ଓଡ଼ିଶାରେ ଲକଡାଉନ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରହିବ -ମୁଖ୍ୟ ଶାସନ ସଚିବ

ଓଡ଼ିଶାରେ ଲକଡାଉନ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରହିବ -ମୁଖ୍ୟ ଶାସନ ସଚିବ

ଓଡିଶା ବଡ ଖବର

#ଓଡ଼ିଶାରେ_ଲକଡାଉନ_ଜୁନ୍_୩୦_ପର୍ଯ୍ୟନ୍ତ_ଜାରି_ରହିବ         ଭୁବନେଶ୍ୱର  : ଓଡ଼ିଶାରେ ମହାମାରୀ କରୋନା ବ୍ୟାପ୍ତିକୁ ପ୍ରତିରୋଧ କରିବା ନିମନ୍ତେ ରାଜ୍ୟ ସରକାର ଲକ୍-ଡାଉନ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଗୀତ ଗୋବିନ୍ଦ ଭବନରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଦୂରଦର୍ଶୀ ପଦକ୍ଷେପ ଯୋଗୁ ରାଜ୍ୟ କୋଭିଡ଼-୧୯ ନିୟନ୍ତ୍ରଣରେ ଭଲ ସ୍ଥିତିରେ ଅଛି । ଜୁନ୍ ମାସଟି ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଣେତୁ ଆମକୁ ଲଢ଼େଇ ଜାରି ରଖିବାକୁ ପଡ଼ିବ ।
ମୁଖ୍ୟ ଶାସନ ସଚିବଙ୍କ ସହଯୋଗ ଦେଇ ପୋଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ, ଲକଡାଉନ କୋହଳ କେବଳ ଜୀବିକାର୍ଜନରେ ସହାୟତା ପାଇଁ ଉଦ୍ଦିଷ୍ଟ । ଏହାକୁ ମନୋରଂଜନ ବୋଲି ଭାବି ଢ଼ିଲା ଦେଲେ ଆମେ ସମସ୍ତେ ବିପଦରେ ପଡ଼ିବା । ଆଜି ପର୍ଯ୍ୟନ୍ତ ପୋଲିସ୍ ସଚେତନତାମୂଳକ ବାରଣ କରୁଥିଲା । ଏଥର ପୋଲିସ୍ ଅବମାନନାକାରୀଙ୍କ ବିରୁଦ୍ଧରେ ଆରେଷ୍ଟ, ମୋକଦ୍ଦମା ଓ ଜୋରିମାନା ପରି କଠୋର କାର୍ଯ୍ୟାନୁଷ୍ଠାନ କରିବ । ଲକଡାଉନ ବିଷୟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ପୂର୍ବଥର ପରି ଏଥର କଂଟେନମେଂଟ ଜୋନରେ ଲକ୍ଡାଉନ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସମ୍ପୃକ୍ତ ଜିଲ୍ଲାପାଳ ଏବଂ ପୌରାଂଚଳ କମିଶନରମାନେ କଂଟେନମେଂଟ ଜୋନ୍ ନିର୍ଦ୍ଧାରଣ କରିବେ । କଂଟେନମେଂଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଚାଲୁ ରହିବ । ସଘନ କଂଟାକ୍ଟ ଟ୍ରେସିଂ ଘରକୁ ଘର ନିରୀକ୍ଷଣ ଏବଂ ଆବଶ୍ୟକୀୟ ଚିକିତ୍ସା ସମ୍ବଦ୍ଧିତ କରାଯିବ ।
ଧର୍ମସ୍ଥାନ, ସର୍ବସାଧାରଣଙ୍କ ପୂଜା ପାଇଁ ଉଦ୍ଦିଷ୍ଟ ସ୍ଥାନ, ସପିଂ ମଲ୍, ସିନେମାହଲ୍, ଜିମ୍ନାସିୟମ, ସୁଇମିଂ ପୁଲ, ମନୋରଂଜନ ପାର୍କ, ଥିଏଟର, ବାର, ପ୍ରେକ୍ଷାଳୟ, ସମେତ ସ୍ଥାନ ଆଦି ବନ୍ଦ ରହିବ । ଶିକ୍ଷାନୁଷ୍ଠାନ, ତାଲିମ ଏବଂ କୋଚିଂ ସେଂଟର ଆଦି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ହୋଟେଲମାନେ ନିଜ ରହଣୀ-ଦକ୍ଷତାର ଶତକଡ଼ା ୩୦ ଭାଗ ମଧ୍ୟରେ କାରବାର କରିବେ । ରେସ୍ତୋରାଁ କେବଳ ଅନ୍ତେବାସୀ ଅତିଥିମାନଙ୍କ ପାଇଁ ଖୋଲିବ । ତେବେ ରେସ୍ତୋରାଁମାନେ ହୋମ୍ ଡେଲିଭରି ବା ଟେକ୍ ୱେ ଫୁଡ଼୍ ନିମନ୍ତେ କାରବାର କରିପାରିବେ ।
