ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସହଯୋଗରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

ଯାଜପୁର ( ବିଶ୍ବଜିତ ରଣା ) ଯାଜପୁର ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମର ଘରୋଇକରଣ ପ୍ରତିବାଦରେ ଜିଲ୍ଲା ଆଇ.ଏନ୍.ଟି.ୟୁ.ସି.ର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଆଇ.ଏନ୍.ଟି.ୟୁ.ସି.ର ରାଜ୍ୟ ସଭାପତି ବିଶିଷ୍ଟ ଶ୍ରମିକ ନେତା ଡ. ରାମଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅତୀତରେ କଂଗ୍ରେସ ସରକାରଙ୍କ ଅମଳରେ ନୀଳାଚଳ ଇସ୍ପାତ ନିଗମ ଦୀର୍ଘଦିନ ଧରି ଏକ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟାଗ ଭାବରେ ପରିଚାଳିତ ହେଉଥିବାବେଳେ ପରବର୍ତ୍ତୀ ସମୟରେ ଏହା ପରିଚାଳନାଗତ ତ୍ରୁଟି ବିଚ୍ୟୁତି ଯୋଗୁ କ୍ଷତିରେ ଚାଲିବାକୁ ଲାଗିଲା । କେନ୍ଦ୍ର ସରକାର ଏହାକୁ ସହାୟତା କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ନୀରବ ସମର୍ଥନରେ ଘରୋଇକରଣ କରିବାପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଲେ । ଦୀର୍ଘ ୨ ମାସ ଧରି କର୍ମଚାରୀମାନେ ଦରମା ପାଇଲେ ନାହିଁ ।

ନୀଳାଚଳ ଇସ୍ପାତ ନିଗମର ନିଜସ୍ୱ କ୍ୟାପଟିଭ ପ୍ଲାଣ୍ଟ ଓ ଖଣି ଥିବାବେଳେ ଏହାକୁ ଶାଗ ମାଛ ଦରରେ ବିକ୍ରି କରିବାଲାଗି ଯୋଜନା ବିଜେପି ସରକାରଙ୍କର ଅସଲ ମୁଖା ଏବେ ଜନସାଧାରଣଙ୍କ ନିକଟରେ ଖୋଲିଯାଇଛି ବୋଲି ପ୍ରକାଶ କରିଥିଲେ । ନୀଳାଚଳ ଇସ୍ପାତ ନିଗମର ହଜାର ହଜାର କର୍ମଚାରୀ ଓ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତଥା ସମସ୍ତ ଟ୍ରେଡ଼୍ ୟୁନିଅନ୍ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆଗାମୀ ଦିନରେ ସମସ୍ତ ୭ ଗୋଟି ନିର୍ବାଚନମଣ୍ଡଳୀରେ ଏହି ଘରୋଇକରଣ ବିରୁଦ୍ଧରେ ଜନସଚେତନତା ନିମନ୍ତେ ଏକ ରଥ ବୁଲିବା ପାଇଁ ଘୋଷଣା କରିଥିଲେ । ଦିଲ୍ଲୀ ପାର୍ଲାମେଣ୍ଟରେ ଏହି ଘରୋଇକରଣକୁ ବିରୋଧ କରାଯିବ ବୋଲି କହିବା ସହିତ ସାରା ଯାଜପୁର ଜିଲ୍ଲାବାସୀଙ୍କୁ ଏଥିପାଇଁ ଆନ୍ଦୋଳନରେ ସାମିଲ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସମ୍ପାଦକ ସୌରୀବନ୍ଧୁ କର ମୁଖ୍ୟବକ୍ତାଭାବେ ଯୋଗଦେଇ ଭାରତବର୍ଷର ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ପର୍ଯ୍ୟଟନସ୍ଥଳୀ ଯଥା ତାଜମହଲ ଓ ଲାଲକିଲ୍ଲାକୁ ବିଜେପି ସରକାର ବିକ୍ରି କରି ନିଜ ଦଳର ପାଣ୍ଠି ବଢ଼ାଇବା ପାଇଁ ଉଦ୍ୟମ କରୁଛନ୍ତି କିନ୍ତୁ ଭାରତବର୍ଷର ଶ୍ରମିକ ସଙ୍ଗଠନ ଏହା କରିବାକୁ ଦେବେନାହିଁ ଏବଂ ଆବଶ୍ୟକ ହେଲେ ଏଥିପାଇଁ ପଲ୍ଲୀରୁ ଦିଲ୍ଲୀଯାଏଁ ଲଢ଼େଇ ହେବ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିଭାବେ ସିପିଏମ୍ ନେତା ସନ୍ତୋଷ ଦାସ, ଏ.ଆଇ.ସି.ସି.ଟି.ୟୁ ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଆଇ.ଏନ୍.ଟି.ୟୁ.ସି.ର ରାଜ୍ୟ ସାଧାରଣ ସମ୍ପାଦକ କିଶୋର ଜେନା, ବିଶିଷ୍ଟ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ, ରାଜ୍ୟ ଉପ-ସଭାପତି ମଦନ ଧଳ, ନୀଳାଚଳ ମିଳିତ ମଞ୍ଚର ଆବାହକ ରଞ୍ଜନ କୁମାର ନାୟକ, ଶ୍ରମିକ ନେତା ବାବୁଲି ପୂର୍ତ୍ତି ଓ ମହିରାମ ପୂର୍ତ୍ତି, ଶ୍ରମିକ ନେତା ପ୍ରଫୁଲ୍ଲ ନାଏକ, ଆଲୋକ ମହାନ୍ତି, ପରମାନନ୍ଦ ସେଠୀ, ଦିଗମ୍ବର କର, ପୂର୍ବତନ ଏମ୍.ପି. ଅଞ୍ଚଳ ଦାସ, ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ, ଆଇନଜୀବୀ ପ୍ରତିମା କର, ବିଷ୍ଣୁଚରଣ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତ, ପିସିସି କୋଷାଧ୍ୟକ୍ଷ ସୁଧାନିଧି ମହାପାତ୍ର, ବ୍ୟାସନଗର କଂଗ୍ରେସ ସଭାପତି ହୃଦାନନ୍ଦ ସାମଲ, ପିସିସି ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି, ବିଞ୍ଝାରପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ବେହେରା, ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ବିଳାସ ରାଉତ, ଜିଲ୍ଲା ଉପ-ସଭାପତି ବିଭୂତି ମହାପାତ୍ର, ଅକ୍ଷୟ ଶତପଥି, ଦୁର୍ଯ୍ୟୋଧନ ବେହେରା, ରାହାସ ବିହାରୀ ଦାସ, ଅନୀଲ ମହାନ୍ତି, ସଂଗ୍ରାମ ଜେନା, ଗଦାଧର ଦାସ ପ୍ରମୁଖ ଯୋଗଦେଇଥିଲେ । ଆର.ଏମ୍.ସି. ପଡ଼ିଆଠାରୁ ଏକ ବିଶାଳ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲା ।

ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ନୀଳାଚଳ ଇସ୍ପାତ ନିଗମ କର୍ମଚାରୀଙ୍କ ବକେୟା ଦରମା ଓ ଚାକିରୀ ସର୍ତ୍ତାବଳୀ ଉପରେ ଆଲୋଚନା କରିବା ସହିତ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ରାଜ୍ୟ ଆଇ.ଏନ୍.ଟି.ୟୁ.ସି.ର କାର୍ଯ୍ୟକାରୀ କମିଟି ସଦସ୍ୟ ହୃଷିକେଶ ପତି ଧନ୍ୟବାଦ ଦେଇଥିଲେ ।