ଲୋମଶ କନ୍ୟା ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ଅପରାଧ ଓଡିଶା ଜିଲ୍ଲା ବଡ ଖବର ବୌଦ୍ଧ ରାଜ୍ୟ

ହରଭଙ୍ଗା:  ନିଜର ଅସାଧାରଣ ଚେହେରା ପାଇଁ କିଛି ବର୍ଷ ତଳେ କେବଳ ଆମ ରାଜ୍ୟ ନୁହେଁ ଦେଶ ବିଦେଶରେ  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଜନୈକା ଲୋମଶ କନ୍ୟା ଦୁଷ୍କର୍ମର ଶିକାର ହେବା ଭଳି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଖବର ପ୍ରଘଟ ହେବାପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଏନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ପୀଡ଼ିତାଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଅଭିମନ୍ୟୁ କହଁର (୫୦)କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ ପୀଡ଼ିତା ଖିଆପିଆ ସାରି ଗତ ୮ତାରିଖ ରାତିରେ ଘରେ ଏକାକି ଶୋଇଥିବା ସମୟରେ ରାତି ପ୍ରାୟ ୧୨ଟା ବେଳେ ତାଙ୍କ ଗ୍ରାମର ଅଭିମନ୍ୟୁ କହଁର(୫୦) ତାଙ୍କୁ  ବଳପୂର୍ବକ ଘରୁ ଉଠାଇ ନେଇ ସ୍କୁଲ ପାଖରେ ଥିବା ଏକ ବରଗଛ ତଳକୁ ନେଇଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଅଭିମନ୍ୟୁ ର ପତ୍ନି ପୀଡିତାଙ୍କୁ ମାଡ ମାରିଥିଲେ । ପରେ ଅଭିମନ୍ୟୁ ସେଠାରୁ ପତ୍ନିକୁ ତଡି  ଦୁଷ୍କର୍ମ କରିଥିଲା। ପୀଡ଼ିତା ପ୍ରତିବାଦ କରି ପାଟି କରିବାରୁ ଅଭିମନ୍ୟୁ ତାଙ୍କୁ ମାଡ଼ ମାରିବା ସହ ମୁହଁକୁ ବାନ୍ଧିଦେଇଥିବା ଏତଲାରେ ଦର୍ଶାଯାଇଛି। ପରେ ଏ କଥା କାହାକୁ କହିଲେ ଟିକି ଟିକି କରି କାଟି ତୋତେ ଫିଙ୍ଗି ଦେବି ବୋଲି ଅଭିଯୁକ୍ତ ଧମକ ଦେଇଥିଲା।

ମାତ୍ର ଘଟଣା ସମୟରେ ପୀଡ଼ିତାଙ୍କ ଘରଲୋକେ କେହି ନଥିବାରୁ ସେ କାହାକୁ କିଛି ନ କହି ଭୟରେ ଚୁପ ରହିଥିଲେ। ହେଲେ ଗତକାଲି ତାଙ୍କର ଭାଇମାନେ ଘରକୁ ଆସିବାରୁ ସେ ସେମାନଙ୍କୁ ସବୁକଥା ବୟାନ କରିଥିଲେ। ଭାଇମାନେ ସବୁ ଶୁଣିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇ ଶୁକ୍ରବାର ଲିଖିତ ଭାବେ ଜଣାଇଥିଲେ। ଗତ ପ୍ରାୟ ୨ବର୍ଷ ତଳେ ପୀଡିତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା ଓ ନିୟତିର ନିଷ୍ଠୁର ନିର୍ଦ୍ଦେଶ କ୍ରମେ ବାପାଙ୍କ ଦଶାହ କର୍ମ ଦିନ ମା’ଙ୍କ ମଧ୍ୟ ବିୟୋଗ ହେବାପରେ ସେ ଏକ ପ୍ରକାର ଆଶ୍ରାହୀନ ହୋଇ ଭାଇଙ୍କ ପରିବାର ସହିତ ରହିଆସୁଥିଲେ।

ଭାଇମାନେ କାମଧନ୍ଦା ପାଇଁ ବାହାରକୁ ଯାଇଥିବା ବେଳେ ପୀଡିତାଙ୍କୁ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଜଣାପଡିଛି। ଏ ଘଟଣାକୁ ପୁଲିସ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଛି।ଅଭିଯୁକ୍ତ ଅଭିମନ୍ୟୁ କହଁର ମକର ଯାତ୍ରା ଦେଖିବାକୁ ବୌଦ୍ଧ-ନୟାଗଡ ଜିଲ୍ଲା ସୀମାନ୍ତ ବାଣୀଗୋଛା ଯାଇଥିଲା। ଏହି ସୂଚନା ମିଳିବା ପରେ ହରଭଙ୍ଗା ପୁଲିସ ବାଣୀଗୋଚ୍ଛାରେ ପହଞ୍ଚି ଅଭିମନ୍ୟୁକୁ ଖୋଜି ଗିରଫ କରିଥିଲା। ଗତକାଲି ଉଭୟ ପୀଡିତା ଓ ଅଭିଯୁକ୍ତଙ୍କର ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଡାକ୍ତରୀ ପରୀକ୍ଷା କରାଯାଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।