ୨୦୨୦ରେ ହେବାର ଥିଲା । ଏହି ସମସ୍ତ ବିଶ୍ୱ ବିଦ୍ୟାଳୟର କୂଳପତି ମାନଙ୍କର କାର୍ଯ୍ୟକାଳ ୩ ମାସ ବୃଦ୍ଧି କରାଯାଇଛି ।
ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ସମ୍ପୃକ୍ତ ବିଶ୍ୱ ବିଦ୍ୟାଳୟର କୂଳପତିମାନେ ବର୍ଦ୍ଧିତ କାର୍ଯ୍ୟକାଳ ମଧ୍ୟରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ଦେଇପାରିବେ ନାହିଁ କି କୌଣସି ନୀତି ନିର୍ଦ୍ଧାରଣ କରିପାରିବେ ନାହିଁ । ଏଥିପାଇଁ କୂଳାଧିପତିଙ୍କର ଅନୁମତି ନେବାକୁ ପଡ଼ିବ ।
ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ପାଇଁ ରାଜ୍ୟରେ ଦେଖାଦେଇଥିବା ଅସାଧାରାଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ୬ଟି ବିଶ୍ୱ ବିଦ୍ୟାଳୟର କୂଳପତି ମାନଙ୍କର କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ରାଜ୍ୟପାଳ ତଥା କୂଳାଧିପତି ଡ. ଗଣେଶୀ ଲାଲଙ୍କୁ ସୁପାରିଶ କରିଥିଲେ ।