ମାସ୍କ ପିନ୍ଧିବା, ୬ ଫୁଟର ସାମାଜିକ-ଦୂରତା ରକ୍ଷା କରିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଆଦି ନିର୍ଦ୍ଦେଶକୁ ଦୃଢ଼ଭାବେ କାର୍ଯ୍ୟକାରୀ କରାଯିବ । ଦୋକାନୀମାନେ ନିଜ ନିଜ ଦୋକାନରେ ସାମାଜିକ ଦୂରତା ନିୟମ ନିଶ୍ଚିତ କରାଇବେ । ଦୋକାନର ଆକାର ଅନୁସାରେ ଏକ ସମୟରେ ୨ ରୁ ୫ ଜଣ ମଧ୍ୟରେ ଗ୍ରାହକ ଦୋକାନ ଭିତରେ ରହିପାରିବେ । ବିବାହ ଉତ୍ସବରେ ଅତିଥିଙ୍କ ସଂଖ୍ୟା ୫୦ ଭିତରେ ଏବଂ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ୨୦ ଭିତରେ ସୀମିତ ରହିବ ।
ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ସାର ରାଜ୍ୟରେ ଜରି ରହିବ । ତେବେ ଆବଶ୍ୟକୀୟ ସେବା, ପରିଚୟ ପତ୍ର ଥିବା ଆଇ.ଟି.କମ୍ପାନୀ, ଶିଳ୍ପାନୁଷ୍ଠାନ କର୍ମଚାରୀ ମାନଙ୍କୁ ଯାତାୟତ ପାଇଁ ଅନୁମତି ମିଳିବ । ଶିଳ୍ପ ଓ ନିର୍ମାଣ କାର୍ଯ୍ୟ ଚାଲୁ ରହିବ ।
ପୁନଶ୍ଚ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହର ଶନିବାର ଏବଂ ରବିବାର ମାନଙ୍କରେ ସଟ୍ ଡାଉନ ଜାରି ରହିବ । ଏହି ଜିଲ୍ଲା ଗୁଡ଼ିକ ହେଲା ଗଂଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗୀର । ସଟ୍-ଡାଉନ ସମୟରେ ଆବଶ୍ୟକୀୟ ସେବା, ବୈଦ୍ୟୁତିକ ଗଣମାଧ୍ୟମ, ଶିଳ୍ପ ନିର୍ମାଣ ଏବଂ ସେବା ଯୋଗାଣ ସଂସ୍ଥାକୁ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଅନୁମତି ମିଳିବ ।
ସଂଗରୋଧ (କ୍ୱାରେନଟାଇନ) ବିଷୟରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଅନ୍ୟ ରାଜ୍ୟରୁ ଗ୍ରାମାଂଚଳକୁ ଫେରୁଥିବା ସମସ୍ତ ଲୋକ ସଂଗରୋଧରେ ରହିବେ । ରୋଗର କୌଣସି ଲକ୍ଷଣ ନ ଥିବା ଲୋକ ୭ ଦିନ ସରକାରୀ ସଂଗରୋଧ ଏବଂ ତାପର ୭ ଦିନ ନିଜଘର ସଂଗରୋଧରେ ରହିବେ । ଏହି ସମୟ ମଧ୍ୟରେ ରୋଗର ଲକ୍ଷଣ ଦେଖାଗଲେ ନିର୍ଦ୍ଧାରିତ ଗାଇଡ଼୍ଲାଇନ୍ ଅନୁସାରେ ତାଙ୍କୁ କରୋନା କେୟାର ସେଂଟର ବା କୋଭିଡ଼-ହସପିଟାଲକୁ ନିଆଯିବ । ସେହିପରି ସହରାଂଚଳରେ ଓଡ଼ିଶା ଫେରନ୍ତାମାନେ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେନଟାଇନରେ ରହିବେ । ଅନ୍ୟ ରଜ୍ୟରୁ ଓଡ଼ିଶାକୁ ବା ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ୭୨ ଘଂଟା ମଧ୍ୟରେ ଯିବା ଆସିବା କରୁଥିବା ବ୍ୟବସାୟୀ, ଉଦ୍ୟୋଗୀ, ପ୍ରଫେସନାଲ, ସରକାରୀ କର୍ମଚାରୀ ଆଦି ମାନଙ୍କୁ କ୍ୱାରେନଟାଇନରେ ରହିବାକୁ ପଡ଼ିବ ନାହିଁ ।
୬୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି, ଡାଇବେଟିସ, କ୍ୟାନସର ଆଦି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷର କମ୍ ପିଲାମାନେ ଘର ଭିତରେ ରହିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି । ତେବେ ଜରୁରୀକାଳୀନ ଚିକିତ୍ସା ପାଇଁ ଏହି ସମ୍ବେଦନଶୀଳ ବ୍ୟକ୍ତିମାନେ ଡାକ୍ତରଖାନା ଯିବା ଆସିବା କରିପାରିବେ ।
ମୁଖ୍ୟ ଶାସନ ସଚିବ ସତର୍କ କରାଇ ଦେଇଥିଲେ ଯେ, ଏହି ଲକ୍ ଡାଉନ ସମୟରେ ସମସ୍ତ ନିୟମକୁ କଡ଼ାକଡ଼ଇଭାବେ ଲାଗୁ କରାଯିବ । ନିୟମଭଙ୍ଗକାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ୍ର ଧାରା ୫୧ ରୁ ୬୦ ଏବଂ ଭାରତୀୟ ପିଙ୍ଗଳ କୋର୍ଡ଼ର ଧାରା ୧୮୮ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।